ମୁମ୍ବଇ: ଚଳିତ ମାସ ୧୯ ତାରିଖରେ ଏଠାରେ ସଂଗୀତ କଳା କେନ୍ଦ୍ର ପୁରସ୍କାର ଉତ୍ସବର ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହାର ସର୍ବୋଚ୍ଚ ପୁରସ୍କାର ସମ୍ମାନଜନକ ଆଦିତ୍ୟ ବିକ୍ରମ ବିର୍ଲା କଳାଶିଖର ପୁରସ୍କାର କିମ୍ବଦନ୍ତୀ ନୃତ୍ୟ ବିଶାରଦ ଡ. ବୈଜୟନ୍ତୀମାଳା ବାଲିଙ୍କୁ ପ୍ରଦାନ କରାଯାଇଛି । ସଂଗୀତ କଳା କେନ୍ଦ୍ର (ଏସ୍କେକେ)ର ପ୍ରେସିଡେଣ୍ଟ ଶ୍ରୀମତୀ ରାଜଶ୍ରୀ ବିର୍ଲା ଏହି ପୁରସ୍କାର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ଏସ୍କେକେ ପୁରସ୍କାରସୂମହ ଏହାର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ରୀ ଆଦିତ୍ୟ ବିକ୍ରମ ବିର୍ଲାଙ୍କ ଦ୍ୱାରା ୧୯୯୬ରେ ସ୍ଥାପିତ ହୋଇଥିଲା ଏବଂ ଏହା ପ୍ରଦର୍ଶନ କଳା କ୍ଷେତ୍ରରେ ତାଙ୍କର ସମୃଦ୍ଧ ପରମ୍ପରାକୁ ଚିରାୟୁ କରିବାର ଏକ ମାର୍ଗ ହୋଇଛି ।
ଏହି ଅବସରରେ ସୁପରିଚିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଶ୍ରୀମତୀ ଅନ୍ୱେଷା ମହନ୍ତ ଏବଂ କଥାକଳି ନୃତ୍ୟଶିଳ୍ପୀ ଶ୍ରୀ କଳାମଣ୍ଡଳମ୍ ଆଦିତ୍ୟନ୍ଙ୍କୁ ଆଦିତ୍ୟ ବିକ୍ରମ ବିର୍ଲା କଳାକିରଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଏସ୍କେକେ ପୁରସ୍କାର ଡ.କନକ ରେଲେ, ଶ୍ରୀମତୀ ଚିତ୍ର ବିଶ୍ୱେଶରନ୍, ଶ୍ରୀମତୀ ଦର୍ଶନା ଝାଭେରୀ ଏବଂ ଶ୍ରୀ ଜୟନ୍ତ କସ୍ତୌରଙ୍କୁ ମିଳିତ ଭାବରେ ମଧ୍ୟ ପ୍ରଦାନ କରାଯାଇଥିଲା ।
ସମାବେଶକୁ ସମ୍ବୋଧିତ କରି ଶ୍ରୀମତୀ ବିର୍ଲା ଏସ୍କେକେର ପ୍ରତିଷ୍ଠାତା ଜନକ ଶ୍ରୀ ଆଦିତ୍ୟ ବିକ୍ରମ ବିର୍ଲାଙ୍କର କେତେକ ସ୍ୱତନ୍ତ୍ର ଗୁଣ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଶ୍ରୀମତୀ ବିର୍ଲା ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ, “ଆଦିତ୍ୟଜୀ ନିଜ ଜୀବନରେ ସର୍ବଦା ଅତି ଚମତ୍କାର ଭାବରେ ସକାରାତ୍ମକ ଆଭିମୁଖ୍ୟ ରଖୁଥିଲେ । ସେ କହୁଥିଲେ, ଜୀବନ ଜୀଇଁବା ପାଇଁ, ତମକୁ ନିଜ ଜୀବନକୁ ଭଲପାଇବାକୁ ହେବ । ଜଣେ ଖୁସି ରହିବା ଉଚିତ । ପରିବାରର ଊର୍ଦ୍ଧ୍ୱରେ, ନିଜ କାର୍ଯ୍ୟ ଊର୍ଦ୍ଧ୍ୱରେ ସଂଗୀତ, ନୃତ୍ୟ, ମଞ୍ଚ ଆଦି ଭଳି ପ୍ରଦର୍ଶନକାରୀ କଳା ଜଣଙ୍କ ଜୀବନର ଖୁସି ମାନଚିତ୍ରକୁ ଏକ ରୂପ ପ୍ରଦାନ କରିଥାଏ । ଏହା ପ୍ରଦର୍ଶନକାରୀ କଳା ପ୍ରତି ତାଙ୍କ ଭିତରେ ଅହେତୁକ ଆଗ୍ରହ ସୃଷ୍ଟି କରିଥିଲା, ଯାହା ପରିଣତିରେ ସଂଗୀତ କଳା କେନ୍ଦ୍ରକୁ ଜନ୍ମ ଦେଲା ।”
