ପାଣ୍ଡିଆନଙ୍କ ସୁନ୍ଦରଗଡ ଗସ୍ତ

0 2

ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡା, ମଶନ ଶକ୍ତି ପ୍ରକଳ୍ପର ସମୀକ୍ଷା ସହ ପରିଦର୍ଶନ କଲେ ହକି ପ୍ରଶିକ୍ଷଣ କେନ୍ଦ୍ର

ରାଉରକେଲା,(ବସନ୍ତ କୁମାର ଜେନା): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ‌ ଦ୍ବିଦିବସୀୟ ସୁନ୍ଦରଗଡ ଗସ୍ତରେ ଆସି ଆଜି ଦ୍ବିତୀୟ ଦିନରେ ବଣାଇଁ ଉପଖଣ୍ଡର ଚାରୋଟି ବ୍ଲକ ସମେତ ବିରମିତ୍ରପୁର ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ସମେତ କ୍ରୀଡ଼ା ଏବଂ ଯୁବ ସେବା ସଚିବ ଆର. ଭିନିଲ୍‌ କ୍ରିଷ୍ଣା ମଧ୍ୟ ଏହି ଗସ୍ତରେ ଯୋଗ ଦେଇଥିଲେ। ସେ ‘୫ଟି’ ଅଧୀନରେ ରୂପାନ୍ତରିତ ସରକାରୀ ହାଇସ୍କୁଲ ସହିତ ମିଶନ ଶକ୍ତି କାଫେ, ନିର୍ମାଣାଧୀନ ହକି ପ୍ରଶିକ୍ଷଣ କେନ୍ଦ୍ର ଏବଂ ଉପଖଣ୍ଡ ଚିକିତ୍ସାଳୟ, ବଣାଇଁ ପରିଦର୍ଶନ ସହିତ ବିରମିତ୍ରପୁରର ପ୍ରସ୍ତାବିତ ପ୍ରକଳ୍ପ ଆଦିର କାର୍ଯ୍ୟ ସମୀକ୍ଷା କରିଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯାଉଛି। ୫-ଟି ସଚିବ ପ୍ରଥମେ ଗୁରୁଣ୍ଡିଆ ବ୍ଲକରେ ରୂପାନ୍ତରିତ ହୋଇଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଣାଇଁର ବଇଦପାଲି ହାଇସ୍କୁଲ ପରିଦର୍ଶନ କରିଥିଲେ। ସେଠାରେ ସେ ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ଲାଇବ୍ରେରୀ ଏବଂ କମ୍ପୁଟର ଲ୍ୟାବ ଆଦି ବୁଲି ଦେଖିଥିଲେ।

ସରକାରୀ ହାଇସ୍କୁଲରେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ପିଲାମାନଙ୍କ ପାଠପଢ଼ାରେ କିପରି ବିଶେଷ ସହାୟକ ହୋଇପାରୁଛି ସେ ବିଷୟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଠାରୁ ପଚାରି ବୁଝିଥିଲେ। ଏହାସହ ଗୁରୁଣ୍ତିଆ ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ, ଲାଇବ୍ରେରୀ ବୁଲି ଦେଖିବା ସହ ଆବଶ୍ୟକତା ପଚାରି ବୁଝିଥିଲେ। ଭଲଭାବେ ବଢିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଏହାପରେ ଲହୁଣୀପଡା ବ୍ଲକର ତୁମକେଲା ଠାରେ ନିର୍ମାଣଧୀନ ବିଜୁସେତୁ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ସୁନ୍ଦରଗଡ ଗ୍ରାମ୍ୟ କାର୍ଯ୍ୟ ବିଭାଗ ଦ୍ବାରା ନିର୍ମିତ ହୋଇଥିବା ବେଳେ ଏହି ପ୍ରକଳ୍ପ ଦ୍ବାରା ଏନ୍ଯୁନ ୪୦ ହଜାର ଗ୍ରାମବାସୀ ଉପକୃତ ହେବେ ଜଣାପଡିଛି । ଏହାପରେ ସେ ବଣାଇଁର ବାବା ବାଣେଶ୍ଵର ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ। ଆରଡିଡି ହାଇସ୍କୁଲ ପଡିଆରେ ନିର୍ମାଣ ଦିନ ହକି ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଖେଳାଳିମାନଙ୍କ ସହିତ ବାର୍ତ୍ତାଳାପ ମଧ୍ୟ କରିଥିଲେ।

ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟସ୍ଥ ଥିବା ‘ମିଶନ ଶକ୍ତି କାଫେ’ ପରିଦର୍ଶନ କରିଥିଲେ। ଏହି କାଫେ ପରିଚାଳନା ଦାୟିତ୍ୱରେ ରହିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜୀବିକା ବିଷୟରେ ପଚାରି ବୁଝିଥିଲେ ଏବଂ ଜଳଖିଆ ଗ୍ରହଣ କରିଥିଲେ। କାଫେର ପରିଚ୍ଛନ୍ନତା ଓ ଖାଦ୍ୟମାନ ଉପରେ ଗୁରୁତ୍ଵଦେବା ପାଇଁ ସେମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଏହାପରେ ଉପଖଣ୍ଡ ଚିକିତ୍ସାଳୟର ମଧ୍ୟ ପରିଦର୍ଶନ କରି ଆବଶ୍ୟକତା ପଚାରି ବୁଝିଥିଲେ।
ସେହିପରି କୋଇଡାର ଗୋପବନ୍ଧୁ ହାଇସ୍କୁଲ, ଡିଗ୍ରୀ କଲେଜ ଓ ଆଇଟିଆଇ କଲେଜ, ସୁଦକ୍ଷ କେନ୍ଦ୍ର ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଏବଂ ତାଙ୍କର ଆବଶ୍ଯକ ତା ପଚାରି ବୁଝିଥିଲେ। ଶେଷରେ ଆଇଟିଆଇ ପରିସରରେ ଏକ ବୃକ୍ଷ ରୋପଣ କରିଥିଲେ ।
ଏହାପରେ ବିରମିତ୍ରପୁର ମ୍ଯୁନିସିପାଲଟି ଅଚଂଳରେ ଓ୍ବାର୍ଡ ନମ୍ବର ୧୩ ସ୍ଥିତ ନିର୍ମାଣାଧୀନ ସ୍ମାର୍ଟ ପାର୍କ, ପ୍ରସ୍ତାବିତ ନୂତନ ବସ ଷ୍ଡାଣ୍ଡ ଓ ଅର୍ବାନ ଓ୍ବାଟର ବଡି ରେଜୁବେନେସନ ପ୍ରକଳ୍ପ ବିଷୟରେ ସେ ପଚାରି ବୁଝିଥିଲେ ଏବଂ ବସଷ୍ଡାଣ୍ଡ ପରିସରରେ ଥିବା ଆହାର କେନ୍ଦ୍ର ଓ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ। ସେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ।
ଏହି ଗସ୍ତ ସମୟରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ଉପଜିଲ୍ଲାପାଳ ବଣାଇଁ ସୁରଂଜନ ସାହୁ, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.