ଭୁବନେଶ୍ୱର : ଗୁରୁତର ଭାବେ ନିମୋନିଆ ରୋଗରେ ପୀଡ଼ିତ ଥିବା ଜଣେ ୭୯ ବର୍ଷୀୟ ବ୍ୟକ୍ତିଙ୍କୁ ଦୀର୍ଘ ୫୭ ଦିନ ଧରି ଚିକିତ୍ସା କରିବା ପରେ ତାଙ୍କୁ ସୁସ୍ଥ କରାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର ।
ନିକୁଞ୍ଜ କିଶୋର ଦାସ ନାମକ ଏହି ବ୍ୟକ୍ତି ଜଣକ ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ଜ୍ୱର ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ । ତାଙ୍କର ନିମୋନିଆର ସମସ୍ୟା ମଧ୍ୟ ରହିଥିଲା ।
ହସ୍ପିଟାଲ୍ରେ ଭର୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତି କରାଯିବା ସହ ନନ୍ ଇନ୍ଭେସିଭ୍ ଭେଂଟିଲେସନ୍ରେ ରଖାଯାଇଥିଲା । ତାଙ୍କର ମଧୁମେହ, ରକ୍ତଚାପ, ହାଇପର ଥାଇରଏଡ, ଗୁରୁତର ବୃକକ୍ ସମସ୍ୟା ଏବଂ ହୃଦରୋଗ ଭଳି ଜଟିଳତା ସହ ତାଙ୍କର ପୂର୍ବରୁ ଆନ୍ଜିଓପ୍ଲାଷ୍ଟି ମଧ୍ୟ ହୋଇଥିବାର ଜଣାପଡ଼ିଥିଲା । ତେଣୁ ତାଙ୍କର ଚିକିତ୍ସା କରିବା ଡାକ୍ତରମାନଙ୍କ ନିମନ୍ତେ କଷ୍ଟକର ହୋଇପଡ଼ିଥିଲା ।
କାର୍ଡିଓଲୋଜି, ନେଫ୍ରୋଲୋଜି, ପଲ୍ମୁନୋଲୋଜି ବିଭାଗ ବିଶେଷଜ୍ଞ, ପ୍ଲାଷ୍ଟିକ୍ ସର୍ଜନ୍ ଏବଂ ଇନ୍ଟେନ୍ସିଭିଷ୍ଟସ ମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ଏହି ରୋଗୀଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା ।
ଆଂଟିବାୟୋଟିକ୍ସ ପ୍ରଦାନ ଏବଂ ଅନ୍ୟାନ୍ୟ ଚିକିତ୍ସା ଦ୍ୱାରା ଧୀରେ ଧୀରେ ରୋଗୀ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ଏବଂ ୨ ସପ୍ତାହ ମଧ୍ୟରେ ସେ ଆଇସିୟୁରୁ କ୍ୟାବିନ୍କୁ ସ୍ଥାନାନ୍ତର ହୋଇଥିଲେ ବୋଲି ହସ୍ପିଟାଲ୍ର କ୍ରିଟିକାଲ୍ କେୟାର ବିଭାଗର ସିନିୟର କନ୍ସଲ୍ଟାଂଟ ଡାକ୍ତର ଆନନ୍ଦ ମିଶ୍ର କହିଛନ୍ତି ।
