ଭୁବନେଶ୍ୱର : ମୃତ ବ୍ୟକ୍ତିଙ୍କ ଶରୀରରୁ ଅଂଗ ପ୍ରତ୍ୟାରୋପଣ ନେଇ ପ୍ରସ୍ତୁତ କରାଯାଇଥିବା ନିୟମାବଳୀ ଉପରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ଗତ ଶୁକ୍ରବାର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)ର ରାଜ୍ୟ ନୋଡାଲ୍ ଅଫିସର ପ୍ରଫେସର (ଡାକ୍ତର) ଉମାକାନ୍ତ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅଭିଯାନର ଗୁରୁତ୍ୱ ସମ୍ପର୍କରେ ମତ ବ୍ୟକ୍ତ କରିବା ସହ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସମ୍ମମ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଏଭଳି କାର୍ଯ୍ୟକ୍ରମ ଦ୍ୱାରା ନିଶ୍ଚିତ ଭାବେ ସଚେତନତା ବୃଦ୍ଧି ପାଇବ ଓ ମୃତ ବ୍ୟକ୍ତିଙ୍କ ଅଂଗ ପ୍ରତ୍ୟାରୋପଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଥିଲେ ।
ରାଜ୍ୟ ସରକାର ମଧ୍ୟ ଏଭଳି କାର୍ଯ୍ୟକ୍ରମକୁ ନେଇ ବେଶ ଉତ୍ସାହିତ କାରଣ ଏଭଳି ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଅଂଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷାରତ ରୋଗୀମାନେ ଉପକୃତ ହୋଇପାରିବେ । ତେଣୁ ରାଜ୍ୟ ସରକାର ଏଭଳି ମହତ୍ କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରଫେସର ଶତପଥୀ କହିଥିଲେ ।
ସମ୍ମମ୍ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ (ଡାକ୍ତର) ବିରାଜ ମୋହନ୍ ମିଶ୍ର ଏହି କାର୍ଯକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶଙ୍କ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ । ମୃତ ବ୍ୟକ୍ତିଙ୍କ ଅଂଗ ପ୍ରତ୍ୟାରୋପଣ ଭାରତରେ ଖୁବ୍ କମ୍ ଦେଖିବାକୁ ମିଳୁଥିବା ବେଳେ ଏହାର ନିୟମାବଳୀ ସମ୍ପର୍କରେ ଅବଗତ ହେବା ସହ ମୃତ୍ୟୁ ପରେ ଅଂଗ ପ୍ରତ୍ୟାରୋପଣ ନିମନ୍ତେ ଲୋକମାନଙ୍କୁ ସଚେତନ କରାଇବା ଜରୁରୀ ବୋଲି ଡକ୍ଟର ଦାଶ କହିଛନ୍ତି । ଆମେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେଇଛୁ ଏବଂ ଓଡ଼ିଶାବାସୀଙ୍କୁ ଏ ଦିଗରେ ସଚେତନ କରାଇବା ନିମନ୍ତେ ଆଗକୁ ମଧ୍ୟ ଏହି କାର୍ଯ୍ୟ ଜାରୀ ରହିବ ବୋଲି ଡକ୍ଟର ଦାଶ ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ସୋଟୋର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ବିଭୁତି ଭୂଷଣ ନାୟକ ଯୋଗ ଦେଇ ମୃତ ବ୍ୟକ୍ତିଙ୍କ ଅଂଗ ପ୍ରତ୍ୟାରୋପଣ କ୍ଷେତ୍ରରେ ପ୍ରସ୍ତୁତ ନିୟମାବଳୀ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ଏ କ୍ଷେତ୍ରରେ ପୋଲିସ୍ ଏବଂ ଫୋରେନ୍ସିକ୍ ବିଶେଷଜ୍ଞମାନଙ୍କର ମେଡିକୋ ଲିଗାଲ କେସ୍ଗୁଡ଼ିକରେ ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମମ୍ର ବିଭିନ୍ନ ବିଭାଗର ଡାକ୍ତର, ସୋଟୋ ଟିମ୍ର ସଦସ୍ୟ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.