ଏକାଦଶ କୃଷି ଗଣନା ଜିଲ୍ଲା ସ୍ତରୀୟ ସଂଯୋଜନା କମିଟି ବୈଠକ

0
  • ଜିଲ୍ଲାର ସମସ୍ତ ୯୮୮ ଗୋଟି ଗ୍ରାମରେ ଜାନୁଆରୀରୁ ଆରମ୍ଭ ହେବ ସର୍ଭେ 

  • ଜମିର ମାଲିକାନା, ଆକାର, ତଥା କୃଷି ଆନୁସଙ୍ଗିକ ବ୍ୟବହାର ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ 

ସୁବର୍ଣ୍ଣପୁର,( ପ୍ରକାଶ କୁମାର ହାତୀ): ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ହେବାକୁ ଯାଉଥିବା ଏକାଦଶ କୃଷି ଗଣନା ପାଇଁ ଜିଲ୍ଳା ପ୍ରଶାସନ ତରଫରୁ ପ୍ରଥମ ଜିଲ୍ଳା ସ୍ତରୀୟ ସଂଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ତଥା ଜିଲ୍ଳା କୃଷି ଗଣନା ଅଧିକାରୀ ଅବୋଲି ସୁନୀଲ ନରୱଣେ ଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ସୂର୍ଯ୍ୟ ନାରାୟଣ ଦାଶ ଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କୃଷି ଗଣନାର ଆଭିମୁଖ୍ୟ ସହିତ ଚଳିତ ବର୍ଷ ପାଇଁ ଏଥିରେ ସାମିଲ ହେବାକୁ ଥିବା ନୂତନ ନିୟମାବଳୀ ସମ୍ୱନ୍ଧରେ ଆଲୋଚନା କରାଯାଇଛି l ୨୦୨୩ ମାର୍ଚ୍ଚ ୩୧ସୁଦ୍ଧା ସମ୍ପୂର୍ଣ ହେବାକୁ ଧାର୍ଯ୍ୟ କରାଯାଇଥିବା ସମୟ ଅନୁଯାୟୀ ଚଳିତ ଡିସେମ୍ବର ମଧ୍ୟରେ ସର୍ଭେ ପାଇଁ ଆବଶ୍ୟକ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତି ସହ ତାଲିମ ପ୍ରଦାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇ ଜାନୁଆରୀ ରୁ କ୍ଷେତ୍ରୀୟ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ନେଇ ବୈଠକରେ ସୂଚନା ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ସୁବ୍ୟବସ୍ଥି ଓ ସୁପରିଚାଳନା ନିମନ୍ତେ ଜିଲ୍ଳା ଯୋଜନା ଓ ପରିସଂଖ୍ୟନ ବିଭାଗ ର କର୍ମଚାରୀ,କୃଷି ବିଭାଗର ଗ୍ରାମସେବକ ସହ ରାଜସ୍ବ ବିଭାଗର କ୍ଷେତ୍ର ଅଧିକାରୀ ସାମିଲ ରହିବେ l ଜିଲ୍ଲାର ସମସ୍ତ ୯୮୮ ଗ୍ରାମ ରେ ଏହି ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଥି ନିମନ୍ତେ ୯୨ ଜଣ କର୍ମଚାରୀ ନିୟୋଜିତ ରହିବେ l ପ୍ରକାଶ ଥାଉକି ଉଦାହରଣ ଭାବେ ୨୦ପ୍ରତିଶତ ଗ୍ରାମକୁ ସର୍ଭେ କରାଯାଇ ୧୦ ମ କୃଷି ଗଣନା କରାଯାଇଥିବାବେଳେ ଚଳିତ ଏକାଦଶ କୃଷି ଗଣନା ରେ ଜିଲ୍ଲାର ଶତ ପ୍ରତିଶତ ଗ୍ରାମକୁ ଡିଜିଟାଲ ଭାବେ ମୋବାଇଲ ଆପ ଜରିଆରେ ସମସ୍ତ ସର୍ଭେ କରାଯାଇ ୩ଟି ପର୍ଯ୍ୟାୟ ରେ ଡାଟାବେସ ପ୍ରସ୍ତୁତି କରାଯିବ l ଏହି ଗଣନା କାର୍ଯ୍ୟ ରେ ଜମିର ମାଲିକାନା, ଜମିର ଆକାର ପ୍ରକାର, କୃଷି ଯନ୍ତ୍ରପାତି ଉପଯୋଗ, ତଥା ଅନ୍ୟାନ୍ୟ କୃଷି ଆନୁସଙ୍ଗିକ ବ୍ୟବହାର, ଫସଲ ପ୍ରଣାଳୀ ଆଦି ଉପରେ ତଥ୍ୟ ସଂଗ୍ରହ କରାଯିବ l ଡିଜିଟାଲ ମାଧ୍ୟମରେ ଥିବା ଜମିର ରେକର୍ଡ କୁ ଏଥିପାଇଁ ବ୍ୟବହାର କରାଯିବ l ଏହି ଗଣନା କାର୍ଯ୍ୟର ପରିଚାଳନା ଓ ଅଗ୍ରଗତି ବିଭାଗ ୱେବ ପୋର୍ଟାଲ ରେ ମଧ୍ୟ ଅପଲୋଡ଼ କରାଯିବ l ଆଜି ର ଏହି ସଂଯୋଜନା କମିଟି ବୈଠକ ଜିଲ୍ଳା ଯୋଜନା ଓ ପରିସଂଖ୍ୟନ ଉପ ନିର୍ଦେଶକ ଚତୁର୍ଭୁଜ ସାହୁ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ କମିଟିର ସଦସ୍ୟ ଉପନିର୍ଦେଶକ କୃଷି ଗୌରୀ ଶଙ୍କର ସିଂ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ଃ ଏ କେ କର, ସହକାରୀ ନିର୍ଦେଶକ ଉଦ୍ୟାନ ବିଭାଗ ହୃଷିକେଶ ଦାଶ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଡି ଆଇ ଓ ବିକାଶ ରଞ୍ଜନ ନାୟକ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

Leave A Reply

Your email address will not be published.