ଓଡ଼ିଶାର ଶିକ୍ଷାନୁଷ୍ଠାନ ମାନଙ୍କର ପ୍ରଦର୍ଶନର ହୋଇଥିବା ମୂଲ୍ୟାୟନ ବିରୋଧରେ ବିଜେଡ଼ିର ପ୍ରତିକ୍ରିୟା ଉପରେ ମତ ରଖିଲେ ପୂର୍ବତନ ଉଚ୍ଚ ଶିକ୍ଷାମନ୍ତ୍ରୀ ସମୀର ଦେ
କଟକ : ଜାତୀୟ ସ୍ତରରେ ଓଡ଼ିଶାର ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଦର୍ଶନର ହୋଇଥିବା ମୂଲ୍ୟାୟନ ବିରୋଧରେ ବିଜେଡ଼ିର ପ୍ରତିକ୍ରିୟା ଅତ୍ୟନ୍ତ ହାସ୍ୟାସ୍ପଦ । ବିଜେଡ଼ିର ସାଂସଦ ତଥା ଦଳର ମୁଖପାତ୍ର ସସ୍ମିତ ପାତ୍ର କେନ୍ଦ୍ର ସରକାରଙ୍କୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆକଳନରେ ଓଡ଼ିଶାର ଶିକ୍ଷାଜନିତ କାର୍ଯ୍ୟଦକ୍ଷତା ସୂଚକାଙ୍କ ହ୍ରାସ ଘଟିବା ନେଇ ଯେଉଁ ସବୁ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି ତାହା ରାଜ୍ୟ ସରକାରଙ୍କ ବିଫଳତାକୁ ଯେତେ ଲୁଚେଇବାକୁ ଚେଷ୍ଟା କଲେ ମଧ୍ୟ ସେଥି ରେ ସଫଳ ହୋଇ ପାରିନାହାନ୍ତି ବୋଲି ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଶ୍ରୀ ସମୀର ଦେ ମତବ୍ୟକ୍ତ କରିଛନ୍ତି |
ଶ୍ରୀ ଦେ କହିଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଥିବା ବିଦ୍ୟାଳୟ ଗୁଡିକର ପ୍ରଦର୍ଶନ ଓ ଗୁଣବତ୍ତାର ଅନୁଶୀଳନ ପାଇଁ କେନ୍ଦ୍ର ସରକାରଙ୍କ ଶଇକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଓ ସାକ୍ଷରତା ବିଭାଗ ପ୍ରଥମ କରି ୨୦୧୭-୧୮ମସିହା ପାଇଁ ପରଫରମାନ୍ସ ଗ୍ରେଡିଂ ଇନଡେକ୍ସ (ପିଜିଆଇ) ପ୍ରକାଶ କରିଥିଲେ । ତାହାପରେ ୨୦୨୦-୨୧ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଏହା ପ୍ରକାଶ ପାଇଥିଲା । ୨୦୨୦ ମସିହାରେ ନୂତନ ଜାତୀୟ ଶକ୍ଷାନୀତି ପ୍ରଣୟନ ହେବା ପରେ ପ୍ରଶାସନିକ ଦକ୍ଷତା ପରିବର୍ତ୍ତେ ବିଦ୍ୟାଳୟଗୁଡିକର ଗୁଣବତ୍ତା ଉପରେ ଅଧିକ ଗୁରୁତ୍ୱ ଦେଇ ପିଜିଆଇ ପ୍ରସ୍ତୁତ କରିବା ପାଇଁ ପିଜିଆଇ ୦୨ଲାଗୁ କରାଗଲା । ପିଜିଆଇ -୦୨ ଶିକ୍ଷାର ଗୁଣାତ୍ମକ ଦିଗ ସହିତ ବିଦ୍ୟାଳୟରେ ଶକ୍ଷାଦାନ ଡିଜିଟାଲ ଶିକ୍ଷା ଓ ପଲିସିକୁ ପ୍ରାଧାନ୍ୟ ଦେଲା । ପିଜିଆଇର ପୂର୍ବ ସଂସ୍କରଣରେ ଥିବା ବହୁଗୁଡିଏ ସୂଚକ ପିଜିଆଇର ନୂତନ ସଂସ୍କରଣରୁ ବାଦ ଦିଆଯାଇଛି । ମୋଟ ଉପରେ ଏହି ସୂଚକଗୁଡିକ ପ୍ରଶାସନ ପରିଚାଳନା ସମ୍ପର୍କିତ ଥିଲାବେଳେ ପିଜିଆଇ -୦୨ରେ ସ୍ଥାନ ପାଇଥିବାସୂଚକଗୁଡିକ ଗୁଣବତ୍ତା ଉପରେ ପର୍ଯ୍ୟବେସିତ । ତେଣୁ ପିଜିଆଇ-୦୨ର ଫଳାଫଳକୁ ପୂର୍ବ ପିଜିଆଇ ସଙ୍ଗେ ତୁଳନା କରାଯାଇପାରିବ ନାହିଁ । ବର୍ତ୍ତମାନ ପ୍ରକାଶ ପାଇଥିବା ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତାକୁ ଦର୍ଶାଉଅଛି । ଅତୀତରେ ପିଜିଆଇ ପ୍ରଶାସନିକ ସଫଳତା ଉପରେ ଅଧିକ ନିର୍ଭରଶୀଳ ଥିଲା ତେଣୁ ପ୍ରଶାସନିକ ସଫଳତା ଭିତ୍ତିରେ ଉଚ୍ଚସ୍ଥାନ ଅଧିକାର କରିଥିବା ଓଡ଼ିଶା ରାଜ୍ୟ ଗୁଣବତ୍ତା ହାସଲ କରିବାରେ ଅସଫଳ ହେବାରୁ ତାହାର ସ୍ଥାନ ନିମ୍ନଗାମୀ ହୋଇଛି । ଏହାକୁ ନବୁଝି ଅନ୍ୟଥା କେନ୍ଦ୍ର ସରକାରଙ୍କ ଦୋଷ ଦେବା ନିଜର ଅଜ୍ଞତା ବ୍ୟତୀତ ଆଉ କିଛି ନୁହେଁ ।
ଶ୍ରୀ ଦେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦୋଷ ଦେଉଛନ୍ତି ସେମାନେ ବୋଧହୁଏ ଜାଣିନାହାନ୍ତି ଯେ ରାଜ୍ୟସରକାରଙ୍କ ଦ୍ୱାରା ପ୍ରସ୍ତୁତ ((Unifiled District information for Education))ଓ ମଧ୍ୟାହ୍ନ ଭୋଜନ (Website) ସାଧାରଣ ଆର୍ଥିକ ଓ ପରିଚାଳନା ବ୍ୟବସ୍ଥା ଓ ଶଗୁନ ପୋର୍ଟାଲରେ ପଠାଇଥିବା ସୂଚନା ଭିତ୍ତିରେ ସମେତ ଏବଂ ଜାତୀୟ ଶିକ୍ଷା ଓ ଗବେଷଣା ପରିଷଦ ଦ୍ୱାରା ଜାତୀୟ ଉପଲବ୍ଧି ସର୍ବେକ୍ଷଣର National Achievement Survey ଫଳାଫଳକୁ ନେଇ ପିଜିଆଇ ପ୍ରସ୍ତୁତ କରାଯାଏ । ଏଥିରେ କେବଳ ଗଣନା କରିବା ବ୍ୟତୀତ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନଥାଏ । ଯେଉଁ ସୂଚନା ଭିତ୍ତିରେ ସୂଚ୍ୟାଙ୍କ ବା ବିଜିଆଇ ପ୍ରସତୁତ ହୁଏ ତାହା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ । ଜଣେ ଚାହିଁଲେ ପ୍ରତ୍ୟେକ ସୂଚକ ବିଷୟରେ ରାଜ୍ୟ ସରକାର ଦେଇଥିବା ସୂଚନା ଓ ତାହାର ମୂଲ୍ୟାୟନ ଯାଞ୍ଚ କରିପାରିବେ ଯେଉଁଥିରେ କୌଣସି ଗୋପନୀୟତା ନାହିଁ । ଶଗୁନ ପୋର୍ଟାଲରେ ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଯେଉଁ ନୂତନ ଉଦ୍ୟମମାନ ହୋଇଥାଏ ସେ ବିଷୟରେ ରାଜ୍ୟ ସରକାର ଜଣାଇଥାନ୍ତି ତେଣୁ ପିଲାମାନଙ୍କର ଶିକ୍ଷଣ ଫଳାଫଳ, ଶିକ୍ଷକମାନଙ୍କର ଶିକ୍ଷାଦାନ କ୍ଷେତ୍ରରେ ପାରଦର୍ଶିତା, ଉତ୍ତମ ଅଭ୍ୟାସ ପ୍ରବୃତ୍ତି ବିଷୟରେ ରାଜ୍ୟସରକାରମାନେ ଯେଉଁ ସୂଚନା ଦେଇଥାନ୍ତି ତାହାରି ଭିତରେ ସୂଚ୍ୟାଙ୍କ (Index) ତିଆରି ହୁଏ ।
