କାଷ୍ଟ ସାର୍ଟିଫିକେଟ୍‌ ପାଇଁ ୫୦୦ ଟଙ୍କା ନେଲେ ଲାଞ୍ଚୁଆ ଆର୍‌ଆଇ; ସାମାଜିକ ଗଣମାଧ୍ୟମରେ ଭିଡିଓ ହେଲା ଭାଇରାଲ

0 2

ଭଦ୍ରକ : (ସତ୍ୟବ୍ରତ ନାୟକ)୫୦୦ ଟଙ୍କା ଦେଇ ଜାତିଗତ ପ୍ରମାଣପତ୍ର ନିଅ। ଟଙ୍କା ନଦେଲେ ବିଭିନ୍ନ ବାହାନା ଦେଖାଉଛନ୍ତି ରାଜସ୍ୱ ନିରିକ୍ଷକ (ଆର୍‌ଆଇ)। ‘’ଜଣେ ସରକାରୀ ଅଧିକାରୀଙ୍କ ମୁଣ୍ଡ କଣ  ୨୦୦ ଟଙ୍କା କି ? କାମ ନେବ, ୨୦୦ ଦେବ କେମିତି’’? ଏପରି କହି କାଷ୍ଟ ସାର୍ଟିଫିକେଟ ପାଇଁ ଆସିଥିବା ହିତାଧିକାରୀଙ୍କ ସହ ଡିଲ୍‌ କରୁଛନ୍ତି ଆର୍‌ଆଇ। ଲାଞ୍ଚ ନେବା ବେଳର ଭିଡିଓ ମଧ୍ୟ ଏବେ ଭାଇରାଲ୍‌ ହେବାରେ ଲାଗିଛି।ଖବର ଅନୁସାରେ, ଲାଞ୍ଚୁଆ ଆର୍‌ଆଇ ଜଣଙ୍କ ଧାମନଗର ତହସିଲ ଅଧୀନ ଦଳାଙ୍ଗ ରାଜସ୍ବ ମଣ୍ଡଳ ଦାୟିତ୍ୱରେ ଅଛନ୍ତି। ତାଙ୍କ ପରିଚୟ ତାପସ ଜେନା। ଦଳାଙ୍ଗ ରାଜସ୍ବ ମଣ୍ଡଳ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ଝିଅର କାଷ୍ଟ ସାର୍ଟିଫିକେଟ ପାଇଁ ଆବେଦନ କରିଥିଲେ। ବାରମ୍ବାର ତହସିଲ ଅଫସ୍‌ ଓ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ଯାଇବି ସାର୍ଟିଫିକେଟ୍‌ ମିଳିଲାନି। ତହସିଲ ଅଫିସରେ ତାଙ୍କୁ କୁହାଯାଇଥିଲା କି, ଆରଆଇ ଏଯାଏଁ ଫାଇଲ୍‌ ଫରୱାର୍ଡ କରିନାହାନ୍ତି।ଏହା ଶୁଣି ସେ ଆରଆଇ ଅଫିସ ଆସିଲେ। ଆରଆଇ ଅଫିସରେ ପହଞ୍ଚି ଆର୍‌ଆଇଙ୍କୁ ସାର୍ଟିଫିକେଟ୍‌ କରାଇବାକୁ ଅନୁରୋଧ କରିଥିଲେ। ଏହାଶୁଣି ରାଜସ୍ୱ ନିରୀକ୍ଷକ ତାପସ ଜେନା ତାଙ୍କ ଅସଲ ରୂପ ଦେଖାଇଥିଲେ। ସେ ପ୍ରତ୍ୟକ୍ଷ ଭାବେ ଏଥିପାଇଁ ୫୦୦ ଟଙ୍କା ମାଗିଥିଲେ। ହେଲେ ସମ୍ପୃକ୍ତ ବ୍ୟକ୍ତି ୨୦୦ ଟଙ୍କା ଦେବେବୋଲି କହିଥିଲେ। ଏହା ଶୁଣି ଆରଆଇ ଚିହିଁକି ଉଠିଥିଲେ। ପରେ ଲାଞ୍ଚୁଆ ଆର୍‌ଆଇ ସେହି ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ନେଇ ତାଙ୍କ କାଷ୍ଟ ସାର୍ଟିଫିକେଟ୍‌କୁ ତହସିଲ୍‌ ଅଫିସ୍‌କୁ ଫରୱାର୍ଡ କରିଥିଲେ।ସେପଟେ  ଏନେଇ ରାଜସ୍ବ ନିରୀକ୍ଷକ ତାପସ ଜେନା କିମ୍ବା ତହସିଲଦାର କ୍ଷୀରୋଦ ପଣ୍ଡାଙ୍କ ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ଟଙ୍କା ନେବାର ଚିତ୍ର ସେହି ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି।

Leave A Reply

Your email address will not be published.