ଭୂତକୋଠୀ ପାଲଟିଛି ଏଏନ୍ଏମ୍ କେନ୍ଦ୍ର

35

ଆଙ୍ଗୁଳିଆ ବିସ୍ଥାପିତ କଲୋନୀରେ ପ୍ରହସନ ପାଲଟିଛି ସ୍ୱାସ୍ଥ୍ୟସେବା



କେନ୍ଦୁଝର,ତା୫/୧୧- ବିସ୍ଥାପିତଙ୍କ ଥଇଥାନ ଓ ମୌଳିକ ସୁବିଧା ଯୋଗାଇଦେବା ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଏବଂ ପ୍ରତିଶ୍ରୁତି ଦିଆଯାଉଥିବା ବେଳେ ଚମ୍ପୁଆ ଉପଖଣ୍ଡ ଆଙ୍ଗୁଳିଆସ୍ଥିତ ବିସ୍ଥାପିତ କଲୋନୀରେ ସ୍ୱାସ୍ଥ୍ୟସେବାର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଏଠାରେ ଏଏନ୍ଏମ୍ କେନ୍ଦ୍ର ଥିଲେ ମଧ୍ୟ କୌଣସି ଏଏନ୍ଏମ୍ କିମ୍ବା ସ୍ୱାସ୍ଥ୍ୟକର୍ମୀ ନିୟମିତ ଭାବେ କାର୍ଯ୍ୟରତ ନଥିବା ଅଭିଯୋଗ ହୋଇଛି । ଫଳରେ କଲୋନୀରେ ବସବାସ କରୁଥିବା ବିସ୍ଥାପିତ ପରିବାରଗୁଡ଼ିକ ମୌଳିକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ଯୋଗୁଁ ଚମକପୁର ଗ୍ରାମର ଶତାଧିକ ପରିବାର ନିଜ ଭିଟାମାଟି ଛାଡ଼ି ଆଙ୍ଗୁଳିଆସ୍ଥିତ ବିସ୍ଥାପିତ କଲୋନୀରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବସବାସ କରିଆସୁଛନ୍ତି । ନିଜର ପୂର୍ବପୁରୁଷଙ୍କ ଭିଟାମାଟି ଓ ପରିଚିତ ପରିବେଶ ଛାଡ଼ି ନୂତନ ସ୍ଥାନରେ ଜୀବନ ଆରମ୍ଭ କରିଥିବା ଏହି ପରିବାରଗୁଡ଼ିକ ଆଜି ମଧ୍ୟ ବିଭିନ୍ନ ମୌଳିକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ରହିଛି । ସେଥିମଧ୍ୟରୁ ସ୍ୱାସ୍ଥ୍ୟସେବା ସମସ୍ୟା ଏବେ ଗୁରୁତର ରୂପ ନେଇଛି । କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ଜରିଆରେ କଲୋନୀରେ ଏକ ଏଏନ୍ଏମ୍ କେନ୍ଦ୍ର ନିର୍ମାଣ କରାଯାଇଥିଲେ ମଧ୍ୟ ସେଠାରେ ନିୟମିତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତି ନଥିବାରୁ ଗର୍ଭବତୀ ମହିଳା, ପ୍ରସୂତି, ଶିଶୁ ଏବଂ ବୟସ୍କ ବ୍ୟକ୍ତିମାନେ ଆବଶ୍ୟକ ସମୟରେ ପ୍ରାଥମିକ ସ୍ୱାସ୍ଥ୍ୟ ପରାମର୍ଶ ଓ ସେବା ପାଇବାରେ ଅସୁବିଧା ଭୋଗୁଛନ୍ତି । ଟିକାକରଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା, ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଭଳି ଜରୁରୀ ସେବା ପାଇଁ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଅନ୍ୟ ସ୍ଥାନ ଉପରେ ନିର୍ଭର କରିବାକୁ ପଡ଼ୁଥିବା ଅଭିଯୋଗ ହେଉଛି । ପ୍ରଶ୍ନ ଉଠୁଛି, ଲକ୍ଷାଧିକ ଟଙ୍କା ବ୍ୟୟରେ ଏଏନ୍ଏମ୍ କେନ୍ଦ୍ର ନିର୍ମାଣ କରାଯାଇଥିଲେ ମଧ୍ୟ ଯଦି ସେଠାରେ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ ନାହାନ୍ତି, ତେବେ ଏହି କେନ୍ଦ୍ରର ଉଦ୍ଦେଶ୍ୟ କ’ଣ ? କେବଳ କୋଠା ନିର୍ମାଣ କରିଦେଲେ କ’ଣ ବିସ୍ଥାପିତଙ୍କ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ହୋଇପାରିବ ? ଏହାର ପରିଚାଳନା ଓ ତଦାରଖ ଦାୟିତ୍ୱ କାହାର ? ଏହି ପ୍ରଶ୍ନଗୁଡ଼ିକ ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ଅନ୍ୟପକ୍ଷରେ, ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନ ଦାୟିତ୍ୱରେ ଥିବା ପ୍ରକଳ୍ପ କର୍ତ୍ତୃପକ୍ଷ ଏବଂ ସ୍ୱାସ୍ଥ୍ୟ ବିଭାଗ ଏହି ସମସ୍ୟା ପ୍ରତି କେବେ ଦୃଷ୍ଟି ଦେବେ, ତାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ବିସ୍ଥାପିତ ପରିବାରଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଶାସନର ନିରବତା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ତେଣୁ ଜିଲ୍ଲା ପ୍ରଶାସନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ସମ୍ପୃକ୍ତ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏହି ଏଏନ୍ଏମ୍ କେନ୍ଦ୍ରର ସ୍ଥିତି ଯାଞ୍ଚ କରିବା ସହ ନିୟମିତ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, କେନ୍ଦ୍ରର ନିୟମିତ ପରିଚାଳନା ଏବଂ ଆବଶ୍ୟକ ଔଷଧ ଓ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବାକୁ ଦାବି ହେଉଛି । ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବିସ୍ଥାପନର ଯନ୍ତ୍ରଣା ସହି ଆସୁଥିବା ପରିବାରଗୁଡ଼ିକୁ ଅନ୍ତତଃ ମୌଳିକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନକରିବାକୁ ସାଧାରଣରେ ଦାବି ଜୋର ଧରିଛି । ବିସ୍ଥାପିତଙ୍କ ପାଇଁ ଏଏନ୍ଏମ୍ କେନ୍ଦ୍ର ନିର୍ମାଣ ହୋଇଛି, ହେଲେ ସେବା କେବେ ମିଳିବ ? ଏବେ ଏହା ହିଁ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି ।

Leave A Reply

Your email address will not be published.