କଲମ ଧରିବ ଦିବ୍ୟାଙ୍ଗ ମୁନା: ଓଡ଼ିଶା-ମୋ ପରିବାରର ସହାୟତା

0 2

ଭୁବନେଶ୍ୱର (ଶାସକ ପ୍ରଶାସକ): ପିଲା ଦିନୁ ଦୁଇ ହାତ ହରାଇ ଦିବ୍ୟାଙ୍ଗ ହୋଇପଡିଥିଲେ ମୁନା । ମନରେ ପଢା ଲେଖା କରିବାକୁ ଅନାବିଳ ଆଗ୍ରହ ଥିଲେ ସୁଦ୍ଧା ତାଙ୍କର ଶାରୀରିକ ଅକ୍ଷମତା ପ୍ରତିବନ୍ଧକ ସାଜିଥିଲା । ଛୋଟ ପିଲାଟିର କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ, କୃତ୍ରିମ ହାତ ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର ।

ସୂଚନାନୁସାରେ, ଦେବଗଡ଼ ଜିଲ୍ଲା ରିମାଲ ଅଞ୍ଚଳର ୭ବର୍ଷିୟ ବାଳକ ମୁନା ମାଝି, ଦିନେ ଛାତ ଉପରେ ଖେଳୁଥିବା ବେଳେ ହଠାତ୍ ସେ ୧୧କିଲୋୱାଟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଦୁର୍ଭାଗ୍ୟବଶତଃ, ତାଙ୍କ ଦୁଇ ହାତ ଗୁରୁତର ଭାବରେ ଜଳିଯାଇଥିଲା । ସଙ୍ଗେସଙ୍ଗେ, ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା ଏବଂ ସେଠାରୁ, ଶିଶୁଭବନ, କଟକକୁ ସେ ସ୍ଥାନାନ୍ତର ହୋଇଥିଲେ । ସେଠାରେ ଡାକ୍ତର ଛୁଆଟିର ହାତ କାଟିବା ପାଇଁ ପରାମର୍ଶ ଦେଇଥିଲେ କିନ୍ତୁ ପରିବାରବର୍ଗ ହାତ ଦୁଇଟି ନ କାଟିବା ପାଇଁ ଯଥାସମ୍ଭବ ଚେଷ୍ଟା କରି ଅନ୍ୟ ଡାକ୍ତର ମାନଙ୍କ ପରାମର୍ଶ ନେଇଥିଲେ କିନ୍ତୁ ଭାଗ୍ୟର ବିଡ଼ମ୍ବନା, ହାତ କାଟିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନଥିଲା । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୁନାଙ୍କର ଦୁଇ ହାତ କଟାଯାଇଥିଲା ।
ଏଭଳି ଏକ ଦୁର୍ଘଟଣା ପରେ ମଧ୍ୟ ମୁନାଙ୍କର ମନୋବଳ ହାରିନି, ପାଠ ପଢି ବଡ଼ ମଣିଷ ହେବା ପାଇଁ ପୂର୍ବପରି ବିଦ୍ୟାଳୟରେ ପଢିବା ଜାରି ରଖିଛନ୍ତି କିନ୍ତୁ ଦୁଃଖର ବିଷୟ ଏହିକି ଯେ, ଲେଖିବା ପାଇଁ ମନରେ ଢେର ଇଚ୍ଛା ଥିଲେ ମଧ୍ୟ ସେ ଅକ୍ଷମ । ପରିବାରବର୍ଗ ଓଡ଼ିଶା- ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ, କୃତ୍ରିମ ହାତ ପାଇଁ ଦେବଗଡ଼ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ଶ୍ରୀ ରୋମାଞ୍ଚ ରଂଜନ ବିଶ୍ଵାଳଙ୍କୁ ଅନୁରୋଧ କରିଥିଲେ । ପରେ, ଶ୍ରୀ ବିଶ୍ଵାଳ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ ସଭାପତି ଶ୍ରୀ ଭବାନୀ ଶଙ୍କର ଦାସଙ୍କୁ ଜଣାଇଥିଲେ । ଶ୍ରୀ ଦାସ ଏ ସମ୍ପର୍କରେ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ(ଓଡ଼ିଶା-ମୋ ପରିବାର)ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଜଣାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଆଜି ତାଙ୍କୁ କୃତ୍ରିମ ହାତ ଯୋଗାଇ ଦିଆଯାଇଛି ।
ଏହି ସମୟରେ ଶ୍ରୀ ସାମନ୍ତରାୟଙ୍କ ସମେତ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ୍ ଦାଶ, ଶ୍ରୀ ଭବାନୀ ଶଙ୍କର ଦାସ ଏବଂ ଓଡ଼ିଶା-ମୋ ପରିବାର ଟିମ୍ ମଧ୍ୟ ଉପସ୍ଥିତ ଥିଲେ ।
କୃତ୍ରିମ ଅଙ୍ଗ ଲାଗିବା ପରେ ମୁନାଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା ।

Leave A Reply

Your email address will not be published.