ବଡ଼ବିଲରେ ପୋଲିସକୁ ମସ୍ତବଡ଼ ସଫଳତା, ଗ୍ୟାଙ୍ଗୱାର ସମୟରେ ୯ କୁଖ୍ୟାତ  ଗିରଫ 

0

ବଡ଼ବିଲ :କେନ୍ଦୁଝର ଜିଲ୍ଲା ବଡ଼ବିଲରେ ୨ ଗ୍ୟାଙ୍ଗ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି।  ଏମାନଙ୍କ ନିକଟରୁ ୨ଟି ବୋମା, ସ୍କୋର୍ପିଓ, ୪ଟି ବାଇକ, ୯ଟି ମୋବାଇଲ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି। ଗିରଫମାନଙ୍କ ମଧ୍ୟରେ ସୁନୀଲ ପାତ୍ର ଓରଫ ଟିଟୁ  ଗ୍ୟାଙ୍ଗର ୭ ଜଣ ଓ ଝୁମ୍ପୁରା ଥାନା ଅର୍ଶଳା ଅଞ୍ଚଳର ୨ ଜଣ କୁଖ୍ୟାତ ଏମଡ଼ି ମୁଜାଫର ଓ ବିକ୍ରମ ପ୍ରଧାନ ରହିଛନ୍ତି। ଗତକାଲି ରାତିରେ ବଡବିଲ ନୂଆ ବସ ଟର୍ମିନାଲ ନିକଟରେ ଉଭୟ ଗ୍ୟାଙ୍ଗ ମଧ୍ୟରେ ସଙ୍ଘର୍ଷ ଚାଲିଥିବା ସମୟରେ ପୋଲିସ ପହଞ୍ଚି ଏମାନଙ୍କୁ ଗିରଫ କରିଥିଲା। ବଡ଼ବିଲ ଥାନାରେ ଏ ନେଇ ଦୁଇଟି ପୃଥକ ମାମଲା ରୁଜୁ ହୋଇ ଏମାନଙ୍କୁ କୋର୍ଟ ଚାଲାଣ କରିଛି ବଡ଼ବିଲ ପୋଲିସ।  ଏମାନଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି। ପୋଲିସ ତଦନ୍ତରୁ ଜଣା ପଡ଼ିଛି ଯେ, ଝୁମ୍ପୁରା ଅଞ୍ଚଳର ଏମଡ଼ି ମୁଜାଫର ଓ ବିକ୍ରମ ପ୍ରଧାନ ବଡ଼ବିଲର ସୁନୀଲ ପାତ୍ର ଓରଫ ଟିଟୁକୁ ବୋମା ଫିଙ୍ଗି ହତ୍ୟା କରିବା ପାଇଁ ଏକ ସ୍କୋର୍ପିଓ ଗାଡ଼ିରେ ବଡ଼ବିଲ ଆସିଥିଲେ। ତେବେ ଟିଟୁ କୌଣସି ପ୍ରକାରେ ଏ ସମ୍ବନ୍ଧରେ ଜାଣିପାରି ତାକୁ ଆକ୍ରମଣ ହେବା ପୂର୍ବରୁ ନିଜ ସହଯୋଗୀଙ୍କ ସହାୟତାରେ ମୁଜାଫର ଓ ବିକ୍ରମକୁ ଅପହରଣ କରିନେଇ ମାଡ଼ ମାରିବା ସହ ସେମାନଙ୍କ ପରିବାର ନିକଟରୁ ୨ ଲକ୍ଷ ଟଙ୍କା ଦାବୀ କରିଥିଲା। ତେବେ ଏମାନଙ୍କ ମଧ୍ୟରେ ସଂଘର୍ଷର କାରଣ ପୂର୍ବ ଶତ୍ରୁତା ହୋଇଥିବା ପୋଲିସ କହିଥିବା ବେଳେ ଗିରଫ ମୁଜାଫର ସୁପାରୀ କଥା କହିଛି। ମୁଜାଫରର କହିବା ଅନୁଯାୟୀ, ୪ ବର୍ଷ ତଳେ ଜଣେ ବ୍ୟକ୍ତି, ଝୁମ୍ପୁରା ଅଞ୍ଚଳର ଗୁଡୁ ଜରିଆରେ ଟିଟୁକୁ ମାରିବା ପାଇଁ ୧୦ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ। ଟିଟୁକୁ ହତ୍ୟା କରିଥିଲେ ଉକ୍ତ ବ୍ୟକ୍ତି ତାଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥାନ୍ତେ। ତେବେ ଏହି କଥାର କେତେ ସତ୍ୟତା ରହିଛି ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି ବୋଲି ବଡ଼ବିଲ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି |

Leave A Reply

Your email address will not be published.