ପ୍ରତି ସୋମବାର ହେବ ବ୍ଲକ୍‌ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

15


ଓଡ଼ଗାଁ, ୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ବ୍ଲକ୍‌ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଓଡ଼ଗାଁ ବ୍ଲକ୍ ମିଶନ ଶକ୍ତି ଗୃହରେ ବିଡିଓ ପ୍ରୀତିବାଳା ରଣା ଓ ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଶିବିରରେ ଅତିରିକ୍ତ ତହସିଲଦାର ପବିତ୍ର କୁମାର ସେଠୀ, ଓଡ଼ଗାଁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଅତିରିକ୍ତ ବିଡିଓ କବିତା କୁମାରୀ ପ୍ରଧାନ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ୱିନୀ ପ୍ରଧାନ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶ ଚନ୍ଦ୍ର ପଣ୍ଡିତ, ଅତିରିକ୍ତ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର କରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ପ୍ରଥମ ଦିନର ଶିବିରରେ ଅଭିଯୋଗକାରୀଙ୍କ ସଂଖ୍ୟା ପ୍ରଚାର ପ୍ରସାର ଅଭାବରୁ କମ୍ ରହିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଭିନ୍ନ ଭତ୍ତା ସମ୍ବନ୍ଧୀୟ ମୋଟ ୧୨ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ସୂଚନାଯୋଗ୍ୟ, ଏଣିକି ଛୁଟିଦିନ ବ୍ୟତୀତ ପ୍ରତ୍ୟେକ ସୋମବାର ସମସ୍ତ ବ୍ଲକ୍‌ରେ ବିଡିଓ, ତହସିଲଦାରଙ୍କ ସମେତ ବ୍ଲକ୍‌ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଏହାଦ୍ୱାରା ଅଧିକରୁ ଅଧିକ ଅଭିଯୋଗର ଶୁଣାଣି ସହ ବ୍ଲକ୍‌ସ୍ତରରେ ବହୁ ଅଭିଯୋଗର ସମାଧାନ ସମ୍ଭବ ସମ୍ଭବପର ହେବ। ଫଳରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଗୁଡ଼ିକର ସମାଧାନ ଅଧିକ ସହଜ ସରଳ ହୋଇପାରିବ ବୋଲି ମତପ୍ରକାଶ ପାଇଛି।

Leave A Reply

Your email address will not be published.