ଭୁବନ ପୋଲିସର ନିଷ୍କ୍ରିୟତା ଯୋଗୁଁ ବୃଦ୍ଧି ପାଇବାରେ ଲାଗିଛି ଚୋରି

0

ଦୁଇ ଚୋରଙ୍କୁ କାବୁ କରି ଥାନାରେ ଦେଲେ ଲୋକେ

ଢେଙ୍କାନାଳ/ ରବିନ୍ ଦାସ ; ଭୁବନ ଥାନା ଅନ୍ତର୍ଗତ ପ୍ରତ୍ୟେକ ଅଞ୍ଚଳରେ ଦୈନିକ ବହୁ ଚୋରି ହେଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଏନେଇ ଭୁବନ ଥାନାଧିକାରୀଙ୍କ ଅବଗତି ନିମନ୍ତେ ଗଣମାଧ୍ୟମ ଓ ସିଧାସଳଖ ଥାନାରେ ମଧ୍ୟ ବହୁ ଅଭିଯୋଗ ହୋଇଆସୁଛି । ହେଲେ ଚୋରି ରୋକିବାକୁ ଅଦ୍ୟାବଧି ସେମିତି କୋୖଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନଥିବା ସମସ୍ତଙ୍କୁ ସ୍ତମ୍ଭିଭୂତ କରିଛି । ଏତେସବୁ ପରେ ମଧ୍ୟ ପୋଲିସ ପକ୍ଷରୁ ସଠିକ୍ ଢଙ୍ଗରେ ପାଟ୍ରୋଲିଂ ବ୍ୟବସ୍ଥାର ସୁପରିଚାଳନା କରାଯାଉନାହିଁ । ଏଭଳି ଅବ୍ୟବସ୍ଥା ଯୋଗୁଁ ପ୍ରତ୍ୟେକ ଅଞ୍ଚଳରେ ଚୋରି ଲୁଟପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଠିକ୍ ସେହିପରି ଗତକାଲି ରାତିରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୩ ନଂ ଓ୍ବାଡ୍ ବନ୍ଦାଳରୁ ଟ୍ରକ୍ ଓ ଟ୍ରାକ୍ଟର ବ୍ୟାଟେରୀ ଚୋରି ହୋଇଛି । ସକାଳୁ ଉଠି ଗାଡ଼ି ମାଲିକମାନେ ଦେଖନ୍ତି ତ ଗାଡ଼ିରୁ ବ୍ୟାଟେରୀ ଚୋରି ହୋଇଛି । ସମସ୍ତ ମାଲିକମାନେ ସାହି ବାସିନ୍ଦାଙ୍କୁ ଧରି ପ୍ରତ୍ୟେକ ଘର ଛାନଭିନ କରିଥିଲେ ପରେ ସ୍ଥାନୀୟ ବାସିନ୍ଦା ଛାୟା ଦଳେଇଙ୍କ ଘରୁ ଗୋଟିଏ ବ୍ୟାଟେରୀ ମିଳିଥିଲା । ପଚାରିବାରୁ ଶ୍ରୀ ଦଳେଇ କହିଲେ ମାନସ ମଲ୍ଲିକ ଓ କପିଳା ମଲ୍ଲିକ ମୋତେ ଏ ବ୍ୟାଟେରୀ ବିକିଛନ୍ତି । ପରେ ସମସ୍ତେ ମିଶି ସେ ଦୁଇ ଚୋରଙ୍କୁ କାବୁ କରି ପୋଲିସକୁ ସଙ୍ଗେ ସଙ୍ଗେ ଖବର ଦେଲେ । ହେଲେ ବିଡ଼ମ୍ବନାର ବିଷୟ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା । ଶେଷରେ ଲୋକେ ବିରକ୍ତ ହୋଇ ଉକ୍ତ ଚୋର ଦୁଇଜଣଙ୍କୁ ବ୍ୟାଟେରୀ ମୁଣ୍ଡାଇ ଚଲାଇ ଚଲାଇ ଥାନାକୁ ନେଇଥିଲେ । ଚୋର ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ଭୁବନ ପୋଲିସ । ଏଣେ ଥାନା ମାତ୍ର ଦୁଇ କିଲୋମିଟର ଦୂରରେ ଚୋରଙ୍କୁ କାବୁ କରାଯାଇ ଖବର ଦିଆଯାଉଛି ହେଲେ ପୋଲିସ ପହଞ୍ଚୁନି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏଭଳି ଅବ୍ୟବସ୍ଥା ପାଇଁ ଭୁବନ ଥାନାଧିକାରୀ ସମ୍ପୁର୍ଣ୍ଣ ଭାବେ ଦାୟୀ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ରଖିଛନ୍ତି । ଅଞ୍ଚଳର ଥାନାଧିକାରୀ ଭାବେ ନିଜର ଦାୟିତ୍ଵ ସଠିକ୍ ରୂପେ ନିର୍ବାହ କରୁନଥିବା ସାଧାରଣରେ ଅଭିଯୋଗ ହେଉଛି । ଦୈନିକ ଏଭଳି ଚୋରିକୁ ନେଇ ଭୁବନ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ହେଲେ ସ୍ଥାନୀୟ ପ୍ରଶାସନର ନିଦ ଭାଙ୍ଗୁନି ।

Leave A Reply

Your email address will not be published.