ଫୁଲବାଣୀ : ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନ ‘ଟିବି ହାରେଗା ଦେଶ ଜିତେଗା’ରେ ବିଭିନ୍ନ ରାଜ୍ୟରେ ଟିବି ନିରାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଯକ୍ଷ୍ମା ମୁକ୍ତ ଅଭିଯାନରେ ସାମିଲ ହୋଇ କନ୍ଧମାଳ ସାଂସଦ ତଥା କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କନ୍ଧମାଳ ଜିଲ୍ଳାକୁ ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କରି କନ୍ଧମାଳ ଜିଲ୍ଲାକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛି। ସୋମବାର ସାଂସଦ ଅଚ୍ୟୁତ ସାମନ୍ତ ଏହି ଜିଲ୍ଲାର ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ସହାୟତା ‘ଖାଦ୍ୟ ବାସ୍କେଟ’ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଖାଦ୍ୟ ବାସ୍କେଟରେ ପ୍ରତିମାସ ବୟସ୍କ ରୋଗୀଙ୍କ ପାଇଁ ୩ କିଲୋ ଶସ୍ୟ ଓ ବାଜରା ଦିଆଯାଉଥିବା ବେଳେ ପିଲାଙ୍କ ପାଇଁ ୨ କିଲୋ ଶସ୍ୟ ଓ ବାଜରା; ବୟସ୍କ ଓ ପିଲାଙ୍କ ପାଇଁ ଯଥାକ୍ରମେ ୧.୫କିଲୋ ଓ ୧ ଡାଲି; ୨୫୦ ଗ୍ରାମ ଓ ୧୫୦ ଗ୍ରାମ ପନିପରିବା, ରନ୍ଧନ ତେଲ; ୧ କିଲୋ ଓ ୭୫୦ ଗ୍ରାମ ଚିନାବାଦାମ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଫୁଲବାଣୀଠାରେ କନ୍ଧମାଳ ଜିଲ୍ଲାର ୬ଟି ବ୍ଲକ୍ ଓ ବାଲିଗୁଡ଼ାଠାରେ ଜିଲ୍ଲାର ଆଉ ୬ଟି ବ୍ଲକ୍ର ୩୯ଜଣ ଶିଶୁଙ୍କ ସମେତ ମୋଟ ୬୦୬ ଜଣ ଟିବି ରୋଗୀଙ୍କୁ ପୋଷକ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରତିମାସ ଏହି କାର୍ଯ୍ୟକ୍ରମ ଜାରି ରହିବ। ପୋଷକ ଖାଦ୍ୟ ବଣ୍ଟନ ବାବଦରେ ଜିଲ୍ଲାର ସମସ୍ତ ରୋଗୀଙ୍କ ପାଇଁ ମାସିକ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ୬ମାସରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ଏବଂ ଏଥିପାଇଁ ମୋଟ ୪୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ଏବାବାଦ ସମସ୍ତ ଖର୍ଚ୍ଚ ମଧ୍ୟ କିସ୍ ଫାଉଣ୍ଡେସନ୍ ବହନ କରିବ ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ଉପମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ ପଟ୍ଟନାୟକ ଏବଂ ଜିଲ୍ଲା ଏଡିପିଏଚ୍ଓ (ଟିବି) ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post