-
୨୯ ରୁ ୪ ଡାକ୍ତର,୨୮ ରୁ ୬ ଷ୍ଟାଫ୍ ନର୍ସ ଙ୍କୁ ନେଇ ଚାଲିଛି ଉପଖଣ୍ଡ ଚିକିତ୍ସାଳୟ
-
ଜରୁରୀ ସେବା ଯୋଗାଇବାରେ ଡାକ୍ତର ଅସମର୍ଥ
କାମାକ୍ଷାନଗର – କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ୨୯ ରୁ ୪ ଜଣ ଡ଼ାକ୍ତର ରହିଥିବା ବେଳେ ୨୮ ଜଣ ରୁ ୬ ଜଣ ଷ୍ଟାଫ ନର୍ସ ରହିଥିବା ବେଳେ ଉପଖଣ୍ଡ ଚିକିତ୍ସଳୟ ଏବେ ପ୍ରାଥମିକ ଚିକିତ୍ସାଳୟରେ ପରିଣତ ହୋଇଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।କାମାକ୍ଷାନଗର ଉପଖଣ୍ଡ ର କାମାକ୍ଷାନଗର, ପର୍ଜଙ୍ଗ, ଭୁବନ ଓ କଙ୍କଡ଼ାହାଡ଼ ଆଦି ୪ ଟି ବ୍ଳକ କୁ ନେଇ ଉପଖଣ୍ଡ ହୋଇଥିବା ବେଳେ ଏଥିପାଇଁ ଉପଖଣ୍ଡ ଚିକିତ୍ସାଳୟ ରହିଛି । ଉପଖଣ୍ଡ ର ବିଭିନ୍ନ ପ୍ରାନ୍ତ ସହ କେଉଁଝର ଜିଲ୍ଲାର ତେଲକୋଇ ବ୍ଲକ୍ ର ବିଭିନ୍ନ ଅଞ୍ଚଳ ରୁ ଆସୁଥିବା ବହୁ ରୋଗୀ ଏହି ଚିକିତ୍ସାଳୟ ଉପରେ ନିର୍ଭର କରିଥାଆନ୍ତି। ହେଲେ ଉପଖଣ୍ଡ ଚିକିତ୍ସାଳୟ ରେ ଡାକ୍ତର, ଷ୍ଟାଫନର୍ସ ସହ ଆବଶ୍ୟକ କର୍ମଚାରୀ ନଥିବାରୁ କୌଣସି ରୋଗ ହେଉ କିମ୍ବା ଦୁର୍ଘଟଣା ରେ ଆସୁଥିବା ରୋଗୀ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ଚିକିତ୍ସାଳୟ କୁ ପଠାଯାଉଛି। ଉପଖଣ୍ଡ ଚିକିତ୍ସାଳୟ ରେ ୨୯ ଡାକ୍ତର ରୁ ଜମା ୪ ଜଣ ଡ଼ାକ୍ତର ଅବସ୍ଥାପିତ ଅଛନ୍ତି। ମୂଖ୍ୟତଃ ଭେଷଜ (ମେଡ଼ିସିନ), ଶଲ୍ୟ (ସର୍ଜରୀ) , ଅସ୍ଥିଶଲ୍ୟ (ଅର୍ଥୋପେଡିକ୍), ଚର୍ମ ରୋଗ (ସ୍କିନ୍), ଶିଶୁ ରୋଗ (ପେଡ୍ରିଆଟିକ), ଆଖି (ଚକ୍ଷୁ), ସ୍ତ୍ରୀ ରୋଗ (ଗାଇନିକ) ବିଶେଷଜ୍ଞ ପଦ ଖାଲି ପଡିଥିବା ବେଳେ ଜଣେ ଉପଖଣ୍ଡ ଚିକିତ୍ସାଧିକାରୀ (ଏସଡିଏମ୍ଓ) ପଦ ମଧ୍ୟ ଖାଲି ରହିଛି। ଡ଼ାକ୍ତର ଙ୍କ ଅଭାବ ସହ ପରିସ୍ଥିତି କୁ ନିୟନ୍ତ୍ରଣ ପାଇଁ ଜଣେ ଦାନ୍ତ ଡାକ୍ତର ଙ୍କ ଦାୟିତ୍ୱ ରେ ବହିର୍ବିଭାଗ ପ୍ରାୟ ସମୟ ରେ ଚାଲୁଥିବା ଦେଖିବାକୁ ମିଳୁଛି। ଜଣେ ଦାନ୍ତ ଡାକ୍ତର ବହିର୍ବିଭାଗ ସମ୍ଭାଲୁଥିବାରୁ ଜନ ସାଧାରଣ ଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ଉପଖଣ୍ଡ ର ବିଭିନ୍ନ ପ୍ରାନ୍ତ ରେ ଘଟୁଥିବା ଦୁର୍ଘଟଣା ଆସୁଥିବା ବ୍ୟକ୍ତି ବିଶେଷ ଙ୍କୁ ଜରୁରୀକାଳୀନ ସେବା ରେ ରହୁଥିବା ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିବାକୁ ବାଧ୍ୟ ହେଉଛନ୍ତି। ଏବେ ୪ ଜଣ ଡ଼ାକ୍ତର ରହୁଥିବାରୁ ଜରୁରୀ କାଳିନ ସେବା ଦିଗରେ ସମସ୍ୟା ରହୁଥିବାରୁ ଆଗାମୀ ଦିନ ରେ ଜରୁରୀକାଳୀନ ସେବା ଯୋଗାଇ ଦେବା ସମ୍ଭବ ହୋଇ ପାରିବ ନାହିଁ ବୋଲି ଜଣାଯାଇଛି। ଚିକିତ୍ସାଳୟରେ ୨୮ ଜଣ ଷ୍ଟାଫ ନର୍ସ ରହିବା ଜାଗା ରେ ମାତ୍ର ୬ ଜଣ ରହିଛନ୍ତି। ଫଳରେ ଚିକିତ୍ସାଳୟରେ ଦାୟିତ୍ୱ ନେବା ତାଙ୍କ ପକ୍ଷେ ସମ୍ଭବ ହେଉନଥିବାରୁ ଷ୍ଟାଫ୍ ନର୍ସ ଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଚିକିତ୍ସାଳୟରେ ୮ ଜଣ ଫାର୍ମାସିଷ୍ଟ ରହିବା ଜାଗାରେ ୨ ଜଣ ଥିବା ବେଳେ ୨ ଜଣ ଡେପୁଟେସନ ରେ ଆସି କାର୍ଯ୍ୟ କରୁଥିବାରୁ ନିରାମୟ ଔଷଧ ବିତରଣ କେନ୍ଦ୍ର ସହ ବହିର୍ବିଭଗ ରେ ଦାୟିତ୍ୱ ତୁଲାଇବା ଏବେ ସେମାନଙ୍କ ପ୍ରତି କଷ୍ଟ ହେଇପଡୁଛି। ସେହି ପରି ଆଟେଣ୍ଡାଣ୍ଟ୍ ୧୨ ଟି ପଦ ରହିଥିବା ବେଳେ ମାତ୍ର ୫ ଜଣ ରହିଛନ୍ତି। ଏବଂ ୪ ଜଣ ସୁଇପର ଙ୍କ ଜାଗା ରେ ମାତ୍ର ଜଣେ ସୁଇପର୍ ରହି ଏତେ ବଡ ମେଡ଼ିକାଲ ର ସଫେଇ କାର୍ଯ୍ଯ କରୁଛି। ଆହୁରି ଅନେକ ସମସ୍ୟା ରହିଛି ଯାହାକୁ ଯଥା ଶୀଘ୍ର ସୁଧାରିବାକୁ ଜନସାଧାରଣ ଦାବି କରୁଛନ୍ତି।