ନବରଙ୍ଗପୁର ଜିଲ୍ଲା ର କାର୍ଯ୍ୟନିର୍ବାହୀ କୋର୍ଟ, ଖାଉଟି ଅଦାଲତ ଅଚଳ

0 2
  • ସ୍ୱାସ୍ଥ୍ୟ ସେବା ଓ ଟ୍ରାଫିକ ପରିଚାଳନା ବିପର୍ଯ୍ୟସ୍ତ ଦୁର୍ନୀତି ଗ୍ରସ୍ତ ଅଫିସର ଙ୍କୁ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ଭର୍ତ୍ସନା କଲା ଜିଲ୍ଲା ଆଇନଜୀବୀ ସଂଘ

  • ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ ହେବ

ନବରଙ୍ଗପୁର, ଅଶୋକ ସାହୁ: ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଜିଲ୍ଲା ଅଦାଲତ ପରିସରରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା। ଜିଲ୍ଲା ର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ (ADM), ଉପ-ଜିଲ୍ଲାପାଳ (Sub-Collector), ରାଜସ୍ୱ ଅଧିକାରୀ, ତହସିଲଦାର ଙ୍କ କୋର୍ଟ ଓ ଜିଲ୍ଲା ଖାଉଟି ଅଦାଲତ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡିଥିବା ଯୋଗୁଁ ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ ଓ ଆଇନଜୀବୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବାରମ୍ବାର ଅନୁରୋଧ ଏବଂ ଅଭିଯୋଗ ସତ୍ତ୍ୱେ ଜିଲ୍ଲାପାଳ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରାଯିବା ସହ ଏହାର ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ, 5T ରୂପାନ୍ତରକରଣ ସଚିବ, ମୁଖ୍ୟ ଶାସନ ସଚିବ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର, ରାଜ୍ୟ ଖାଉଟି କମିଶନର ସଭାପତିଙ୍କୁ ଲିଖିତ ଭାବେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବିଭିନ୍ନ ରାଜସ୍ୱ କୋର୍ଟ ଗୁଡିକ ନଚାଲିଵା ଯୋଗୁଁ ବିବିଧ ପ୍ରମାଣ ପତ୍ର ନପାଇ ଜନସାଧାରଣ ନିଜ ନିଜ ପିଲାଙ୍କୁ ବିଦ୍ୟାଳୟ ରେ ଭର୍ତ୍ତି କରିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ନିଜ ନିଜ ଘର ବାଡ଼ି ଓ ଜମି ଆପୋଷ ବଣ୍ଟନ ରେ ଅସୁବିଧା ହେଉଛି। ନିଜ ଘର ତିଆରି ପାଇଁ ବ୍ୟାଙ୍କ ରୁ ଋଣ ପାଇବାରେ ଅସୁବିଧା ହେଉଛି ଏଭଳି ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଭଳି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି। ଡାକ୍ତର ଙ୍କ ଘୋର ଅଭାବ ଥିବା ବେଳେ ନା ଜିଲ୍ଲା ପ୍ରଶାସନ ନା ଜନ ପ୍ରତିନିଧି କିମ୍ବା ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଉଛି। ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଟ୍ରାଫିକ ପୋଷ୍ଟ ଗୁଡିକର ଲାଇଟ୍ ଜଳୁନାହିଁ । ସାରା ସହରର ରାସ୍ତା ଘାଟ ବର୍ଷ ବର୍ଷ ହେଲା ମରାମତି ହୋଇନାହିଁ। ଏସମ୍ପର୍କରେ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ପୂର୍ବରୁ ଲିଖିତ ଅଭିଯୋଗ କରିଥିଲେ, ଜିଲ୍ଲାପାଳ ଜିଲ୍ଲାର ଏ.ଡି.ଏମ୍. ଙ୍କୁ, ଉପଜିଲ୍ଲାପାଳଙ୍କୁ ଓ ସମସ୍ତ ତହସିଲଦାର ଙ୍କୁ ଏକ ନିର୍ଦ୍ଦେଶନାମା ଜାରୀ କରିଥିଲେ। କିନ୍ତୁ ତାଙ୍କ ଅଧସ୍ତନ ଅଧିକାରୀ ମାନେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କୁ ମଧ୍ୟ ବେଖାତିର କରି ନିଜ ନିଜ କାର୍ଯ୍ୟରେ ଯୋଗ ନଦେଇ କେବଳ ଦୁର୍ନୀତି ରେ ଲିପ୍ତ ରହୁଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ଆଗାମୀ ସାତ ଦିନ ମଧ୍ୟରେ କୋର୍ଟ ଗୁଡିକ ନିୟମିତ କାର୍ଯ୍ୟକ୍ଷମ ନହେଲେ ଏବଂ ଆଗାମୀ ଏକ ମାସ ମଧ୍ୟରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ଟ୍ରାଫିକ ପରିଚାଳନା ରେ ସୁଧାର ନ ଆସିଲେ ସଂଘ ତରଫରୁ ଆନ୍ଦୋଳନ ଆରମ୍ଭ ହେବ ବୋଲି ସ୍ମାରକ ପତ୍ର ରେ ଉଲ୍ଲେଖ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ରଘୁନାଥ ପାଢ଼ୀ, ସିରାଜୁଦ୍ଧିନ ଅହମ୍ମଦ, ଦେବୀ ପ୍ରସାଦ ସିଂ, ମାନସ ତ୍ରିପାଠୀ, ଗଜପତି ପଟ୍ଟନାୟକ, ବରୁଣ କୁମାର ନାୟକ, ଜେନିଫର୍ ସୁନା, ଅନୁପମା ଗନ୍ତାୟତ, ଶ୍ରୀକାନ୍ତ କୁମାର ପଣ୍ଡା, ଶର୍ମିଷ୍ଠା ରଥ, ସୁରଜ ନାୟକ ଗୋପାଳ କୃଷ୍ଣ ପାଣିଗ୍ରାହୀ, ସଦାଶିବ ସାହୁ, ତପନ ସିଂ, ଗୋପାଳ କୃଷ୍ଣ ଶତପଥୀ, ଶ୍ରୀଧର ଦାଶ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.