ଯେଉଁମାନେ ପିଜିଆଇ କ’ଣ ବୁଝି ନାହାନ୍ତି ଏବଂ କେଉଁ ଭିତ୍ତିରେ ପ୍ରସ୍ତୁତ କରାଯାଏ ଜାଣିନାହାନ୍ତି ସେମାନେ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏପରି ଦାୟିତ୍ୱହୀନ ମନ୍ତବ୍ୟ ଦେଇଥାଆନ୍ତି । ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ କମିଥିବା କଥା ରାଜ୍ୟବାସୀ ଜାଣଇଛନ୍ତି ଓ ତାକୁ ଘୋଡ଼ାଇବା ପାଇଁ ଏହିଭଳି ମିଥ୍ୟାର ଆଶ୍ରୟ ନନେଇ ବିଦ୍ୟାଳୟ ଶିକ୍ଷାରମାନ କିପରି ବୃଦ୍ଧି ପାଇବ ସେ ବିଷୟରେ ସମାଲୋଚକମାନେ ଚିନ୍ତା କରନ୍ତୁ ଓ ଶସ୍ତା ବିବୃତ୍ତି ଦେବାରୁ କ୍ଷାନ୍ତ ହୁଅନ୍ତୁ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲର କାୟା ପରିବର୍ତ୍ତନ କରିଦେଲେ ଶିକ୍ଷାରମାନ ବଢିଯାଏନି । ଏବେ ମଧ୍ୟ ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି । ଶିକ୍ଷକଙ୍କ ବିନା ଶିକ୍ଷା ମାନବୃଦ୍ଧି ଅସମ୍ଭବ ବୋଲି ଶ୍ରୀ ଦେ କହିଛନ୍ତି |
କେବଳ ମୋ ସ୍କୁଲ ଅଭିଯାନ ଓ ୫ଟି ରୂପାନ୍ତିକରଣ କାର୍ଯ୍ୟକ୍ରମ ପାଇଁ ଆସ୍ଫାଳନ କରୁଥିବା ବ୍ୟକ୍ତି ମାନେ ବୁଝିବା ଦରକାର ଯେ, ଏହାଦ୍ୱାରା ଶିକ୍ଷାର ମାନବୃତ୍ତି ହେବ ନାହିଁ । ଭିତ୍ତିଭୂମି ବ୍ୟତୀତ ମେଧାବୀ ଶିକ୍ଷକ, ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ଉପଯୁକ୍ତ ପରିବେଶ, ଆଧୁନିକ ଶିକ୍ଷା ପାଠ୍ୟକ୍ରମର ଆଧୁନିକୀକରଣ ଇତ୍ୟାଦିର ଆବଶ୍ୟକତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଏହି କ୍ଷେତ୍ରରେ ଆମର ଦୁର୍ବଳତାକୁ ସ୍ୱୀକାର କରି ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ପରିବର୍ତ୍ତେ ମିଥ୍ୟାର ଆଶ୍ରୟ ନେଇ ନିଜର ଅପାରଗତାକୁ ଘୋଡ଼ାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା କେତେ ଦୂର ଯୁକ୍ତିଯୁକ୍ତ ତାହା ରାଜ୍ୟବାସୀ ବିଚାର କରିବେ ବୋଲି ଶ୍ରୀ ଦେ ପ୍ରଶ୍ନ କରିଛନ୍ତି |