କେନ୍ଦ୍ରୀୟ କୃଷି ରାଷ୍ଟ୍ରମନ୍ତ୍ରୀ ଆସିବା ଏକ ଫାର୍ସ ଓ ରାଜନୈତିକ ପରିହାସ : ପ୍ରତାପ ଦେବ

0

ଭୁବନେଶ୍ୱରରୁ ଚକ୍ରଧର ମାଝି: ଭାରତୀୟ ଜନତା ପାର୍ଟିର ଅନୁଧ୍ୟାନକାରୀ ଦଳ ଆସିବା, ଓଡ଼ିଶା ଚାଷୀଙ୍କ ସମସ୍ୟା ବୁଝିବା ସଙ୍ଗେ ସଙ୍ଗେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ଏବଂ ଠିକ୍‍ ତା’ପରେ କେନ୍ଦ୍ରୀୟ କୃଷି ରାଷ୍ଟ୍ରମନ୍ତ୍ରୀ ଆସିବା ଏକ ଫାର୍ସ ଓ ରାଜନୈତିକ ପରିହାସ ମାତ୍ର ବୋଲି କହିଛନ୍ତି ବିଜେଡି ସଂସଦ ତଥା ମୁଖପାତ୍ର ପ୍ରତାପ ଦେବ ।
ଶ୍ରୀ ଦେବ କହିଛନ୍ତି ଯେ, ଅତୀତରେ ଆମେ ଦେଖିଛୁ ଯେ ଶିଶୁ ମୃତୁ୍ୟ ଘଟଣା ହେଉ, ନଗଡ଼ା ଘଟଣା ହେଉ, ମାଲକାନଗିରିର ଜାପାନୀ ଏନ୍‍ସେଫାଲାଇଟିସ୍‍ ବା ବରଗଡ଼ର ଚାଷୀଙ୍କ ସମସ୍ୟା ହେଉ, ଏଭଳି ଯେତେକ ସମସ୍ୟା ଦେଖାଯାଏ ତୁରନ୍ତ ଭାରତୀୟ ଜନତା ପାର୍ଟିର ଏକ ଦଳ ସହ ଜଣେ କେନ୍ଦ୍ରମନ୍ତ୍ରୀ ଆସନ୍ତି ଓ ଅନୁଧ୍ୟାନ କରି ସରକାରଙ୍କୁ ଦୋଷାରୋପ କରନ୍ତି । କେନ୍ଦ୍ର ଅର୍ଥ ଖର୍ଚ୍ଚ ହୋଇପାରୁନି ବୋଲି ଟିପ୍ପଣୀ ଦିଅନ୍ତି ଏବଂ ଗଣମାଧ୍ୟମରେ ରାଜନୈତିକ ଉଷ୍ମତା ସୃଷ୍ଟି କରନ୍ତି ।
ଏହା ମଧ୍ୟ ଦେଖାଯାଏ ଯେ କୌଣସି ଗୋଟିଏ ଘଟଣା ଘଟିଲେ ଧାରାବାହିକ ଭାବରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟିପ୍ପଣୀ ଦିଅନ୍ତି ଏବଂ ତା’ପରେ ସଂପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କୁ ଗୋଟିଏ ଚିଠି ଲେଖନ୍ତି । ଯାହାକୁ ଗଣମାଧ୍ୟମରେ ପ୍ରସାରିତ କରି ଏକ ରାଜନୈତିକ ବିତର୍କ ସୃଷ୍ଟି କରାଯାଏ । ବିଗତ ସାଢେ ୩ବର୍ଷରେ ଆମେ ଦେଖିଲୁଣି ଏହା ଏକ ଚିରାଚରିତ ନାଟକରେ ପରିଣତ ହୋଇଗଲାଣି । ଏହାକୁ ଆମେ ଭାରତୀୟ ଜନତା ପାର୍ଟି ଗଣନାଟ୍ୟର ଆଖ୍ୟା ଦେଉଛୁ । ଏଥର ମଧ୍ୟ ସେଇଆ ଘଟିବ ।
ବିଗତ ସାଢେ ୩ବର୍ଷ ହେବ ଓଡ଼ିଶାର ଜନସାଧାରଣ ଏହି ନାଟକ ଦେଖୁଛନ୍ତି ଓ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । କାରଣ ଚାଷ ଜନିତ ଚାଷୀ ମୃତୁ୍ୟ ସମସ୍ୟା କେବଳ କ’ଣ ଓଡ଼ିଶାରେ ଘଟୁଛି?
ବିଜେପିର ଅନୁଧ୍ୟାନକାରୀ ଦଳ ଓ ମାନ୍ୟବର କେନ୍ଦ୍ରୀୟ କୃଷି ରାଷ୍ଟ୍ରମନ୍ତ୍ରୀ ଏଭଳି ଦେଶର କେତୋଟି ରାଜ୍ୟ ଗସ୍ତ କଲେଣି? ନା ଓଡ଼ିଶା ପ୍ରଥମ ରାଜ୍ୟ?
ଚାଷ ଓ ଚାଷୀର ସମସ୍ୟା କ’ଣ କେବଳ ଓଡ଼ିଶାରେ ଅଛି?  ଏହା ଭାରତ ବର୍ଷର ଅଧିକାଂଶ ରାଜ୍ୟର ସମସ୍ୟା । ଏଥିପାଇଁ ଭାରତ ସରକାର କୌଣସି କୃଷିନୀତି ଅଥବା ଚାଷୀ ନୀତି ପ୍ରଣୟନ କରିଛନ୍ତି କି?
ପ୍ରଥମେ କୁହାଗଲା- ଚାଷୀ ଋଣ ଯନ୍ତ୍ରଣା ପଡ଼ି ଆତ୍ମହତ୍ୟା କରୁଛି । ତାହାହେଲେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ପ୍ରଭୃତି ବିଜେପି ଶାସିତ ରାଜ୍ୟମାନଙ୍କରେ କୃଷି ଋଣ ଛାଡ଼ ସତ୍ତେ୍ୱ ବହୁ ଚାଷୀ ଆତ୍ମହତ୍ୟା କରୁଛନ୍ତି କ’ଣ ପାଇଁ? ଏହାର ଜବାବ ମାନ୍ୟବର କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଦେବେ କି?
ଏଣୁ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ସମସ୍ୟା ପ୍ରତି ସଚେତନ ଅଛନ୍ତି । ଚାଷୀଙ୍କ ମୃତୁ୍ୟକୁ ସାମ୍ନା କରିବାରେ ମଧ୍ୟ ସକ୍ଷମ ଅଛନ୍ତି । ଏହି ସମ୍ବେଦନଶୀଳ ଘଟଣା ପାଇଁ ଯଥା ସମ୍ଭବ ଓ ଯାହା କିଛି ପଦକ୍ଷେପ ନିଆଯାଇପାରିବ ରାଜ୍ୟ ସରକାର ସେଥିପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ଦେବ କହିଛନ୍ତି ।

Leave A Reply

Your email address will not be published.