‘୭ ଦିନ ହେଲା ପୁଅକୁ ପାଉନୁ, ପୁଲିସ୍‌ ବି ଗୁହାରୀ ଶୁଣୁନି’

0 2

ଭଦ୍ରକ(ସତ୍ୟବ୍ରତ ନାୟକ): ‘ପ୍ରାୟ ୬ ଦିନ ହେଲା ପୁଅ କୁଆଡ଼େ ଯାଇଛି, ପାଉନୁ। ମରିଛି, ବଞ୍ଚିଛି ନା ହଜିଛି କିଛି ଜାଣିପାରୁନି। ପୁଅକୁ ଖୋଜି ଖୋଜି ନୟାନ୍ତ ହେଲୁଣି । ପୁଲିସ୍‌ ପାଖକୁ ଯିବାରୁ ପୁଲିସ୍‌ ଆମ ଦୁଃଖ ଶୁଣୁନି। ଅଭିଯୁକ୍ତମାନଙ୍କୁ ଧରିବା ବଦଳରେ ପୁଲିସ୍‌ ଆମ ନାଁରେ ମିଛ କେସ୍ କରି  ହଇରାଣ କରୁଛି।’  କୋହଭରା କଣ୍ଠରେ ଏପରି କହିଛନ୍ତି ନିଖୋଜ ୨ ଯୁବକଙ୍କ ପରିବାର ଲୋକେ। ଏପରି ନ୍ୟାୟ ପାଇଁ ସେମାନେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।ନିଖୋଜ ୨ ଯୁବକ ହେଲେ ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ପଧାନପଡ଼ା ପଞ୍ଚାୟତର ଆଦିବାସୀ ସାହି ଓ ନିମପଲ୍ଲୀ ଗ୍ରାମର ଗୋପାଳ ଓ ସୁରେନ୍ଦ୍ର। ସେମାନେ  ଗତ ୧ ତାରିଖରୁ ନିଖୋଜ ହୋଇ ଯାଇଥିବା ବେଳେ ସେମାନଙ୍କ ପତ୍ତା ମିଳୁନି।ଉକ୍ତ ଦିନ ବିଳମ୍ବିତ ରାତିରେ ବନ୍ତ ଓ ପଧାନପଡ଼ା ଅଞ୍ଚଳରୁ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯୁବକ ସଂଘବଦ୍ଧ ଭାବେ ଠେଙ୍ଗାବାଡ଼ି ଓ ବିଭିନ୍ନ ମାରଣାସ୍ତ୍ର ଧରି ଗ୍ରାମରେ ପଶିଥିଲେ। ସେମାନେ ଗ୍ରାମର ବଟ ମୁଣ୍ଡାଙ୍କ ପୁଅ ଗୋପାଳ ଓ ଗୋଲକ ଜେନାଙ୍କ ପୁଅ ସୁରେନ୍ଦ୍ରଙ୍କୁ  ମାଡ଼ ମାରିବା ସହ ଅପହରଣ କରି ନେଇଯାଇଥିଲେ।  ଉଭୟଙ୍କ ପରିବାର ଏନେଇ ବନ୍ତ ଥାନାରେ ଅଭିଯୋଗ କରିଥିଲେ।ବନ୍ତ ପୁଲିସ ମାମଲା ରୁଜୁ କରିଥିଲେ ହେଁ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନ ଥିବାବେଳେ ଅପହୃତ ଦୁଇ ଯୁବକଙ୍କ ସନ୍ଧାନ ପାଇପାରି ନାହିଁ । ଅଭିଯୁକ୍ତମାନଙ୍କୁ ଧରିବା ବଦଳରେ ପୁଲିସ ଆମ ନାଁରେ ମିଛ କେସ୍ କରି ହଇରାଣ କରୁଛି ବୋଲି ସେମାନେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।ଧାମନଗର ଏସ୍‌ଡିପିଓ ଏବଂ ବନ୍ତ ଥାନାଧିକାରୀଙ୍କୁ ବଦଳି କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅପହୃତଙ୍କ ପରିବାର ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି । ଘଟଣାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଚରଣ ସିଂ ମୀନା ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.