ରେଳ ବିଭାଗର ବୈମାତୃକ ମନୋଭାବ ପ୍ରତିବାଦରେ ଆନ୍ଦୋଳନ ଡାକରା

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ବାରମ୍ବାର ଦାବି ଏବଂ ଅଭିଯୋଗ ପରେ ମଧ୍ୟ ନୟାଗଡ଼ ଟାଉନ ରେଳ ସେବାରେ ଆବଶ୍ୟକ ଅନୁଯାୟୀ ସୁଧାର ଆସି ପାରିଲା ନାହିଁ। ବରଂ ଦିନକୁ ଦିନ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ମନମାନି ଏବଂ ହେୟ ଜ୍ଞାନ ଯୋଗୁଁ ରେଳଷ୍ଟେସନ ରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୟାଗଡ଼ ଟାଉନରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ ବାରମ୍ବାର ଅଚଳ,ଇଞ୍ଜିନ ଖରାପ ଯୋଗୁଁ ଯାତ୍ରୀଙ୍କ ଚଳାଚଳରେ ସାଙ୍ଘାତିକ ସମସ୍ୟା,ସମାୟାନୁବର୍ତ୍ତିତା ପ୍ରତି ବେଖାତିର, ଅପେକ୍ଷାରତ ଯାତ୍ରୀଙ୍କ ପାଇଁ ସେଡର ସମ୍ପ୍ରସାରଣ,ଥଣ୍ଡା ପାନୀୟ ଜଳର ସୁବିଧା,ଆପରୋଚ ରୋଡ଼ର ଦୟନୀୟ ଅବସ୍ଥା ଇତ୍ୟାଦି ଏଭଳି ବିଭିନ୍ନ ଦାବି ପ୍ରତି ଖୋର୍ଦ୍ଧା ରୋଡ଼ ଡିଭିଜନାଲ ମ୍ୟାନେଜରଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ ନିରବ। ରେଳ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଚଳିତ ମାସ ୧୬ତାରିଖ ରବିବାର ଦିନ ସକାଳ ୭ଟା ସମୟରେ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। ନିଷ୍ପତ୍ତି ସମ୍ପର୍କରେ ଆଜି ନୟାଗଡ଼ ଟାଉନ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ଏକ ଦାବିପତ୍ର ଖୋର୍ଦ୍ଧା ଡିଭିଜନାଲ ମ୍ୟାନେଜର,ଖୋର୍ଦ୍ଧା ରୋଡ଼ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

Leave A Reply

Your email address will not be published.