ମୁଖ୍ୟଶାସନ ସଚିବଙ୍କ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା

0 1

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୩ ମାସରେ ସମ୍ପର୍ଣ୍ଣ ହେବ:ଶ୍ରୀ ମହାପାତ୍ର

ପୁରୀ (ଅନିମେଶ ପଟ୍ଟନାୟକ): ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରୀୟ ପରିଦର୍ଶନ କରିବା ସହ ସମୀକ୍ଷା ମଧ୍ୟ କରିଛନ୍ତି ।

ଶନିବାର ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲିଦେଖିବା ସହ ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସଂପର୍କରେ କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି । ଫ୍ଲୋରିଂ ଓ ସ୍ଲାବ ନିମନ୍ତେ ଖଣ୍ତେଲାଇଟ ପଥର ବ୍ୟବହାର କରାଯାଉଛି । ଉଭୟ ଇନର ଓ ଆଉଟର ପରିକ୍ରମା ମାର୍ଗ ଦେଖିବା ସହ ଆସନ୍ତା ତିନି ମାସ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପ ଶେଷ ପରେ ଏହା ଜନସାଧାରଣ ମାନଙ୍କ ନିମନ୍ତେ ଉର୍ସଗ କରାଯିବ । ସୌନ୍ଦର୍ଯ୍ୟକରଣ ନିମନ୍ତେ ଚାରିପାଖେ ଗଛ ଲଗାଯିବ । ଭକ୍ତ ମାନଙ୍କ ନିମନ୍ତେ ଶୌଚାଳୟ, ପାନୀୟ ଜଳ, ଧ୍ୟାନ କରିବା ଏବଂ ଉପବେସନ ନିମନ୍ତେ ସମସ୍ତ ବ୍ୟବସ୍ଥାର ମଧ୍ୟ ଶ୍ରୀ ମହାପାତ୍ର ଅନୁଧ୍ୟାନ କରିଥିଲେ । ବର୍ତ୍ତମାନ ମେଘନାଦ ପାଚେରୀ ବାହରେ ବିଭିନ୍ନ ସ୍ଥାନରୁ ମନ୍ଦିର ଦର୍ଶନ ରମଣୀୟ ଲାଗୁଥିବାରୁ ପ୍ରକଳ୍ପ ଶେଷ ହେବାପରେ ସୌନ୍ଦର୍ଯ୍ୟ ବହୁଗୁଣିତ ହେବା ସହ ଭକ୍ତମାନେ ସେଠାରେ ବହୁ ସମୟ ଅତିବାହିତ କରିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି । ଏଥି ସହ ରିଂରୋଡ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ । ଶ୍ରୀସେତୁ ପ୍ରକଳ୍ପର ବହୁସ୍ତରୀୟ ପାର୍କଂ କାର୍ଯ୍ୟ ଶେଷ ହେବା ପରେ ସେଠାରୁ ବ୍ୟାଟେରୀ ଚାଳିତ ଗାଡି ମାଧ୍ୟମରେ ଭକ୍ତ ମାନେ ମନ୍ଦିରକୁ ଯିବା ଆସିବାରେ ସୁବିଧା ହେବ ବୋଲି ସେ କହିଥିଲେ । ସର୍ବସାଧାରଣ ଗମନାଗମନ ବ୍ୟାହତ ନହେବା ନିମନ୍ତେ ଷ୍ଟୋନ କ୍ଲାଡିଂ ମାଧ୍ୟମରେ ଟ୍ରାଫିକ ବ୍ୟାରୟର କରାଯିବା ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ ।
ସୂଚନାଥାଉ କି ଶ୍ରୀ ମହାପାତ୍ର ପ୍ରଥମେ ସ୍ବର୍ଗଦ୍ବାର ଯାଇ ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ବ୍ୟାବହାରିକ ଦିଗ ସଂପର୍କରେ ସମୀକ୍ଷା କରିଛନ୍ତି । ଦୈନିକ ସ୍ବର୍ଗଦ୍ବାରରେ ପ୍ରାୟ ୭୦ ରୁ ୮୦ଟି ଶବଦାହ କରାଯିବା ସହ ସତ୍କାର ପାଇଁ ୨୮ଟି ସ୍ଥାନର ସୁବିଧା କରାଯାଇଛି । ଟୋକନ କାଟିବା,ପଥ ଶ୍ରାଦ୍ଧ, କାଠ ଯୋଗାଣ ଆଦି ସେବା ନିର୍ଦ୍ଦିଷ୍ଟ ଦେୟ ମାଧ୍ୟମରେ ସ୍ବଚ୍ଛତା ଅବଲମ୍ବନ କରାଯାଇ ପ୍ରଦାନ କରାଯାଉଥିବା ନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସେ ସୂଚନା ଦେଇଛନ୍ତି । ସେଠାରେ ପ୍ରତୀକ୍ଷାଳୟ, ରେସ୍ତରାଁ, ପାନୀୟ ଜଳ ଏବଂ ଶୌଚାଳୟ ନିର୍ମାଣ କରାଯାଇଥିବା ସେ କହିଛନ୍ତି ।

ଅନ୍ୟପଟେ ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସଂପୃକ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀ ମହାପାତ୍ର ମଧ୍ୟ ଆଲୋଚନା କରିବା ସହ ପ୍ରକଳ୍ପ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା,ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଶ୍ରୀ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ,‌ଓଡିଶା ସେତୁ ନିର୍ମାଣ ନିଗମ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଭାତ କୁମାର ପାଣିଗ୍ରାହୀ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ଘୋଷ, ସହାୟକ ଯନ୍ତ୍ରୀ ଶ୍ରୀ ଦୁଲ୍ଲଭ ସାମଲ, ଯନ୍ତ୍ରୀ ଶ୍ରୀ ଅଭିଷେକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.