ନିଶାକର ଦାସଙ୍କ ଦେହାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଶୋକ

0 3

ଭୁବନେଶ୍ୱର-ନିଶାକର ଦାସଙ୍କ ଦେହାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଗଭୀର ଶୋକ ପ୍ରକାଶ କରିଛନ୍ତି । ନିଶାକର ଦାସ ଯାଜପୁର ଜିଲ୍ଲାର ସିଂହପୁର ଗ୍ରାମରେ ଏକ ବୈଷ୍ଣବ ପରିବାରରେ ଜନ୍ମ ହୋଇଥିଲେ । ଛୋଟ ବେଳୁ ଦାରିଦ୍ର୍ୟ , ଅସ୍ପୃଶ୍ୟତା, ସାମାଜିକ ଘୃଣା ସତ୍ତ୍ୱେ ସେ ପ୍ରଥମେ ପାଲା ଓ ଯାତ୍ରା ଦଳରେ କାମ କଲେ, ପରେ ମା’ ରମାଦେବୀ, ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ, ମନମୋହନ ଚୌଧୁରୀ ଆଦିଙ୍କ ସଂସ୍ପର୍ଶରେ ଆସି ଗାନ୍ଧୀ – ସର୍ବୋଦୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୪୨ ମସିହାରେ ଯାଜପୁର କଚେରୀ ଘେରାଉ କାର‌୍ୟ୍ୟରେ ସାମିଲ ହୋଇ ଦେଶ ପ୍ରତି ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ଖଦୀ, ସୂତାକଟା, ଲୁଗାବୁଣା, ଆଶ୍ରମ ପ୍ରାର୍ଥନା ଆଦି କାମରେ ପାରଙ୍ଗମ ହୋଇ ପାରିଥିଲେ । ବିନୋବା ଭାବେ ଭୁଦାନ ସଂଗ୍ରହ ପାଇଁ ୧୯୫୫ ମସିହାରେ ପଦଯାତ୍ରାରେ ଓଡିଶା ଆସିବା ବେଳେ ସେ ବାଲେଶ୍ଵରର ଲକ୍ଷ୍ମଣନାଥ ଠାରୁ ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିବା ଯାଏ ତାଙ୍କ ସହ ସହଯାତ୍ରୀ ଥିଲେ । ବିନୋବାଜୀଙ୍କ ପଦଯାତ୍ରାରେ ଆଗରେ ଲଣ୍ଠଣ ଧରି ଚାଲିବା, ସଭାରେ ସର୍ବଧର୍ମ ପ୍ରାର୍ଥନା ଗାଇବା ତଥା ଅଲସର ପୀଡିତ ବିନୋବାଙ୍କ ପାଇଁ କ୍ଷୀରରୁ ଲହୁଣୀ ବାହାର କରିବା ତାଙ୍କର ଦୈନନ୍ଦିନ କାର‌୍ୟ୍ୟ ଥିଲା । ଗ୍ରାମଦାନ ଆନ୍ଦୋଳନ ଆରମ୍ଭ ହେବାରେ ସେ ଯାଜପୁର ଛାଡି କୋରାପୁଟ ଯାଇ ନନ୍ଦପୁର ବ୍ଲକର କୁଲାବୀର ଗ୍ରାମରେ ଆଶ୍ରମ ନିର୍ମାଣ କରି ଗାଁ ଗାଁରେ ଗ୍ରାମ ସଭା, ଗ୍ରାମ ପାଣ୍ଠି ଗଢିବା ସହ ଜମି ଉପରେ ବ୍ୟକ୍ତି ମାଲିକାନା ସମାପ୍ତ କରି ଗ୍ରାମସଭାର ସାମୁହିକ ମାଲିକାନାର ବ୍ୟବସ୍ଥା କରାଇଥିଲେ । ଏହି ଆନ୍ଦୋଳନ କାଳରେ ଅବିଭକ୍ତ କୋରାପୁଟ ଜିଲ୍ଲାର ପଚସ୍ତରୀ ଭାଗ ଗ୍ରାମରେ ଗ୍ରାମଦାନ ଘୋଷଣା ହୋଇପାରିଥିଲା। ସରଳା ଦେବୀ, ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ପଣ୍ଡିତ କୃପାସିନ୍ଧୁ ହୋତା, ଗୁଣନିଧି ମହାନ୍ତି, ବିଶ୍ଵନାଥ ପଟ୍ଟନାୟକ, ଈଶ୍ଵରଲାଲ ବ୍ୟାସ, ଅନ୍ନପୂର୍ଣ୍ଣା ମହାରଣା ଆଦି ସର୍ବୋଦୟ ଆନ୍ଦୋଳନର ବିଶିଷ୍ଟ ବ୍ୟକ୍ତିମାନଙ୍କର ସେ ଘନିଷ୍ଠ ସହଯୋଗୀ ଅଟନ୍ତି । ଆଚାର‌୍ୟ୍ୟ ହରିହର ଦାସ ଜୀବନର ଶେଷ ଅବସ୍ଥାରେ ଓଡିଶବ୍ୟାପୀ ଯେଉଁ ପଦଯାତ୍ରା କରିଥିଲେ, ସେଥିରେ ନିଶାକର ଦାସ ତାଙ୍କର ସହଯାତ୍ରୀ ରହିଥିଲେ । ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନଠାରୁ ବର୍ତ୍ତମାନର ନବ୍ୟ ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନ ଯାଏ ସମସ୍ତ ଆନ୍ଦୋଳନରେ ସେ ଆଗରେ ରହିଥାନ୍ତି । ଆଜି ବି ସେ ଚଉରାନବେ ବର୍ଷ ବୟସରେ ସ୍ଵରାଜ୍ୟ ସଙ୍ଗୀତ ଗାନ କରିବା ସହ ଗାଁଗାଁରେ କୋରାପୁଟ ଜିଲ୍ଲାରେ ଗ୍ରାମ ସ୍ଵରାଜ୍ୟର ବାର୍ତ୍ତା ପ୍ରଚାର କାମରେ ଲାଗିରହିଛନ୍ତି । ଗତ ଗାନ୍ଧୀ:୧୫୦ ବର୍ଷରେ ରାଜ୍ୟବ୍ୟାପୀ ଶାନ୍ତି ସଂହତି ସଦଭାବନା ଯାତ୍ରାର ସେ ନେତୃତ୍ଵ ନେଇଥିଲେ । ତାଙ୍କ ଆତ୍ମଜୀବନୀ ଖରସୁଆଁରୁ କୁଲାବୀର ଉତ୍କଳ ସାହିତ୍ୟ ସମାଜ ସମ୍ମାନରେ ସମ୍ମାନିତ ହୋଇଛି । ଏହି ଆତ୍ମଜୀବନୀ ଇଂରାଜୀ ଭାଷାରେ ମଧ୍ୟ ଅନୁଦିତ ହୋଇଅଛି । ତାଙ୍କର ବିୟୋଗ ସମାଜ ପାଇଁ ଏକ ଅପୁରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦ୍ ଗତି ପାଇଁ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା ବୋଲି ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଶୋକ ବାର୍ତାରେ କହିଛନ୍ତି ।

Leave A Reply

Your email address will not be published.