ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା-ଆନ୍ଧ୍ର ସୀମାନ୍ତ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପ ଠାରେ ରବିବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାରମ୍ପରିକ ରୀତିନୀତି ପ୍ରକାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନା ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ରବିବାର ଦିନ ସକାଳ ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ହୋଇ ସେନାପଟା ଲାଗି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପରେ ଠାକୁର ମାନଙ୍କ ପୂଜାର୍ଚ୍ଚନା ହୋଇ ଶ୍ରୀ ମନ୍ଦିରରୁ ସ୍ନାନ ମଣ୍ଡପକୁ ଚତୁର୍ଦ୍ଧା ମୂର୍ତ୍ତି ଧାଡି ପହଣ୍ଡିରେ ବିଜେ ହେବା ପରେ ବଡ଼ ଠାକୁରଙ୍କ ଦକ୍ଷିଣ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସ୍ନାନ ମଣ୍ଡପରେ ଠାକୁର ମାନଙ୍କ ପୂଜାର୍ଚ୍ଚନା କରାଯିବା ପରେ ମାଟି କଳସିରେ ସୁବାସିତ ଚନ୍ଦନ ଜଳ ଦ୍ୱାରା ଠାକୁର ମାନଙ୍କୁ ସ୍ନାନ କରାଯିବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପଇଡ଼ ଜଳରେ ସ୍ନାନ କରି ଚନ୍ଦନ ଲେପନ କରାଯାଇଥିଲା। ପରେ ମହାପ୍ରଭୁଙ୍କୁ ହାତୀ ତଥା ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା।
ଶ୍ରୀମନ୍ଦିରର ସମସ୍ତ ସେବାୟତ ମାନଙ୍କ ଦ୍ୱାରା ଏହି ଦେବସ୍ନାନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।
ବର୍ଷକେ ମାତ୍ର ଥରେ ଏହି ଦିନର ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ବଡ ଠାକୁର ତଥା ଶ୍ରୀ ଜଗନ୍ନାଥ ମହାପ୍ରଭୁ , ଭାଇ-ଭଉଣୀଙ୍କ ସହିତ ଜଳସ୍ନାନ କରୁଥିବା ଯୋଗୁଁ ଏହି ପବିତ୍ର ଆଧ୍ୟତ୍ମିକ ପରିବେଶ ମୟ ମହାପ୍ରଭୁଙ୍କ ପ୍ରଥମ ସ୍ନାନ-ଲୀଳା କାର୍ଯ୍ୟକ୍ରମ ଦର୍ଶନ କରିବା ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଜାତି ଓ ବର୍ଣ୍ଣ ନିର୍ବିଶେଷରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସମାଗମ ପରିଲକ୍ଷିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.