ରାଉରକେଲା(ବସନ୍ତ କୁମାର ଜେନା): ନୃତ୍ୟ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ନୃତ୍ୟା ନୁଷ୍ଠାନ ‘କ୍ରିଷ୍ଣମ’ ର ଷଷ୍ଠ ଚକ୍ରଧାରୀ ନୃତ୍ୟ ଉତ୍ସବ-୨୦୨୩ ‘ମ୍ୟୁଜିକ ସର୍କଲ’ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦ ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବର ଉଦଯାପନୀ ସଂଧ୍ୟାକୁ ମୁଖ୍ୟ ଅତିଥି ଇଂ.ଅଭୟ କୁମାର ଦାସ, ସମ୍ମାନୀତ ଅତିଥି ସମାଜସେବୀ ଲକ୍ଷ୍ମଣ ନାଥ ଦାସ ଏବଂ ସମ୍ବର୍ଦ୍ଧିତ ପ୍ରତିଭା ଭୁବନେଶ୍ବର ସଂଗୀତ ମହାବିଦ୍ୟାଳୟର ଅଧ୍ୟାପକ ଗୁରୁ ମନୋରଞ୍ଜନ ପ୍ରଧାନ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଅତିଥି ମାନେ ତାଙ୍କ ଅଭିଭାଷଣରେ ଶାସ୍ତ୍ରୀୟ ନୃତ୍ୟ ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ମହନୀୟତା ଆମ ପୁରାଣ-ଶାସ୍ତ୍ର ଗ୍ରନ୍ଥ ମାନଙ୍କରେ ଗାନ୍ଧର୍ବ ବିଦ୍ୟା ଭାବରେ ବର୍ଣ୍ଣିତ ହୋଇଛି। ମନୁଷ୍ୟର ଶରୀର, ପ୍ରାଣ, ମନ ଏବଂ ଆତ୍ମା ପ୍ରଭୃତି ଚାରୋଟି ସତ୍ତା ମଧ୍ୟରୁ ପ୍ରାଣିକ ସତ୍ତାର ପୁଷ୍ଟି ସାଧନ ପାଇଁ ସଂଗୀତ ନୃତ୍ୟର ମହତ୍ତ୍ଵ ଅବିସମ୍ବାଦିତ। କ୍ରିଷ୍ଣମ୍ ଅନୁଷ୍ଠାନ ଦୀର୍ଘ ଛଅ ବର୍ଷ ଧରି ଗୁରୁ ଶ୍ବେତାଂଶୁ ଶେଖର ଷଡ଼ଙ୍ଗୀ ଏବଂ ଗୁରୁ ଜ୍ୟୋତିଶ୍ରୀ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶାସ୍ତ୍ରୀୟ ନୃତ୍ୟର ପ୍ରଚାର ପ୍ରସାରରେ ଉଲ୍ଲେଖନୀୟ ସଫଳତା ଲାଭ କରିଥିବାରୁ ଅତିଥି ମାନେ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଗୁରୁ ମନୋରଞ୍ଜନ ପ୍ରଧାନଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ଷଷ୍ଠ ଚକ୍ରଧାରୀ ସମ୍ମାନ-୨୦୨୩ରେ ସମ୍ମାନୀତ କରାଯାଇଥିଲା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ସହାୟତାରେ ଅନୁଷ୍ଠିତ ଉକ୍ତ ଉତ୍ସବର ପ୍ରଥମ ଦିନରେ ଦୀପ୍ତିଲତା ସାହୁ, ଶୁଚିସ୍ମିତା ବିଶ୍ବାସ, କଳାଭୂମି ଏବଂ ତ୍ରୀଶା ଗ୍ରୁପ୍ ନୃତ୍ୟ ପରିବେଷଣ କରିଥିବାବେଳେ ଦ୍ବିତୀୟ ଦିନରେ ରୀତିକା ରାୟ, ନୃତ୍ୟ ଶାନ୍ତି ଓ ନୃତ୍ୟ ମଧୁରମ୍ ଗ୍ରୁପ୍ ଏବଂ ଉଦଯାପନୀ ସଂଧ୍ୟାରେ ମୋନାଲିସା କୁମାର, ସ୍ବରାଜ ପରିଡ଼ା, ମ୍ୟୁଜିକ ସର୍କଲ ଏବଂ ନୃତ୍ୟ ଧାରାର କଳାକାର ମାନେ ଗ୍ରୁପ୍ ନୃତ୍ୟ ପରିବେଷଣ କରିଥିଲେ।ଅନୀଲ ମଲ୍ଲିକଙ୍କ ସଂଯୋଜନାରେ ସମସ୍ତ ଅନୁଷ୍ଠାନର କଳାକାର ମାନେ ଉଭୟ ଏକକ ଏବଂ ସାମୂହିକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଗୁରୁ ବିବେକାନନ୍ଦ ପଣ୍ଡା, ଗୁରୁ ବାବାଜୀ ଚରଣ ବିଶ୍ବାଳ, ବିଭୂତି ପତି, ଉମାକାନ୍ତ ବିଶୋଇ, ଜୟନ୍ତ ମହାପାତ୍ର ଓ ସନ୍ତୋଷ ମଲ୍ଲିକ ପ୍ରମୁଖ ସହାୟତା କରିଥିବା ବେଳେ ଶତାଧିକ ଦର୍ଶକ ଏହି ସମସ୍ତ କାର୍ଯ୍ୟ କର୍ମକୁ ଉପଭୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.