ଢେଙ୍କାନାଳ ବି.ବି ହାଇସ୍କୁଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ

0

ଢେଙ୍କାନାଳ/ ରବିନ୍ ଦାସ ; ଓଡ଼ିଶା ରାଜ୍ୟର 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ. ପାଣ୍ଡିୟାନ ଆଜି ଢେଙ୍କାନାଳ ପରିଦର୍ଶନରେ ଆସିଥିଲେ ।ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଅପୂର୍ବ ଆନନ୍ଦ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ସରୋଜ କୁମାର ସେଠୀ , ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ , ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ , ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ) , ଉପ ନଗରପାଳ ପ୍ରକାଶ କୁଅଁର ଜିଲ୍ଲାକ୍ରୀଡ଼ା ଅଧିକାରୀ ଜ୍ୟୋତି ପ୍ରସାଦ ପରିଡ଼ା , ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ , ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ , ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । କୋଭିଡ଼ -୧୯ ନିୟମ ସବୁକୁ ଅନୁପାଳନ କରି ବିଦ୍ୟାଳୟର ସମସ୍ତ 5T ରୂପାନ୍ତରଣ କାର୍ଯ୍ୟକ୍ରମ ଦେଖି ଆନନ୍ଦ ପ୍ରକାଶ କରିଛନ୍ତି । ବକ୍ତବ୍ୟରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟକୁ ଭଲ ପାଉଥିବା ସମସ୍ତଙ୍କର ସମ୍ମିଳିତ ଉଦ୍ୟମଦ୍ୱାରା ହିଁ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ ବୋଲି କହିଛନ୍ତି । ଛାତ୍ର ଛାତ୍ରୀ , ଶିକ୍ଷୟିତ୍ରୀ, ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ସହ ମତବିନିମୟ କରି କହିଛନ୍ତି ଯେ ବଦଳିଛି ବିଦ୍ୟାଳୟର ଚେହେରା । ଶିକ୍ଷାୟତନର ପରିସରରେ ଦେଖା ଦେବାରେ ଲାଗିଛି ରୂପାନ୍ତରଣର ଅପୁର୍ବ ଝଲକ । ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା । ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ କୌଣସି ଗୁଣରେ କମ୍ ରହିବନି ସରକାରୀ ହାଇସ୍କୁଲ କ୍ୟାମ୍ପସ୍ । ବିଦ୍ୟାଳୟର ପରିବେଶ ଏମିତି ସଜାଡ଼ି ହେବାରେ ଲାଗିଛି ଯେ ଛାତ୍ରଛାତ୍ରୀଙ୍କୁ ଏହା ଶିକ୍ଷା ନିମନ୍ତେ ଆକୃଷ୍ଟ କରୁଛି । ନିଶ୍ଚିତ ଭାବେ ଏହା ଦ୍ବାରା ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବେଶ୍ ମାତ୍ରାରେ ହ୍ରାସ ପାଇବ । କେବଳ ଶ୍ରେଣୀ ବହି ପଢ଼ା ନୁହେଁ, ପୋଥିଗତ ବିଦ୍ୟା ବାଦେ ଯୁଗପଯୋଗୀ ଜ୍ଞାନ ଆହରଣ ପାଇଁ ଉନ୍ନତ ଗ୍ରନ୍ଥାଗାର ସାଙ୍ଗକୁ ଡିଜିଟାଲ ଲାଇବ୍ରେରୀ ଓ ଲାଇବ୍ରେରୀ ଷ୍ଟକ ଗୃହ, ଡିଜିଟାଲ କ୍ଲାସ୍ ରୁମରେ ଶିକ୍ଷା ଗ୍ରହଣ କରିବା ସୁଯୋଗ ପାଇଛନ୍ତି ବିଦ୍ୟାର୍ଥୀ। ଏଥିସହ କ୍ରୀଡ଼ା, କମ୍ପ୍ୟୁଟର ଶିକ୍ଷା, ଉନ୍ନତମାନର ବୈଜ୍ଞାନିକ ପରୀକ୍ଷାଗାର (ସାଇନ୍ସ ଲ୍ୟାବ୍) , ବିଜ୍ଞାନ ଷ୍ଟୋର , ବିଜ୍ଞାନ ଗ୍ୟାଲେରୀ , ଅଟଳ ଟିଙ୍କରିଂ ଲ୍ୟାବ , ଆଇ.ସି.ଟି. ଲ୍ୟାବର ସୁବିଧା ସେମାନଙ୍କୁ ମିଳିପାରିଛି। ବିଶୁଦ୍ଧ ପାନୀୟ ଜଳ ହେଉ କିମ୍ବା ସ୍ଵଚ୍ଛ ଶୌଚାଳୟ , ଚକମକିଆ ଓ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଶିକ୍ଷଣୀୟ ବିଦ୍ୟାଳୟର ଶ୍ରେଣୀ କକ୍ଷରୁ ଆରମ୍ଭ କରି ସବୁଜ ବଗିଚା, ୱାଟର ଫାଉଣ୍ଟେନ, ବାଜିରାଉତ ପାର୍କ , ନ୍ୟୁଟ୍ରିସନ ବଗିଚା , ଔଷଧୀୟ ବଗିଚା , ମୁକ୍ତ ବନବିଦ୍ୟାଳୟର ପ୍ରାକୃତିକ ପରିବେଶ , ରଙ୍ଗୀନ ପାଚେରୀରେ ଝଲସୁଛି କ୍ୟାମ୍ପସ୍ ଓ ସମଗ୍ର ବିଦ୍ୟାଳୟ ପରିବେଶ ପାଲଟିଛି ଜ୍ଞାନର ଗନ୍ତାଘର । ଏଥିପାଇଁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କୁ କୌଣସି ଅତିରିକ୍ତ ବ୍ୟୟ ଦେବାକୁ ହୋଇନି । ସରକାର ନିଜସ୍ବ ଅନୁଦାନରେ ଶିକ୍ଷାନୁଷ୍ଠାନରେ ଆଣିଛନ୍ତି ଏଭଳି ଆଖିଦୃଶିଆ ପରିବର୍ତ୍ତନ ।
ଉଲ୍ଲେଖନୀୟ ଭାବେ ଏଥିରେ କେବଳ ସରକାର ଅଂଶୀଦାର ହୋଇ ନାହାନ୍ତି , ବରଂ ଗୋଷ୍ଠୀଗତ ଅଂଶଗ୍ରହଣ ଯଥା ସ୍କୁଲ ପରିଚାଳନା କମିଟି , ପୁରାତନ ଛାତ୍ରଛାତ୍ରୀ , ଅଭିଭାବକ, ଗ୍ରାମ ବା ସ୍ଥାନୀୟ ଉନ୍ନୟନ କମିଟି ଓ ଜନପ୍ରତିନିଧି ମଧ୍ୟ ବିକାଶର ଏହି ପ୍ରକ୍ରିୟାରେ ଭାଗିଦାରୀ ହୋଇଛନ୍ତି । ରାଜ୍ୟ- ଦେଶ ତଥା ଜାତିର ଭବିଷ୍ୟତକୁ ଏବେ ଠାରୁ ସ୍ମାର୍ଟ ବିଦ୍ୟାର୍ଥୀ ଭାବେ ଗଢ଼ି ତୋଳିବା ପାଇଁ ଏଭଳି କିଛି ପଦକ୍ଷେପ ରାଜ୍ୟ ସରକାର 5T ହାଇସ୍କୁଲ ଟ୍ରାନ୍ସଫର୍ମେସନ୍” ତଥା ‘’ମୋ ସ୍କୁଲ ଅଭିଯାନ” ଜରିଆରେ ଗ୍ରହଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଓଡ଼ିଶାର ହାଇସ୍କୁଲ ଶିକ୍ଷା କ୍ଷେତ୍ର ଚଳିତ ବର୍ଷ ଏଭଳି କିଛି ଐତିହାସିକ ରୂପାନ୍ତରଣର ସାକ୍ଷୀ ହୋଇଛି । ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ଏହାର ଏକ ଜ୍ୱଳନ୍ତ ଉଦାହରଣ ରୂପେ ଉଭା ହୋଇଛି । ବକ୍ତବ୍ୟ ସରିବା ପରେ ଏହି ବିଦ୍ୟାଳୟର ରୂପାନ୍ତରଣ ସବୁକୁ ବୁଲିଦେଖି ଓଡ଼ିଶା ରାଜ୍ୟର 5T ସଚିବ ଭି. କେ. ପାଣ୍ଡିୟାନ ଆଶ୍ଚର୍ଯ୍ୟ ଅଭିଭୂତ ହେବା ସହିତ ଗଭୀର ଆନନ୍ଦ ପ୍ରକାଶ କରିଥିଲେ । ସର୍ବପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ସମର ଶିକ୍ଷାର୍ଥୀ (ଜଳ, ସ୍ଥଳ, ଆକାଶ ଓ ବାଳିକା) ବାହିନୀ କ୍ୟାଡେଟ ପୁଷ୍ପଗୁଚ୍ଛ, ଫୁଲ ଓ ଚନ୍ଦନ ସହିତ 5T ସଚିବଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ । ପରେ ପଞ୍ଚସଖା ମୁକ୍ତ ବନବିଦ୍ୟାଳୟରେ ଡ଼ା. ରବୀନ୍ଦ୍ର କୁମାର ସାହୁ, ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ରଙ୍କ ମାର୍ଗଦର୍ଶନ ରେ ନୈତିକ ଶିକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ମାର୍ଟ୍ ଶ୍ରେଣୀ ଗୃହରେ ବରିଷ୍ଠ ବିଜ୍ଞାନ ଓ ଗଣିତ ଶିକ୍ଷକ ଡ଼ା ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ଇଣ୍ଟର ଆକ୍ଟିଭ୍ ପ୍ୟାନେଲ୍ ଓ ଆକର୍ଷଣୀୟ ସ୍ଥାନାଙ୍କ ଜ୍ୟାମିତି ଶିକ୍ଷାଦାନ । ଆଇ ସିଟି ଲ୍ୟାବ୍ ରେ ଶୁଭଶ୍ରୀ ଦେବସ୍ମିତା ରାଉତଙ୍କ ମାର୍ଗଦର୍ଶନରେ କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷାଦାନ । ଇ – ଲାଇବ୍ରେରୀ ରେ ସଂସ୍କୃତ ଶିକ୍ଷକ ଦିପ୍ତିଶ କୁମାର ଶତପଥୀଙ୍କ ବଳିଷ୍ଠ ମାର୍ଗଦର୍ଶନରେ କମ୍ପ୍ୟୁଟର ମାଧ୍ୟମରେ ବିଭିନ୍ନ ପ୍ରକାର ଇ – ପୁସ୍ତକ ମାଧ୍ୟମରେ ଆନନ୍ଦଦାୟକ ଶିକ୍ଷାଦାନ । ଏସବୁ ସମୀକ୍ଷା କରିବା ସହିତ ପ୍ରତ୍ୟେକ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ସହିତ ମତବିନିମୟକରି ଗଭୀର ଆନନ୍ଦ ପ୍ରକାଶ କରିଛନ୍ତି ଶ୍ରୀ ପାଣ୍ଡିୟାନ୍ । ପରିଶେଷରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ସାମୁହିକ ଫଟୋ ଉତ୍ତୋଳନ ସହିତ କରମର୍ଦ୍ଦନ କରି ବିଦ୍ୟାଳୟରୁ ବିଦାୟ ନେଇଥିଲେ ।

Leave A Reply

Your email address will not be published.