ପରଲୋକରେ ମୁଲାୟମ ସିଂ ଯାଦବ

0

ଗୁରୁଗାଓଁ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ତିନିଥର ମୁଖ୍ୟମନ୍ତ୍ରୀ ରହିଥିବା ଭେଟେରାନ ରାଜନେତା ମୁଲାୟମ ସିଂ ଯାଦବଙ୍କର ଆଜି ସକାଳେ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | ମୂତ୍ରାଶୟ ସଂକ୍ରମଣ କାରଣରୁ ୨୬ ସେପ୍ଟେମ୍ବରରୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୨ ଅକ୍ଟୋବରେ ଅମ୍ଳଜାନ ସ୍ତର କମ୍ ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।ମୂତ୍ରାଶୟ ସଂକ୍ରମଣ ସହ ତାଙ୍କ ରକ୍ତ ଚାପ ମଧ୍ୟ ବୃଦ୍ଧି ପାଇଥିଲା । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବା କାଣରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଆଜି ସକାଳେ ତାଙ୍କର ପରଲୋକ ଘଟିଛି | ସକାଳ 8:16 ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ପରିପ୍ରେକ୍ଷୀରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ତାଙ୍କ ପିତାଙ୍କ ଦେହାନ୍ତ ଖବର ସୂଚନା ଦେବାକୁ ଯାଇ ଟୁଇଟ ରେ ଉଲ୍ଲେଖ କରିଥିଲେ ଯେ “ମୋର ସମ୍ମାନୀୟ ପିତାଜୀ ଏବଂ ସମସ୍ତଙ୍କ ଆଦରର ନେତା ଜୀ ଆଉ ନାହାଁନ୍ତି।

ଶ୍ରୀ ଯାଦବଙ୍କ ରାଜନୈତିକ କ୍ୟାରିୟର ପାଞ୍ଚ ଦଶନ୍ଧି ଲମ୍ବା ଥିଲା | କଂଗ୍ରେସ ବିରୋଧୀ ରାଜନୀତିର ଚିନ୍ତାଧାରା ନେଇ ମୁଲାୟମ ସିଂ ଯାଦବ ରାଜନୈତିକ ମୈଦାନରେ ପ୍ରବେଶ କରିଥିଲେ ଏବଂ ରାମ ମନୋହର ଲୋହିଆଙ୍କ ସହ ସମାଜବାଦୀ ଆଦର୍ଶକୁ ନିଜ ରାଜନୈତିକ ରାସ୍ତା ଭାବେ ବାଛିନେଇଥିଲେ। ମୁଲାୟମ ସିଂ ଯାଦବ ଚୌଧୁରୀ ଚରଣ ସିଂଙ୍କ ସହାୟତାରେ ରାଜନୈତିକ ସଫଳତା ପାଇଥିଲେ | କୁସ୍ତିରୁ ରାଜନୀତିକୁ ଆସିଥିବା ମୁଲାୟମ ତାଙ୍କ ଯୁଗର ରାଜନୀତିର ଜଣେ ଶକ୍ତିଶାଳୀ ପହିଲମାନ ଥିଲେ। ଜନସଂଖ୍ୟା ଦୃଷ୍ଟିରୁ ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶର ତିନିଥର ମୁଖ୍ୟମନ୍ତ୍ରୀ ଥିଲେ ମୁଲାୟମ ସିଂ ଯାଦବ | ୨୨ ନଭେମ୍ବର ୧୯୩୯ରେ ଜନ୍ମିତ ଶ୍ରୀ ଯାଦବ ସମାଜବାଦୀ ପାର୍ଟି ସମର୍ଥକ ତଥା ନେତାଙ୍କ ଦ୍ୱାରା “ନେତାଜୀ” ଭାବରେ ପରିଚିତ ଥିଲେ | ଶ୍ରୀ ଯାଦବ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ତାଙ୍କର ମୃତ୍ୟୁରେ ଦେଶରେ ବିରୋଧୀ ରାଜନୀତିର ଜଣେ ବଳିଷ୍ଠ ରାଜନେତାଙ୍କ ଶୁନ୍ୟତା ସୃଷ୍ଟିହୋଇଯାଇଛି | ତାଙ୍କ ବିୟୋଗରେ ଜଗତରେ ଶୋକର ଛାୟା ଖେଳିଯାଇଛି । 

Leave A Reply

Your email address will not be published.