ଭୁବନେଶ୍ୱର : ଆମ ଦେଶ ଆଜି ବିପଦରେ। ଏ ଦେଶକୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱ ମିଳିବା ପରେ ଭାରତୀୟ ଲୋକେ ଧର୍ମ ଓ ଜାତିଭେଦ ଭୁଲି ମିଳିତ ଭାବରେ ଇଂରେଜ କବଳରୁ ସ୍ୱାଧୀନତା ହାସଲ କରିଥିଲେ। ହେଲେ କେତେକ ସାମ୍ପ୍ରଦାୟିକ ସଂଗଠନ ତଥା ସେମାନଙ୍କ ମୁଖା ସାଜିଥିବା ଭାରତ ସରକାର ପୁଣି ଧର୍ମ ଓ ଜାତିଗତ ବିଦ୍ୱେଷକୁ ବଢ଼ାଇ ଏ ଦେଶରେ ଯୁଗ ଯୁଗ ଧରି ଶାସନ ଚଳାଇବାକୁ ପ୍ରୟାସ ଚଳାଇଛନ୍ତି। ରାଜ୍ୟ ତଥା କେନ୍ଦ୍ର ସରକାର କର୍ପୋରେଟମାନଙ୍କୁ ଦେଶର ଖଣି, ପାଣି, ଜମି, ଜଙ୍ଗଲ ଟେକି ଦେଉଥିବାରୁ ଯୁବକମାନେ ଚାକିରୀ ନପାଇ ହା’ ଅନ୍ନ ଚିତ୍କାର କରୁଛନ୍ତି। ଦରଦାମ ବୃଦ୍ଧି ଦେଶର ନବେ ଭାଗ ଲୋକଙ୍କ ଅଣ୍ଟା ଭାଙ୍ଗି ସାରିଲାଣି। ଜାତୀୟ ଶିକ୍ଷା ନୀତି – ୨୦୨୦ ମାଧ୍ୟମରେ ସରକାର ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ସାମ୍ପ୍ରଦାୟିକ ରୂପ ଦେବା ସହ ଶିକ୍ଷା ବେପାରୀମାନଙ୍କ ହାତକୁ ଦେଶର ଶିକ୍ଷା ବ୍ୟବସ୍ଥାକୁ ଟେକିଦେବା ଯୋଜନା ଚଲାଇଛନ୍ତି। ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଡ. ରାଜେନ୍ଦ୍ର ପ୍ରସାଦ ତଥା ଡ଼. ବାବାସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ତିଆରି ହୋଇଥିବା ଭାରତର ସମ୍ବିଧାନକୁ ବଦଳାଇବା ପାଇଁ ଚାଲିଥିବା ଅପଚେଷ୍ଟା କଥା ବୁଝାପଡ଼ିଲାଣି।
ଦେଶର ଗଣତନ୍ତ୍ର, ସମ୍ବିଧାନ, ଧର୍ମନିରପେକ୍ଷତା, ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ସୁରକ୍ଷା ତଥା ବେରୋଜଗାରୀ, ଦରଦାମ ବୃଦ୍ଧିକୁ ରୋକିବା ନିମନ୍ତେ ରାଷ୍ଟ୍ରୀୟ ସ୍ତରରେ ଆରମ୍ଭ ହୋଇଥିବା ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ପ୍ରୟାସ “ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ” ଆଗାମୀ ଗାନ୍ଧୀ ଜୟନ୍ତୀ ଠାରୁ ଓଡ଼ିଶାର ପ୍ରତି ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ପ୍ରତି ଜିଲ୍ଲାରେ ୭୫ କିଲୋମିଟର ବ୍ୟାପି ପଦଯାତ୍ରା ଓ ସାଇକେଲ ଯାତ୍ରା ଆୟୋଜିତ ହେବ ତଥା ରାଜ୍ୟବ୍ୟାପୀ ବାହନ ଯାତ୍ରା ମାଧ୍ୟମରେ ଓଡ଼ିଶାର ପୁରପଲ୍ଲୀରେ ଅଭିଯାନର ବାର୍ତ୍ତା ପହଞ୍ଚାଯିବ। ଆଗାମୀ ଜାନୁଆରୀ ୩୦ ସୁଦ୍ଧା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାମ୍ପ୍ରଦାୟିକ ସଦଭାବ ସମ୍ମିଳନୀ ରାଜ୍ୟସ୍ତରରେ ଆୟୋଜନ କରାଯିବ। ଏହି ଅଭିଯାନରେ ରାଜ୍ୟର ଗଣତନ୍ତ୍ର ବିଶ୍ଵାସୀ ରାଜନୈତିକ ଦଳ ତଥା ଜନ ଆନ୍ଦୋଳନମାନେ ସାମିଲ ହେବାକୁ ନିବେଦନ କରିଛନ୍ତି। ଲୋହିଆ ଏକାଡେମୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ରାଜ୍ୟ ସଂଯୋଜକ ଡଃ ବିଶ୍ଵଜିତ, କଲ୍ୟାଣ ଆନନ୍ଦ ଓ ମାନସ ପଟ୍ଟନାୟକ ତଥା ମାର୍ଗଦର୍ଶକ ପ୍ରଫୁଲ୍ଲ ସାମନ୍ତରା, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ରବି ଦାସ, ଦେବ ପ୍ରସାଦ ରାୟ, ଜୟନ୍ତ କୁମାର ଦାସ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post