ସୁରୁଖୁରୁରେ ସମ୍ପନ୍ନ ହେଲା ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷକ ମାନଙ୍କ ପଦୋନ୍ନତି ପ୍ରକ୍ରିୟା ଆଜି ସୁରୁଖୁରୁରେ ସମ୍ପାଦିତ ହୋଇଛି। ଜିଲ୍ଲା ପରିଷଦ ସୃଜନ ସଭା ଗୃହରେ ଅନୁଷ୍ଠିତ ପଦୋନ୍ନତି ପ୍ରକ୍ରିୟା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ, ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ୮ଟି ବ୍ଲକର ଶିକ୍ଷାଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପଦୋନ୍ନତି ପ୍ରକ୍ରିୟା କାଉନସେଲିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଭିନ୍ନକ୍ଷମଙ୍କୁ କାଉନସେଲିଂ ସୁଯୋଗ ପ୍ରଦାନ କରାଯାଇ ପରେ ବରିଷ୍ଠତା ଭିତ୍ତିରେ କାଉନସେଲିଂର ସୁଯୋଗ ଦିଆଯାଇଥିଲା। ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ କାର୍ଯ୍ୟରତ ସ୍ନାତକ ଡିଗ୍ରୀ ପ୍ରାପ୍ତ ଲେବୁଲ-୪ ଶିକ୍ଷକ ମାନେ ଲେବୁଲ-୩ ପ୍ରଧାନଶିକ୍ଷକ ପଦବୀକୁ ପଦୋନ୍ନତି ପାଇଛନ୍ତି। ସୂଚନା ଅନୁସାରେ ନୟାଗଡ଼ ବ୍ଲକରୁ ୩୫ ଜଣ ଶିକ୍ଷକ ଲେବୁଲ-୩ ପ୍ରଧାନ ଶିକ୍ଷକ ପଦବୀକୁ ପଦୋନ୍ନତି ପାଇଥିବା ବେଳେ ଓଡ଼ଗାଁରୁ ୩୪,ନୂଆଗାଁରୁ ୨୬,ଖଣ୍ଡପଡାରୁ ୧୯,ରଣପୁରରୁ ୩୪,ଭାପୁର ରୁ ୨୮,ଗଣିଆରୁ ୧୪ ଏବଂ ଦଶପଲ୍ଲାରୁ ୧୫ ଜଣ ଏହିପରି ମୋଟ ୨୦୫ ଜଣ ଶିକ୍ଷକ ପ୍ରଧାନଶିକ୍ଷକ ପଦବୀକୁ ପ୍ରମୋସନ ପାଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ୩୦ ତାରିଖରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପଦୋନ୍ନତି କମିଟି ବସି ପଦୋନ୍ନତି ତାଲିକା ନିର୍ଦ୍ଧାରଣ କରିଥିବା ବେଳେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ଚିଠି ନଂ- ୧୨୭୨୬ ତା ୩୧.୦୫.୨୦୨୩ରେ ପଦୋନ୍ନତି ତାଲିକାକୁ ବିଧିବଦ୍ଧ ଭାବେ ଅନୁମୋଦନ କରିଥିଲେ। ପଦୋନ୍ନତି ପାଇଥିବା ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.