ନୟାଗଡ଼,(ଲକ୍ଷ୍ମୀଧର ସାହୁ) :ନୟାଗଡ଼ ଭୁବନେଶ୍ୱର ଏବଂ ନୂଆଗାଁ ମଧ୍ୟରେ ଚଳାଚଳ କରୁଥବା ସେବା ଏକ୍ସପ୍ରେସ ମେମୁ ଟ୍ରେନର ଇଞ୍ଜିନ ଅଚଳ ହୋଇ ପଡ଼ିଛି । ଫଳରେ ଅନ୍ୟ ଏକ ବାହ୍ୟ ଇଞ୍ଜିନ ଦ୍ୱାରା ଏହି ଟ୍ରେନ ଏବେ ଚଳାଚଳ କରୁଛି । ଏହାଦ୍ୱାରା ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଟ୍ରେନ ଚଳାଚଳ କରୁଥବା ବେଳେ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଯୋଗ୍ୟ ଯେ ପୂର୍ବରୁ ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥବା ମେମୁ ଟ୍ରେନକୁ ବିନା କୌଣସି କାରଣରେ ଅନ୍ୟତ୍ର ସ୍ଥାନାନ୍ତରଣ କରି ଦେଇଥିଲେ ଏବଂ ଏହା ବଦଳରେ ଏକ ପୁରୁଣା ମେମୁ ଟ୍ରେନ ଚଳାଇଥିଲେ । ତେବେ ଏଥିରେ ବ୍ୟାପକ ଅବ୍ୟବସ୍ଥା ଏବଂ ତୃଟିବିଚ୍ୟୁତି ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ଏହାକୁ ନେଇ ନୟାଗଡ଼ ନାଗରିକ ମଞ୍ଚ ଏବଂ ଜନସାଧାରଣଙ୍କ ପକ୍ଷରୁ ଘୋର ବିରୋଧ କରାଯିବା ପରେ ରେଳ ବିଭାଗ ବାଧ୍ୟ ହୋଇ ଅନ୍ୟ ଏକ ନୂତନ ମେମୁ ଟ୍ରେନ ଗତ ଦୁଇମାସ ତଳେ ପ୍ରଚଳନ କରିଥିଲେ । ତେବେ ଏହି ଟ୍ରେନର ନିୟମିତ ଯାଞ୍ଚ କିମ୍ବା ତଦାରଖ କରାଯାଉ ନଥିବାରୁ ଏଥିରେ ଅଧିକାଂଶ ସମୟରେ ଯାନ୍ତ୍ରିକ ତୃଟି ଦେଖା ଦେଉଥିଲା । ଗତ ଏକ ସପ୍ତାହ ତଳୁ ଏହି ଟ୍ରେନର ଇଞ୍ଜିନରେ ଲାଗିଥିବା ୮ଟି ମୋଟର ମଧ୍ୟରୁ ୬ଟି ମୋଟର ସମ୍ପୁର୍ଣ୍ଣ ଭାବେ ଅଚଳ ହୋଇଯାଇଛି । ଫଳରେ ଟ୍ରେନ ଚଳାଚଳରେ ବ୍ୟାହତ ହୋଇଥିଲା । ବର୍ତ୍ତମାନ କାମଚଳା ପାଇଁ ବିଭାଗ ପକ୍ଷରୁ ଅନ୍ୟ ଏକ ଇଞ୍ଜିନ ଏଥିରେ ଖଞ୍ଜାଯାଇଛି । ଏହା ଫଳରେ ନିର୍ଦ୍ଧାରିତ ସମୟରେ ଟ୍ରେନ ଚଳାଚଳରେ ସମସ୍ୟା ଉପୁଜିବା ସହିତ ଯାତ୍ରା ବିଳମ୍ବ ହେଉଛି । ରେଳ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହିତ ତୁରନ୍ତ ଇଞ୍ଜିନ ସଜାଡ଼ିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ଦାବି କରିଛି ।
Sign in
Sign in
Recover your password.
A password will be e-mailed to you.
Next Post