ଭୁବନେଶ୍ୱର: ପରିବାର ମୁହଁରେ ମୁଠାଏ ଖାଇବାକୁ ଦେବା ପାଇଁ ସ୍ଵାମୀଙ୍କୁ ସହଯୋଗ କରୁଥିଲେ କିନ୍ତୁ କିଛି ମାସ ତଳେ ବିଦ୍ୟୁତ ଦୁର୍ଘଟଣାରେ ଦୁଇଟି ହାତ ହରାଇବା ପରେ ଏବେ ସେ ଦିବ୍ୟାଙ୍ଗ । ଗଞ୍ଜାମ ଜିଲ୍ଲା ବାଘଦେବୀ ମନ୍ଦିର ସାହି ଅଞ୍ଚଳର ୫୧ ବର୍ଷିୟା ମହିଳା କେ. ଭାନୁମତି । ପେଟ ପାଟଣା ପାଇଁ ସେ ତାଙ୍କ ସ୍ଵାମୀଙ୍କ ସହ ଏକ ଛୋଟ ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ,ଏହି ଭିନ୍ନକ୍ଷମ ମହିଳାଙ୍କ ଦୁଃଖ ଦେଖିପାରିଲା ନାହିଁ ଓଡ଼ିଶା ମୋ ପରିବାର, ସ୍ଵାବଲମ୍ବୀ ହେବାକୁ ସହାୟତାର ହାତ ବଢାଇ ଯୋଗାଇଦେଲା କୃତ୍ରିମ ହାତ ।
ଦୁର୍ଘଟଣା ଘଟିଥିଲା ଗତ ଫେବ୍ରୁୟାରୀ ୧୧ ତାରିଖରେ, ଭାନୁମତି ଲୁଗା ଶୁଖାଇବାକୁ ଯାଇଥିଲାବେଳେ ଏକ ବିଦ୍ୟୁତ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯେଉଁଠାରେ ତାଙ୍କ ଦୁଇଟି ହାତରେ ଗଭୀର ଆଘାତ ଲାଗିଥିଲା । ଯେହେତୁ ହାତ ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା, ଏହାକୁ କାଟିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ହାତ ଦୁଇଟି କଟା ହେବା ପରେ ସେ ଆଜି ପର୍ଯ୍ୟନ୍ତ କୃତ୍ରିମ ହାତ ବ୍ୟବହାର କରିନଥିଲେ । ନିଜର ଦୈନନ୍ଦିନ କାମ କରିବା ପାଇଁ ସେ ଅସମର୍ଥ ଥିଲେ । ଅସହାୟ ହୋଇ ତାଙ୍କୁ କୃତ୍ରିମ ହାତ ଯୋଗାଇ ଦେବା ପାଇଁ ସେ ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଶ୍ରୀ ସୁବାଷ ମହାରଣାଙ୍କୁ ଯୋଗାଯୋଗ କରିଥିଲେ ।
ଶ୍ରୀ ମହାରଣା ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ଜଣାଇଥିଲେ ଏବଂ ଯେହେତୁ ଭାନୁମତିଙ୍କର ଅତ୍ୟାଧୁନିକ ହାତର ଆବଶ୍ୟକତା ଥିଲା ସେଥିପାଇଁ ଓଡ଼ିଶା ମୋ ପରିବାର ଆବାହକ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ସଙ୍ଗେସଙ୍ଗେ ମନ୍ତ୍ରୀ, ଶ୍ରୀ ପଣ୍ଡା ଏହି ଘଟଣାକୁ ଗୁରୁତ୍ଵ ଦେଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ଆଲୋଚନା କରିଥିଲେ ଏବଂ ଶ୍ରୀ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜେନେରାଲ ମ୍ୟାନେଜର (ଏ.ଆର.ସି) ଶ୍ରୀ ପ୍ରଶାନ୍ତ ନାୟକ ଏହି ଘଟଣା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଇଥିଲେ ।
ଶେଷରେ, ସେପ୍ଟେମ୍ବର ୩୦ ତାରିଖରେ ତାଙ୍କୁ ଅତ୍ୟାଧୁନିକ କୃତ୍ରିମ ହାତ ଦୁଇଟି ଯୋଗାଇ ଦିଆଯାଇଛି । ତାଙ୍କୁ କୃତ୍ରିମ ହାତ ପ୍ରଦାନ କରାଯିବା ସମୟରେ ଓଡ଼ିଶା ମୋ ପରିବାର ଆବାହକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
କୃତ୍ରିମ ହାତ ଦୁଇଟି ପାଇବା ପରେ ଭାନୁମତିଙ୍କ ମୁହଁରେ ହସର ଲହରୀ ଖେଳି ଯାଇଥିଲା ଏବଂ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.