“ପାର୍ବତୀ ଗିରି ଉଠା ଜଳସେଚନ ଯୋଜନା”ରେ ଗଜପତି ଜିଲ୍ଲା ସାମିଲ

0

 ରାୟଗଡ଼ ଓ ଗୋଷାଣୀ ବ୍ଲକର ୧୩ଟି ଗ୍ରାମର ୧୯୯୮.୯୯ ହେକ୍ଟର ଚାଷଜମି ଜଳସେଚିତ ହେବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଯୋଜନା ଅନ୍ତର୍ଗତ ଏକାଧିକ ପ୍ରସ୍ତାବ ଉପରେ କେବିନେଟ୍ ମୋହର ଲାଗିଥିବା ବେଳେ ସେଥି ମଧ୍ୟରୁ ସବୁଜ ସଂକେତ ମିଳିଥିବା ଗଜପତି ଜିଲ୍ଲା ଅନ୍ୟତମ। ପାରଳାଖେମୁଣ୍ଡି ସ୍ଥିତ ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେଡି ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ପ୍ରଦୀପ ନାୟକ ଏଇ ସୂଚନା ଦେଇଛନ୍ତି।
ବିଜେଡି ଜିଲ୍ଲା ସଭାପତି ଶ୍ରୀ ନାୟକ କହିଛନ୍ତି ଯେ , ପାର୍ବତୀ ଗିରି ମେଗା ଉଠା ଜଳସେଚନ ଯୋଜନାରେ ୫ ଟି ଜିଲ୍ଲା ମଧ୍ୟରେ ଗଜପତି ଜିଲ୍ଲା ମଧ୍ୟ ସାମିଲ ହୋଇ ଜିଲ୍ଲାର ଗୋଷାଣୀ ଓ ରାୟଗଡ଼ ବ୍ଲକର ୧୩ ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରି କେବିନେଟ ମୋହର ଲାଗିଛି।
ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁଭଳି କାର୍ଯ୍ୟକ୍ରମ ସବୁ କରି ଚାଲିଛନ୍ତି , ସେଥିପାଇଁ ତାଙ୍କୁ ଜିଲ୍ଲାର ଚାଷୀକୁଳ ଓ ବିଜେଡି ପକ୍ଷରୁ ଅଶେଷ ଧନ୍ୟବାଦ।
ଯେଉଁ ଚାଷୀକୁଳ ପୂର୍ବରୁ ଜଳସେଚନ ଓ ବୃଷ୍ଟିପାତ ଅଭାବରୁ ବିଭିନ୍ନ ସମୟରେ ଚାଷ କ୍ଷେତ୍ରରେ ମରୁଡ଼ିର ଶିକାର ହୋଇ ଅଧିକ କ୍ଷତିର ସମ୍ମୁଖୀନ ହେଉଥିଲେ। ଏହାଦ୍ବାରା ବହୁ ଚାଷୀ ବିଶେଷ ଉପକୃତ ହୋଇ ପାରିବେ ।
ରାୟଗଡ଼ ଓ ଗୋଷାଣୀ ବ୍ଲକର ବିଭିନ୍ନ ଗ୍ରାମ ଦେଇ ପ୍ରବାହିତ ହେଉଥିବା ଚିରସ୍ରୋତା ମହେନ୍ଦ୍ର ତନୟା ନଦୀରୁ ଏଇ ଯେଉଁ ମେଗା ଉଠା ଜଳସେଚନ ବ୍ୟବସ୍ଥା ହୋଇଛି , ଏହା ଦ୍ବାରା ଶତାଧିକ ଚାଷୀ ପ୍ରତିବର୍ଷ ଜଳସେଚନ କ୍ଷେତ୍ରରେ ବିଶେଷ ଭାବେ ଉପକୃତ ହୋଇ ପାରିବେ।
ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ୧୦ ଟି ଗ୍ରାମର ୧୭୧୫-୮୧ ହେକ୍ଟର ଏବଂ ଗୋଷାଣୀ ବ୍ଲକର ୩ ଟି ଗ୍ରାମର ୨୮୩-୧୮୮ ହେକ୍ଟର ଚାଷ ଜମିକୁ ଜଳସେଚିତ ହୋଇପାରିବ ଏବଂ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବା ନିର୍ଦ୍ଦେଶ ରହିଛି।
ଅନ୍ୟପକ୍ଷରେ ଏହି ପ୍ରକଳ୍ପ ଦ୍ଵାରା ଚାଷୀକୁଳ ବିଶେଷ ଉପକୃତ ହେବା ସହ ଏହାର ମାଇକ୍ରୋ ଜଳସେଚନ ସୁବିଧା ଉପଯୋଗ କରି ପାରମ୍ପରିକ ଧାନ ଫସଲ ପରିବର୍ତ୍ତେ ଅର୍ଥକାରୀ ଫସଲ କରିବାକୁ ଅଧିକ ଉତ୍ସାହିତ ହେବେ ଏବଂ ଏହାଦ୍ବାରା ଚାଷୀମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ ବୋଲି ଶ୍ରୀ ନାୟକ ସୂଚନା ଦେଇ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି. ତିରୁପତି ରାଓ , ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ , ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନାମି ମଣ୍ଡଳ , କାଶୀନଗର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବାଲ୍ଲା ସାୟାମ୍ମା , ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ , କାଶୀନଗର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଏମ. ସୁଧାରାଣୀ , ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ , ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ବିରରାଜୁ , ଉପାଧ୍ୟକ୍ଷା ଶ୍ରୀମତୀ ଏସ. କଲ୍ୟାଣୀ , ବିଜେଡି ଜିଲ୍ଲା ଯୁବ ସଭାପତି ଶ୍ରୀ ଏସ. ଲିଙ୍ଗାରାଜୁ , ଛାତ୍ର ସଭାପତି ଶ୍ରୀ ସୌମ୍ୟଜିତ ତ୍ରିପାଠୀ ପ୍ରମୁଖଙ୍କ ସମେତ ବିଜେଡିର ବରିଷ୍ଠ ନେତା ଶ୍ରୀ ଗଜପତି ରାଓ , ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗ , ଶ୍ରୀ ଲକ୍ଷ୍ମୀକାନ୍ତ ପରିଚ୍ଛା , ଶ୍ରୀ ଜମିଦାର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ।

Leave A Reply

Your email address will not be published.