ଏକାଧିକ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

0

ନୟାଗଡ଼,୨୫/୪: ନୟାଗଡ଼ ସଦର ଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ କଞ୍ଚନବିଲି ଗ୍ରାମରେ ଗୋଟିଏ ରାତିରେ ଏକାଧିକ ଘରୁ ସିନ୍ଧିଚୋରି ହୋଇଥିବା ପୋଲିସରେ ଅଭିଯୋଗ ହୋଇଛି। ଆନୁମାନିକ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ଜଣାପଡିଛି। ରଘୁନାଥ ଦାସଙ୍କ ଘରୁ ମାଳି,ସୁନାମୁଦି, ପାଉଁଜି ଆଦି ଲକ୍ଷାଧିକ ଟଙ୍କାର ସୁନା ରୂପା ଗହଣା ସହ ନଗଦ ୯ ହଜାର ୫ଶହ ଟଙ୍କା ଚୋରି ହୋଇଥିବା ବେଳେ ତାଙ୍କର ଟ୍ରଙ୍କ ଓ ଦରକାରୀ କାଗଜପତ୍ର ଗହୀର ମଝିରେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ସେହି ଗ୍ରାମର ମାଗୁଣୀ ଦାସଙ୍କ ଘରୁ କାନ ସୁନା ପେଣ୍ଡିଫୂଲ ଓ ୧ହଜାର ଟଙ୍କା, ମଲ୍ଲି ସାହୁଙ୍କ ଘରୁ କାନର ସୁନାଫୁଲ, କଂସା,ଥାଳି,ବେଲା ଓ ମର୍ଯ୍ୟାଦା ଦେବାକୁ ଆଣି ଘରେ ରଖିଥିବା ୨୦ଖଣ୍ଡ ଶାଢ଼ୀ,୧୦ ହଳ ଲୁଙ୍ଗି ଗାମୁଛା ଓ ୧୨ଶହ ଟଙ୍କା ଚୋରି ହୋଇଥିଲା ବେଳେ ଯୋଗି ସାମଲ,ତିଳ ବେହେରା ଓ ସୁମିତ୍ରା ବେହେରାଙ୍କ ଘର କବାଟ ଭାଙ୍ଗି ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏମାନେ ସମସ୍ତେ ଗରୀବ ଶ୍ରେଣୀର ଲୋକ ହୋଇଥିବା ବେଳେ ଚୋରି ଜିନିଷ ଉଦ୍ଧାର କରିବା ପାଇଁ ପୋଲିସ ନିକଟରେ ସେମାନେ ଆକୁଳ ନିବେଦନ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Leave A Reply

Your email address will not be published.