ଡ.ବୈଜୟନ୍ତୀମାଳା ବାଲିଙ୍କୁ ଭୂୟସୀ ପ୍ରଶଂସା କରି ଶ୍ରୀମତୀ ବିର୍ଲା କହିଥିଲେ, “ବୈଜୟନ୍ତୀମାଳା କେବଳ ନୃତ୍ୟ ଜଗତର ବାଦ୍ଶାହ ନୁହନ୍ତି, ନୃତ୍ୟ ଜଗତରେ ସେ ଅପ୍ରତିଦ୍ୱନ୍ଦ୍ୱୀ ଭାବରେ ଶୀର୍ଷସ୍ଥାନୀୟ, ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ ଏବଂ ବହୁମୁଖୀ ବ୍ୟକ୍ତିତ୍ୱ ଅଟନ୍ତି । ଆପଣମାନେ କଳ୍ପନା କରନ୍ତୁ, ୧୯୪୦ ଦଶକରେ, ୭ ବର୍ଷ ବୟସର ଜଣେ ଶିଶୁ କଳାକାର ଭାବରେ ସେ ଭାଟିକାନ୍ ସିଟିଠାରେ ପୋପ୍ ପିୟସ୍ ଦ୍ୱାଦଶଙ୍କ ପାଇଁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ ।”
ବିଗତ ଦିନର ସ୍ମୃତିଚାରଣ କରି ଏବଂ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ନୃତ୍ୟ ମୁଖ୍ୟସ୍ଥାନ ନେଇଥିବା ଉଲ୍ଲେଖ କରି ଶ୍ରୀମତୀ ବିର୍ଲା କହିଥିଲେ ଯେ ସେ ନିଜେ ଓ ସ୍ୱର୍ଗତ ଶ୍ରୀ ଆଦିତ୍ୟ ବିର୍ଲା ମନେକରୁଥିଲେ, ନୃତ୍ୟ ହେଉଛି ସମସ୍ତ ସମୟ ଓ ସ୍ଥାନର ଊର୍ଦ୍ଧ୍ୱରେ, ନୃତ୍ୟ ଜରିଆରେ ଜଣଙ୍କର ସ୍ୱପ୍ନ ଡେଣାମେଲାଇ ଉଡିବା ଆରମ୍ଭ କରିଥାଏ । ନୃତ୍ୟ କ୍ଷେତ୍ରରେ ସେମାନେ ପୁନଃସ୍ଥାପନକାରୀ, ପୁନଃନିର୍ମାଣକାରୀ ସୃଜନାତ୍ମକ କଳାକୁ ଅନୁଭବ କରିଛନ୍ତି ।
ଗତାନୁଗତିକ ଭାବଗମ୍ଭୀର ପରିବେଶକୁ ସାମାନ୍ୟ ହାଲ୍କା କରିବାକୁ ଯାଇ ଶ୍ରୀମତୀ ବିର୍ଲା କହିଥିଲେ, ସେମାନେ ଉଭୟ ନୃତ୍ୟ ପ୍ରଦର୍ଶନକୁ ବେଶ୍ ଉପଭୋଗ କରୁଥିଲେ ମଧ୍ୟ ସେ ନିଜେ କେବେହେଲେ ନୃତ୍ୟ କରିନାହାନ୍ତି, କାରଣ ଶ୍ରୀ ଆଦିତ୍ୟ ବିର୍ଲା ତାଙ୍କୁ ପରିହାସ କରି କହୁଥିଲେ ଯେ ତାଙ୍କର ଦୁଇଟି ବାମଗୋଡ ରହିଛି ।
୧୯୯୮ରୁ ୨୦୧୮ ମଧ୍ୟରେ ଗୁରୁ କେଳୁଚରଣ ମହାପାତ୍ର (୧୯୯୮), ଶ୍ରୀମତୀ ମୃଣାଳିନୀ ସରାଭାଇ (୨୦୦୭), ପଣ୍ଡିତ ବିର୍ଜୁ ମହାରାଜ (୨୦୧୪) ଏବଂ ଡ.କନକ ରେଲେ (୨୦୧୮) କଳାଶିଖର ପୁରସ୍କାର ଲାଭ କରିଛନ୍ତି ।
ଏହି ପୁରସ୍କାର ସମାରୋହ ଶେଷରେ ଶ୍ରୀମତୀ ମାଧୁରୀ ଦୀକ୍ଷିତ ଏବଂ ଶ୍ରୀ ଅରିଜିତ ସିଂଙ୍କ ଦ୍ୱାରା ବର୍ଣ୍ଣାଢ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.