ପଦ୍ମପୁର ରେ ରେକର୍ଡ ମତଦାନ

0

ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହେଉଛି ମତଦାନ

ବରଗଡ :- ପଦ୍ମପୁର ଉପ- ନିର୍ବାଚନ ମଣ୍ଡଳୀରେ ୩୧୯ ଟି ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଶ୍ରୀମତୀ ମୋନିଷା ବାନାର୍ଜୀ ବିଭିନ୍ନ ବୁଥ କୁ ପରିଦର୍ଶନ କରିଥିଲେ । ସାଧାରଣ ପର୍ଯ୍ୟବେକ୍ଷକ, ଶ୍ରୀ ମାନବେନ୍ଦ୍ର ପ୍ରତାପ ସିଂ ଓ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ବିଭିନ୍ନ ବୁଥ ପରିଦର୍ଶନ କରିଥିଲେ । ସକାଳ ୯.୦୦ ଟା ସୁଦ୍ଧା ୮.୫ %, ୧୧ ଟା ସୁଦ୍ଧା ୨୯.୭୩ %, ଦିବା ୧.୦୦ ଟା ସୁଦ୍ଧା ୪୬.୯୬ % ଓ ଅପରାହ୍ନ ୩ ଟା ସୁଦ୍ଧା ୬୫.୨୮ % ମତଦାନ ହୋଇଥିବା ବେଳେ ୫.୦୦ ଟା ସୁଦ୍ଧା ପ୍ରାୟ ୭୫.୮୯ % ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟା ଛଅ ଘଣ୍ଟା ସୁଦ୍ଧା ପ୍ରାୟ ୮୦% ମତଦାନ ହୋଇଥିବା ସୂଚନା ପ୍ରାପ୍ତ ହୋଇଛି , ଅବଶ୍ୟ କିଛି ବୁଥ ରେ ଏବେ ମଧ୍ୟ ପ୍ରାୟ ୭୦ ଗୋଟି ମତଦାନ କେନ୍ଦ୍ର ରେ ମତଦାନ ଚାଲୁ ରହିଛି ତେଣୁ ଭୋଟ ପ୍ରତିଶତ ଆହୁରି ବଢିବ ।। ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ଗୁଡିକରେ ଭୋଟରମାନଙ୍କର ଲମ୍ବା ଧାଡି ଥିବା ବେଳେ ସମସ୍ତେ ମତଦାନ ପାଇଁ ଉତ୍ସାହିତ ଥିଲେ । ଉଦାହାରଣ ସ୍ୱରୂପ ଖଲିଆମୁଣ୍ଡା ବୁଥ ନଂ- ୨୯୯ ରେ ମହିଳା ଓ ଯୁବ ଭୋଟରମାନଙ୍କ ଭିତରେ ଉତ୍ସାହ ପରିଲକ୍ଷିତ ହେଉଥିବା ବେଳେ ଟାଲ ବୁଥ ନଂ- ୨୮୨ ର ଦିବ୍ୟାଙ୍ଗ ଭୋଟର, ଦେଉଳୀ ପିଙ୍କ ବୁଥ ରେ ବୁଥ ନଂ ୨୨୧, ୨୨୨ ରେ ୮୦ ବର୍ଷ ରୁ ଉର୍ଦ୍ଧ୍ଵ ବୟସ୍କ ଭୋଟରମାନଙ୍କର ମତଦାନ ପାଇଁ ଉତ୍ସାହ ପ୍ରଶଂସନୀୟ ଥିଲା । ବୁଥ ନଂ ୨୦୯ ରାଜବୋରାସମ୍ବର ହାଇ ସ୍କୁଲ, ପଦ୍ମପୁର, ବୁଥ ନଂ- ୩୦୪, ଘନାମାଳ, ପଦ୍ମପୁର ଠାରେ ପ୍ରାରମ୍ଭିକ ଅବସ୍ଥାରେ ଇଭିଏମ ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା ଏବଂ ତୁରନ୍ତ ପରିବର୍ତ୍ତନ କରାଯିବା ପରେ ଭୋଟ ଗ୍ରହଣ ସ୍ଵାଭାବିକ ହୋଇଥିଲା ।

ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କ ସହାୟତାରେ ଦିବ୍ୟାଙ୍ଗ ଓ ବୟସ୍କ ଭୋଟରମାନେ ଅଟୋ ଓ ହ୍ଵିଲ ଚେୟାରରେ ଆସି ତାଙ୍କର ମତଦାନ ସାବ୍ୟସ୍ତ କରିଥିଲେ । ସୀମାନ୍ତରେ ସୁରକ୍ଷାକୁ କଡାକଡି କରାଯାଇଥିବା ବେଳେ କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ପରିଲକ୍ଷିତ ହୋଇ ନଥିଲା । ଆଦର୍ଶ ଓ ଗୋଲାପୀ ମତଦାନ କେନ୍ଦ୍ରରେ ସୁନ୍ଦର ଭାବରେ ସାଜସଜ୍ଜା କରାଯାଇ ଭୋଟରମାନଙ୍କୁ ସ୍ଵାଗତ କରଯାଇଥିଲା । ଆଜି ସନ୍ଧ୍ୟାରେ ପଦ୍ମପୁର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଥିବା ରିସିଭିଂ ସେଣ୍ଟରରେ ମତଦାନ ପରେ ଇଭିଏମ ଗୁଡିକ ପୋଲିଂ ଅଧିକାରୀଙ୍କ ଠାରୁ ଗ୍ରହଣ କରାଯାଇ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଥିବା ଗୋଦାମ ଗୃହର ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ଭିତରେ ରହିବ । ଆସନ୍ତା ଡିସେମ୍ବର ୮ ତାରିଖରେ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଥିବା ଭୋଟ ଗଣତି କେନ୍ଦ୍ରରେ ଭୋଟ ଗଣନା କରାଯିବ ବୋଲି ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣି ଦାସ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.