ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ସୀମାନ୍ତ ଆନ୍ଧ୍ରରେ ଥିବା ଶୈବଗିରି ପାଦ ଦେଶରେ ଥିବା ରାମାନନ୍ଦୀ ହନୁମାନ ଦାଶ ଆଶ୍ରମ ପରିସରରେ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ପାରଳା ସହରର ସୀତାସାଗର ଅଞ୍ଚଳକୁ ଲାଗି ରହିଥିବା ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଏଏସ୍ କାବିଟି ଗ୍ରାମାଞ୍ଚଳରେ ଏହି ଶୈବଗିରି ଅବସ୍ଥିତ। ମୁଖ୍ୟତଃ ଏହି ଆଶ୍ରମଟି ପାରଳା ସହରର କିଛି ଆଧ୍ୟାତ୍ମିକ ବିଚାର ରଖିଥିବା ସାଧକ ମାନେ ନିର୍ମାଣ କରି ପ୍ରତିଷ୍ଠା କରିଥବା ବେଳେ ଆଜି ଏହି ରାମାନନ୍ଦୀ ହନୁମାନ ଦାସ ଆଶ୍ରମରେ ହରିଦ୍ଵାରର ଗାୟତ୍ରୀ ପରିବାବର ତଥା ବ୍ରହ୍ମପୁର ବିଭାଗର ଗାୟତ୍ରୀ ସାଧକ ମାନଙ୍କ ପୋରୋହିତ୍ୟରେ ଏହି ପ୍ରତିଷ୍ଠା ଏବଂ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଉକ୍ତ ସୀମାନ୍ତରେ ଏହି ମନ୍ଦିରଟି ରହିଥିଲେ ହେଁ ଉଭୟ ରାଜ୍ୟ ତଥା ପାରଳାବାସୀ ଓ ଆନ୍ଧ୍ର ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ଲାଗି ଗତକାଲି ଏଏସ୍ କାବିଟି ଗ୍ରାମରେ ସକାଳେ ଗ୍ରାମ ବାସୀଙ୍କୁ ନେଇ ୧୦୮ କଳସ ଯାତ୍ରାର ଆୟୋଜନ କରାଯାଇଥିବା ବେଳେ ସନ୍ଧ୍ୟା ସମୟରେ ଗ୍ରାମରେ ପ୍ରବଚନ ସହ ଦୀପ ଯଜ୍ଞର ଆୟୋଜନ କରାଯାଇ ଗାୟତ୍ରୀ ମନ୍ତ୍ରର ଉଦେଶ୍ୟ ବିଷୟରେ ସ୍ରୋତା ମାନଙ୍କୁ ବୁଝାଇଥିଲେ । ପ୍ରତିଷ୍ଠା ଉତ୍ସବ ଲାଗି ବିଭିନ୍ନ ପୂଜାର୍ଚ୍ଚନା କରାଯିବା ସହ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ହରିଦ୍ଵାରର ସାଧକ ତଥା ଗଞ୍ଜାମ ବିଭାଗର କଞ୍ଚୁରୁ ଗାୟତ୍ରୀ ଶକ୍ତି ପୀଠରୁ ଗୌତମ ବାଡତ୍ୟା , ରାମହରି ପଟ୍ଟନାୟକ , ନବୀନ ଚନ୍ଦ୍ର ସାହୁ , ସୁରେନ୍ଦ୍ର ଗୌଡ , ସୁନୀଲ କୁମାର ହୋତା , ପାରଳାଖେମୁଣ୍ଡିର ସିମାଞ୍ଚଳ ପଟ୍ଟନାୟକ , କୌଳାସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ହୋମଯଜ୍ଞ ଆଦି ସହ ଗାୟତ୍ରୀ ମହାଯଜ୍ଞ , ଆଧ୍ୟାତ୍ମିକ ପ୍ରବଚନ ମାନ ପ୍ରଦାନ କରିଥିଲେ।
ଏହି ଅବସରରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଏ ଏସ୍ କାବିଟି ଗ୍ରାମର ସରପଞ୍ଚ ନାକା ମାର୍କେଣ୍ଡ ପ୍ରମୁଖ ଉପସ୍ଥିତ ରହି ଏହି ଯଜ୍ଞାନୁଷ୍ଠାନରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଅନ୍ନଯଜ୍ଞ ତଥା ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ବେଳେ ଅନୁଷ୍ଠାନ ସଭାପତି ସନ୍ତୋଷ କୁମାର ପାଣ୍ଡି , ହେଣ୍ଡସ ଫର ଆନିମାଲସର ସମସ୍ତ ସଦସ୍ୟ ମାନେ ଏହାର ପରିଚାଳନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଅମିତ କୁମାର ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇ ଥିବା ବେଳେ ପାରଳା ସହରବାସୀଙ୍କ ସମେତ ଆନ୍ଧ୍ରର ଏଏସ୍ କାବିଟି ଗ୍ରାମର ପ୍ରାୟ ୨ ହଜାରରୁ ଉର୍ଦ୍ଧ ସଂଖ୍ୟକ ଶ୍ରଦ୍ଧାଳୁ ମାନେ ଯୋଗଦେଇଥିବା ସୂଚନା ରହିଛି ।
Sign in
Sign in
Recover your password.
A password will be e-mailed to you.