ତେବେ କ୍ୟାବିନ୍ରେ ଦୁଇ ଦିନ ରହିବା ପରେ ତାଙ୍କର ହୃଦ୍ସ୍ପନ୍ଦନରେ ଅନିୟମିତତା ଦେଖାଦେଇଥିଲା, ପରିସ୍ରାରେ ରକ୍ତ ପଡ଼ିଲା ଏବଂ ନିଃଶ୍ୱାସ ନେବାରେ କଷ୍ଟ ଅନୁଭୂତ ହେଲା ଯାହା ଫଳରେ ତାଙ୍କୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତର କରାଯାଇ ଭେଂଟିଲେଟରରେ ରଖାଗଲା । କିଡ୍ନୀ ଜନିତ ସମସ୍ୟା ଏବଂ ହେମୋଗ୍ଲୋବିନ୍ର ମାତ୍ରା ଶରୀରରେ କମ୍ ରହିଥିବା ଯୋଗୁଁ ତାଙ୍କର ଡାଏଲିସିସ୍ ଆରମ୍ଭ କରାଗଲା ।
ଭେଂଟିଲେଟରରେ ରହିବା ଦ୍ୱାରା ତାଙ୍କୁ ମାତ୍ରାଧିକ ନିମୋନିଆ ଏବଂ ଆକ୍ୟୁଟ୍ ରେସ୍ପିରେଟୋରୀ ଡିଷ୍ଟ୍ରେସ୍ ସିଣ୍ଡ୍ରୋମ୍ ଭଳି ସମସ୍ୟା ସୃଷ୍ଟି ହେଲା । ତାଙ୍କ ଶରୀରରେ ଟ୍ରାକିଓଷ୍ଟୋମି ମଧ୍ୟ କରାଗଲା ବୋଲି ଡାକ୍ତର ମିଶ୍ର କହିଛନ୍ତି ।
ଏଥି ସହିତ ରୋଗୀଙ୍କର ବେକ ପାଖରେ ଥିବା ଧମନୀରେ ଏକ ରକ୍ତ କ୍ଲଟ ମଧ୍ୟ ଦେଖାଦେବାରୁ ହୃଦ୍ସ୍ପନ୍ଦନକୁ ନିୟନ୍ତ୍ରଣ କରିବା ନିମନ୍ତେ ଉପଯୁକ୍ତ ଔଷଧ ପ୍ରଦାନ କରାଗଲା ।
ଚିକିତ୍ସା ସମୟରେ ଅଚାନକ ଅନେକ ଗୁଡ଼ିଏ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହଠାତ୍ ସୃଷ୍ଟି ହେବା ଯୋଗୁଁ ଡାକ୍ତରମାନଙ୍କୁ ଅଧିକ ସମସ୍ୟା ହେଲା ବୋଲି କହିବା ସହ ହୃଦ୍ ସମସ୍ୟା ଏବଂ କିଡ୍ନୀ ଜନିତ ଅନ୍ୟାନ୍ୟ ସମସ୍ୟା ଥିବା ଯୋଗୁଁ ରୋଗୀ ଜଣଙ୍କୁ ଭେଂଟିଲେଟରରୁ କାଢ଼ିବା ଖୁବ୍ କଷ୍ଟକର ଥିଲା । ତେବେ ଧୀରେ ଧୀରେ କିଛି ଦିନ ମଧ୍ୟରେ ତାଙ୍କୁ ଭେଂଟିଲେଟରରୁ କଢ଼ାଗଲା ଏବଂ ଟ୍ରାକିଓଷ୍ଟୋମି ବନ୍ଦ କରାଗଲା ।
କିଛି ଦିନ ମଧ୍ୟରେ ରୋଗୀ ଜଣକୁ ଏକ ଲିଟର ଅକ୍ସିଜେନ୍ ସାହାଯ୍ୟରେ କ୍ୟାବିନ୍କୁ ସ୍ଥାନାନ୍ତର କରାଗଲା । ନିୟମିତ ଫିଜିଓଥେରାପି ଏବଂ ଉପଯୁକ୍ତ ଖାଦ୍ୟ ଦ୍ୱାରା ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଲେ ।
ରୋଗୀ ଜଣକ ପ୍ରାୟ ୫୭ ଦିନ ହସ୍ପିଟାଲ୍ରେ ରହିବା ପରେ ଶେଷରେ ଡିସ୍ଚାର୍ଜ ହୋଇଥିଲେ ।
ଆଇସିୟୁ ଟିମ୍ର ୨୪ ଘଂଟିଆ ଚିକିତ୍ସା ଓ ସେବା ଶୁଶ୍ରୁଷା, ବିଭିନ୍ନ ଡାକ୍ତରୀ ଟିମ୍ର ଚିକିତ୍ସା ସହିତ ପରବାରବର୍ଗଙ୍କୁ ରୋଗୀ ସୁସ୍ଥ ହେବା ନେଇ ଉପଯୁକ୍ତ ଭାବେ ଅବଗତ କରିବା ଦ୍ୱାରା ଏହି ସଫଳତା ମିଳି ପାରିଲା ବୋଲି ଡାକ୍ତର ମିଶ୍ର କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post