ଦିନରାତି କରୁଛନ୍ତି କଲବଲ, ୧୮ ଟିକିଆ ହାତୀପଲ

0

ଚାଷୀଙ୍କୁ ଘାରିଲାଣି ଚିନ୍ତା, କେମିତି ସୁରକ୍ଷିତ ରହିବ ଫସଲ

ଭଞ୍ଜନଗର (ନିଲୁ ବିଷୋୟୀ) : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ୧୮ ଟିକିଆ ହାତୀପଲଙ୍କ ଦୌରାତ୍ମ ଚାଷୀ ଓ ଜନସାଧାରଣଙ୍କ ମୁଣ୍ଡରେ ଚଡ଼କ ପକାଇଛି । ମୁଜାଗଡ଼, ଜଗନ୍ନାଥପ୍ରସାଦ ଓ ତାରସିଂ ବନାଞ୍ଚଳ ସମେତ ଗାଲେରି ବନାଞ୍ଚଳର ଦୋମୁହାଣି, ହରିଗଡ଼, ରାଇଗୋଚ୍ଛା, କୁରାଢ଼ିଆ,ନୂଆପଲ୍ଲୀ ଓ ଚଢ଼ିଆପଲ୍ଲୀ ଗ୍ରାମ ନିକଟରେ କିଛିଦିନ ହେଲା ହାତୀପଲଙ୍କ ଗତିବିଧି ଲକ୍ଷ୍ୟ ରଖାଯାଉଥିଲା। ସଞ୍ଜ ନଇଁବା କ୍ଷଣି ହାତୀପଲ ଗାଲେରୀ ନିକଟ ଶୁଳାବଣି ଜଙ୍ଗଲରୁ ବାହାରି କ୍ଷେତରେ ପଶୁଥିଲେ। ପାଚିଲା ଧାନ ଖାଇବା ସହ ଦଳିଚକଟି ଫସଲ ନଷ୍ଟ କରୁଥିଲେ। ବର୍ତ୍ତମାନ ଏହି ହାତୀପଲ ଦୁଇ ଦିନ ହେଲା ଚନ୍ଦ୍ରଗିରି ଜଙ୍ଗଲ ଦେଇ କୁଲାଡ଼ ସେକ୍ସନ୍‌ରେ ପଶି ଉପଦ୍ରବ ଚଳାଇଛନ୍ତି। ଏହି ପଲରେ ୪ଟି ଦନ୍ତା ଏବଂ ୯ଟି ମାଈ ହାତୀ ସମେତ ଛୁଆ ହାତୀ ଅଛନ୍ତି। ଶନିବାର ସକାଳେ ହାତୀପଲ ତିଳିସିଙ୍ଗି, ଟାଙ୍ଗଣ,ବାହୁକପଲି,କାଦଲୁଣ୍ଡିରେ ଥିବା ବିଭିନ୍ନ ଚାଷଜମିରେ ପଶି ଧାନ ଫସଲ ଓ ପନିପରିବା ନଷ୍ଟ କରିଥିଲେ। ରବିବାର ହାତୀପଲ ଦିନ ତମାମ୍ ଟାଙ୍ଗଣ ଓ ରାଇପଲି ଅଞ୍ଚଳରେ ପାଚିଲା ଧାନର ବାସ୍ନାରେ ଜନବସତିମୁହାଁ ହୋଇ କ୍ଷେତରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ତେବେ ହାତୀପଲଙ୍କ ଗତିବିଧି ଯୋଗୁଁ ମଣ୍ଡିରେ ଧାନ ବିକ୍ରି ପୂର୍ବରୁ ଏହାର ସୁରକ୍ଷା ପାଇଁ ଚାଷୀ ମୁଣ୍ଡରେ ଚିନ୍ତାରେ ପଶିଛି। ସେପଟେ ହାତୀର ସୁରକ୍ଷା ଏବଂ ହାତୀଠାରୁ ମଣିଷର ସୁରକ୍ଷା ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ୍ ଭାବେ ଉଭା ହୋଇଛି। ଫଳରେ କିଛି ଚାଷୀ ଧାନଫସଲକୁ କାଟି ଖଳାକୁ ବୋହି ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ତଥାପି ହାତୀପଲର ଭୟ ଘାରୁଛି। କାରଣ ଚଳିତବର୍ଷ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭଲ ଧାନ ଅମଳ ହୋଇଛି। ଅନ୍ୟପକ୍ଷରେ ହାତୀ ଭୟରେ ସନ୍ଧ୍ୟା ହେଲେ ଗ୍ରାମବାସୀ ବାହାରକୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି। କେବଳ ଏତିକି ନୁହେଁ, ଦିନରେ ବି ହାତୀପଲ ମୁଖ୍ୟରାସ୍ତାକୁ ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ସେମାନଙ୍କ ସୁରକ୍ଷାକୁ ନଜର‌ରେ ରଖି ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରାଯାଉଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରିପୋର୍ଟ ଲେଖା ଯିବା ସୁଦ୍ଧା ଟାଙ୍ଗଣ – ରାଇପଲି ମଧ୍ୟରେ ହାତୀପଲ ଙ୍କ ଉପଦ୍ରବ ଜାରି ରହିଛି। ବନ ବିଭାଗ ପକ୍ଷରୁ ହାତୀପଲକୁ ଜଙ୍ଗଲ ଭିତରକୁ ଘଉଡ଼ାଇବା ଏବଂ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

Leave A Reply

Your email address will not be published.