ବାରିପଦା କ୍ରୀଡ଼ା ଛାତ୍ରାବାସରୁ ରାଇସେନ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳୀ 

0

୧୮ ବର୍ଷରୁ କମ୍ ଏସିୟ ବିଦ୍ୟାଳୟସ୍ତରୀୟ ଫୁଟବଲ ପ୍ରତିଯୋଗିତା

ବାରିପଦା(ଦିଲ୍ଲୀପ ମହାନ୍ତି )– ଚଳିତ ସେପ୍ଟେମ୍ବର ୨୦ରୁ ୩୦ ପର୍ଯ୍ୟନ୍ତ ଭାରତର ଆଗ୍ରାଠାରେ ଆରମ୍ଭ ହୋଇଥିବା ୪୬ତମ ଏସୀୟ ୧୮ ବର୍ଷରୁ କମ୍ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶାରୁ ଏକମାତ୍ର ଓଡ଼ିଆ ଖେଳାଳୀ ଭାବେ ବାରିପଦା  କ୍ରୀଡ଼ାଛାତ୍ରାବାସର ଅନ୍ତେବାସୀ ରାଇସେନ ଟୁଡ଼ୁ ମନୋନୀତ ହୋଇଛନ୍ତି । ଉକ୍ତ ପ୍ରତିଯୋଗିତାରେ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିବା ନିମନ୍ତେ ଗତ ଅଗଷ୍ଟ ୨୦ରେ ଉତ୍ତରାଞ୍ଚଳ ରାଜ୍ୟ ରୁଦ୍ରପୁର ଜିଲ୍ଲା ଆମେଠୀ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଚୟନ ଓ ତାଲିମ ଶିବିରରେ ଯୋଗ ଦେଇ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛନ୍ତି । ସୂଚନାଯୋଗ୍ୟଯେ, ଶ୍ରୀଟୁଡ଼ୁ ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅଧୀନରେ ଥିବା ବଡ଼ନାରିଣି ଗ୍ରାମର ରଘୁନାଥ ଟୁଡ଼ୁ ଓ ବାଙ୍ଗି ଟୁଡ଼ୁଙ୍କ ପୁତ୍ର ଅଟନ୍ତି । ବାଲ୍ୟକାଳରୁ ଫୁଟବଳ ଖେଳର ନିଶା ତାଙ୍କୁ ପ୍ରଥମେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଚୟନ ପ୍ରକ୍ରିୟାରେ ସାମିଲ କରାଇ ବାରିପଦା କ୍ରୀଡ଼ାଛାତ୍ରାବାସରେ ଯୋଗ ଦେବାର ସୁଯୋଗ ଦେଇଥିଲା । କ୍ରୀଡ଼ାଛାତ୍ରାବାସରେ  ପ୍ରଶିକ୍ଷକ ଅବନୀ ମୋହନ ମହାନ୍ତିଙ୍କ ପ୍ରଶିକ୍ଷଣରେ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କ ନଜରକୁ ଆସିପାରିଥିଲେ । ଶ୍ରୀଟୁଡ଼ୁ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳୀ ଭାବେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବାରୁ  ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇବା ସଂଗେସଂଗେ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । 

 

Leave A Reply

Your email address will not be published.