ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ସମେତ ସମସ୍ତ ପୁରପଲ୍ଲୀ ପୋଙ୍ଗଲ ତଥା ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ତଥା ଉତ୍ସବ ମୁଖର ହୋଇପଡିଛି। ମୁଖ୍ୟତଃ ମକରସଂକ୍ରାନ୍ତି ଅବସରରେ ଦକ୍ଷିଣ ଓଡିଶାର ତେଲୁଗୁ ସମ୍ପ୍ରଦାୟର ଲୋକମାନଙ୍କ ପୋଙ୍ଗଲ ପର୍ବ ଏକ ମୁଖ୍ୟ ଗଣପର୍ବ ଭାବେ ପରିଚିତ। ଏହି ପର୍ବ ସେମାନେ ତିନିଦିନ ଧରି ପାଳିଥାନ୍ତି।
ଏଥିପାଇଁ ସେମାନଙ୍କ ଦୁରଦୁରାନ୍ତରରେ ରହୁଥିବା ନିଜ ଲୋକ ଓ ବନ୍ଧୁବାନ୍ଧବ ସମ୍ପର୍କୀୟ ମାନେ ଏହି ଦିନରେ ଛୁଟି କରି ଘରକୁ ଆସି ଭିଡ ଜମାଇଥାନ୍ତି । ଏହି ପଙ୍ଗଲ ପର୍ବ ତେଲୁଗୁ ଭାଷା ଭାଷୀଙ୍କ ଏକ ମୁଖ୍ୟ ପର୍ବ । ଏହି ପର୍ବକୁ ସେମାନେ ନବବର୍ଷ ଭଳିଆ ମାନି ଅତ୍ୟନ୍ତ ଧୁମଧାମରେ ଏହାକୁ ପାଳନ କରିଥାନ୍ତି। ତିନି ଦିନ ଧରି ପ୍ରଥମ ଦିନରେ ଭୋଗି ପାଳନ କରାଯାଇଥାଏ । ସଂକ୍ରାନ୍ତି ଦିନକ ପୂର୍ବ ରାତ୍ରିରେ ବିଭିନ୍ନ ସାହି ବସ୍ତି ଛକ ମାନଙ୍କରେ ସମସ୍ତେ ଦଳ ଦଳ ହୋଇ କାଠ ଗଣ୍ଡି ରଖି ସେଥିରେ ନିଆଁ ଲଗାଇ ଭୋଗି ପାଳନ କରିଥାନ୍ତି ପ୍ରାୟ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ। ସେତେବେଳେ ଭୋଜି ଭାତ ସେହି ନିଆଁରେ ହିଁ ପ୍ରସ୍ତୁତ କରିବା ସହ ଡାକବାଜ ଯନ୍ତ୍ର ଲଗାଇ ନାଚ ଗୀତର ଆସର କରି ସମସ୍ତେ ତାର ମଜା ନେଉଥାନ୍ତି। ପାହାନ୍ତିଆ ସକାଳ ସମୟରେ ଝିଅ ବୋହୁ , ଯୁବକ ବୟସ୍କ ଲୋକମାନେ ସେହି ନିଆଁ ପାଖରେ ବସି ଦେହର ଥଣ୍ଡାକୁ ଦୁର କରିବା ସହ ଗାଧୋଇବା ପାଇଁ ସେହି ନିଆଁରେ ହାଣ୍ଡି ତସଲା ଯୋଗେ ପାଣି ଗରମ କରିଥାନ୍ତି। ସେହି ନିଆଁରେ ଗରମ ପାଣି କରି ମୁଖ୍ୟତଃ ଗରମ କରି ଛୋଟ ପିଲାମାନଙ୍କୁ ଗାଧେଇଲେ ବିଭିନ୍ନ ରୋଗବ୍ୟାଧି ବନ୍ଦ ହେବା ସହ ଉପଶମ ମିଳିଥାଏ ବୋଲି ତେଲୁଗୁ ଲୋକଙ୍କ ମଧ୍ୟରେ ଅଗାଢ ବିଶ୍ୱାସ ରହିଛି । ପରେ ସକାଳୁ ଓ ପୂର୍ବାହ୍ନ ମଧ୍ୟରେ ସଂକ୍ରାନ୍ତି ଦିନରେ ପୋଙ୍ଗଲ ମକରସଂକ୍ରାନ୍ତି ଅବସରରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ପିଣ୍ଡଦାନ କରିବା ସହ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି କେବଳ ବୁଲାବୁଲି କରି ବାହାର ମନୋରଞ୍ଜନ କରିବାରେ ସମୟ ବିତାଇଥାନ୍ତି । ସଂକ୍ରାନ୍ତି ପରଦିନ ପ୍ରତ୍ୟେକ ତେଲୁଗୁ ଭାଷାଭାଷୀଲୋକଙ୍କ ଘରେ ଇଡିଲି , ମାଛମାଂସ ଭିନ୍ନଭିନ୍ ପ୍ରକାର ପିଠାପଣା ପ୍ରସ୍ତୁତ କରାଯାଇଥାଏ । ପାରଳାଖେମୁଣ୍ଡି ସହର ପଡୋଶୀ ଆନ୍ଧ୍ର ସୀମାନ୍ତରେ ଲାଗି ରହିଥିବା ଯୋଗୁଁ ଏଠାରେ ଉଭୟ ତେଲୁଗୁ ଓ ଓଡିଆ ଭାଷାଭାଷୀ ସମ୍ପ୍ରଦାୟ ମଧ୍ୟରେ ଏହି ମକର ସଂକ୍ରାନ୍ତି ପୋଙ୍ଗଲ ସମୟରେ ଭାଇଚାରା ପର୍ବ ଭାବେ ମଧ୍ୟ ପାଳିଥାନ୍ତି । ପଙ୍ଗଲ ପର୍ବ ଅବସରରେ ପରିବା ବଜାର ସମେତ ଲୁଗାପଟା ଡ୍ରେସ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମିଳୁଥିବା ଦୋକାନ ଗୁଡିକରେ ଭିଡର ଏକ ପ୍ରକାରର ଅନନ୍ୟ ମହଲ ସୃଷ୍ଟି ହୋଇଛି। ବିଭିନ୍ନ ମନ୍ଦିର ଗୁଡିକରେ ମଧ୍ୟ ଭିଡ ସବୁ ଲାଗିରହିଥିଲା।
Sign in
Sign in
Recover your password.
A password will be e-mailed to you.
Next Post