
ନୟାଗଡ଼/ଲକ୍ଷ୍ମୀଧର ସାହୁ:ନାବାଳିକା ଦୁଷ୍କର୍ମକାରୀକୁ ଆଜି ନୟାଗଡ଼ ଜିଲ୍ଲା ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିରଞ୍ଚି କୁମାର ରଥ ଆସାମୀକୁ ୧୦ ବର୍ଷ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମନା ନିର୍ଦ୍ଦେଶ ଦେଇଛନ୍ତି ।
ସୁଚନାନୁସାରେ ରଣପୁର ଥାନା ଜୟପୁର ଗ୍ରାମର ବିନୋଦ ସାହୁଙ୍କ ପୁଅ ରବି ସାହୁ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ୨୦୦୯ ମସିହା ମାର୍ଚ୍ଚ ୨୭ ତାରିଖ ଦିନ ନାବାଳିକା ଜଣକ ଦିନ ୧୧ଟା ବେଳେ ନିଜର ଜେଜେବାପାଙ୍କ ସାଙ୍ଗରେ ନିକଟସ୍ଥ ସିମିଳି ଠାକୁରାଣୀ କାଜୁ ଜଙ୍ଗଲକୁ କାଜୁ ଜଗିବା ନିମନ୍ତେ ଯାଇଥିଲେ । କିଛି ସମୟ ପରେ ନାବାଳିକାଙ୍କ ଜେଜେବାପା ଘରକୁ ଖାଇବାକୁ ଆସିଥିଲେ । ନାବାଳିକାକୁ ଏକୁଟିଆ ପାଇ ଆସାମି ରବି ସାହୁ ତାଙ୍କୁ ପ୍ରେମ ନିବେଦନ କରିଥିଲେ । ନାବାଳିକା ଜଣଙ୍କ ରାଜି ନହେବାରୁ ତାଙ୍କୁ ଭୁଜାଲିରେ ଭୟଭୀତ କରି ଉଲଗ୍ନ କରିଥିଲେ । ନାବାଳିକା ଜଣଙ୍କ ଚିତ୍କାର କରିବାରୁ କିଛି ଲୋକ ପହଞ୍ଚି ଯାଇଥିଲେ । ଏହି ସମୟରେ ଆସାମୀ ରବି ସାହୁ ଫେରାର ହୋଇଯାଇଥିଲା । ରଣପୁର ଥାନାରେ ୬୦/୨୦୦୯ ମସିହାରେ ଏକ ମାମଲା ରୁଜ କରାଯାଇଥିଲା । ପୁଲିସ କିଛି ଦିନ ପରେ ରବିକୁ ଗିରଫ କରିବାରେ ସଫଳ ହୋଇଥିଲା । ଏହା ପରେ ଆସାମୀ ଯାମିନ ପାଇ ଯାଇଥିଲେ । କୋର୍ଟ ନିର୍ଦ୍ଦେଶ ସତ୍ତ୍ବେ ଆସାମୀ କୋର୍ଟରେ ହାଜର ହେଉନଥିଲେ । ଏହାର ତ୍ବରାନ୍ବିତ ବିଚାର ପାଇଁ ୪ମାସ ତଳେ ନୟାଗଡ଼ ଫାଷ୍ଟଟ୍ରାକ କୋର୍ଟକୁ ମାମଲା ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଆଜି ୧୪ ଜଣଙ୍କ ସାକ୍ଷୀଙ୍କ ବୟାନ ଓ ସରକାରୀ ଓକିଲଙ୍କ ବୟାନ ଓ ପ୍ରତିପକ୍ଷ ଓକିଲଙ୍କ ବୟାନ ଅନୁସାରେ ଜିଲ୍ଲା ଫାଷ୍ଟଟ୍ରାକ କୋର୍ଟ ବିଚାରପତି ବିରଞ୍ଚି କୁମାର ରଥ ଆସାମୀ ରବି ସାହୁଙ୍କୁ ୧୦ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଅମିୟ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ ।