ପ୍ରଧାନମନ୍ତ୍ରୀ ମୋଦି ଭାରତବାସୀଙ୍କୁ ପ୍ରତାରିତ କରିଛନ୍ତି

0

 

ବିମୁଦରୀକରଣ, ଜିଏସଟି ଓ ଆଧାର ଲିଙ୍କ ବିରୋଧରେ ରାଜଧାନୀରେ ୫ଟି ବାମପନ୍ଥୀ ଦଳର ପ୍ରତିବାଦ ଦିବସ

ଭୁବନେଶ୍ୱର : କେନ୍ଦ୍ର ବିଜେପି ସରକାରଙ୍କ ଦେଶ ଓ ଜନବିରୋଧି ବିମୁଦ୍ରାକରଣର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ୫ଟି ବାମପନ୍ଥୀ ରାଜନୈତିକ ଦଳ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍.ଏଲ୍) ଲିବରେସନ୍, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଓ ଏସ୍ୟୁସିଆଇ (କମ୍ୟୁନିଷ୍ଟ ) ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ ଦିବସ ଅନୁଷ୍ଠିତ  ହୋଇଯାଇଛି  । ଆଜି ପୂର୍ବାହ୍ନରେ ୫ଟି ଦଳର ଶହ ଶହ କର୍ମୀ ଦଳୀୟ ଲାଲ୍ ପତାକା, ବ୍ୟାନର ଏବଂ ନୋଟ୍ ବନ୍ଦୀ ଜି.ଏସ୍.ଟି. ଓ ଆଧାର ଲିଙ୍କ ବିରୁଦ୍ଧରେ ଲେଖାଥିବା ବିଭିନ୍ନ ପ୍ଲାକାର୍ଡ ମାନ ଧରି ଭୁବନେଶ୍ୱର ରେଳ ଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରିଥିଲା  । ଶୋଭଯାତ୍ରାକାରୀମାନେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ପହଂଚି  ବିକ୍ଷୋଭ ପ୍ରଦର୍ଶନ କରିବା ପରେ ମୁଖ୍ୟରାସ୍ତାକୁ ଅବରୋଧ କରାଯାଇ ସେଠାରେ ପ୍ରତିବାଦ ସଭା ସଂଗଠିତ ହୋଇଥିଲା  । ସିପିଆଇ ଜୋନ୍ ସମ୍ପାଦକ ସୁର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସିପିଆଇ (ଏମ୍.ଏଲ୍) ଲିବରେସନ୍ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର  ମହାପାତ୍ର, ସିପିଆଇ(ଏମ୍) ନେତା ଦୁଷ୍ମନ୍ତ ଦାସ, ସିପିଆଇ ନେତା ଜୟନ୍ତ ଦାସ, ଏସ୍ୟୁସିଆଇ କମୁ୍ୟନିଷ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା, ଫରୱାର୍ଡ ବ୍ଲକର ଜ୍ୟୋତିରଂଜନ ମହାପାତ୍ର ପ୍ରମୁଖ ଭାଷଣ  ଦେଇ ବିଦେଶରୁ କଳା ଟଙ୍କା ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିବା ପ୍ରଧାନମନ୍ତ୍ରୀ ମୋଦି ଭାରତବାସୀଙ୍କୁ ପ୍ରତାରିତ କରି ନୋଟବଂଦୀ  ଜରୀଆରେ ଦେଶ ଭିତରର କଳାଧନକୁ ଧଳା କରିଦେଲେ  । ଏହାଫଳରେ ଦୁଇକୋଟି ଶ୍ରମିକ ଜୀବିକା ହରାଇଲେ ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିର ହାର ୭.୫ ରୁ ୫.୫ ନୁହେଁ, ପରନ୍ତୁ ପ୍ରକୃତରେ ୩.୫କୁ ଖସି ଆସିଛି  । ସେହିଭଳି ଜି.ଏସ୍.ଟି.ର ପ୍ରଚଳନ ଫଳରେ ରାଜ୍ୟମାନଙ୍କର କ୍ଷମତାକୁ ଅପହରଣ କରି ଖାଉଟି ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ଉପରେ ଆର୍ଥିକ ବୋଝ ଲଦାଯାଇଛି  । ସବୁ କ୍ଷେତ୍ରରେ ଆଧାର ଲିଙ୍କ ଫଳରେ କୋଟି କୋଟି ଗରିବ ଲୋକ ବିଭିନ୍ନ ସୁବିଧାରୁ ବଂଚିତ  ହୋଇ ଦୁର୍ଦ୍ଧଶା ଭୋଗୁଛନ୍ତି  । ବାଧ୍ୟତାମୂଳକ ଆଧାର ବ୍ୟବସ୍ଥାକୁ ବାତିଲ୍ କରିବା ପାଇଁ ନେତାମାନେ ଦାବୀ କରିଥିଲେ  । ଶେଷରେ ସିପିଆଇ (ଏମ୍)ର ପ୍ରଭାତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ  । 

 

 

 

Leave A Reply

Your email address will not be published.