ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହେବ ପାରଳା ନାଟକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ , ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ନିୟମିତ ନାଟ୍ୟ ପରିକ୍ରମା କାର୍ଯ୍ୟକ୍ରମ ନାଟ୍ୟଧାରାରେ ପରିବେଷଣ ହେବ ପାରଳାର ନାଟକ “ଭୋକ”।
ପ୍ରଥମ ଓଡ଼ିଆ ନାଟକ ଓ ରଙ୍ଗମଞ୍ଚକୁ ଜନ୍ମ ଦେଇଥିବା ମାଟି ପାରଳାଖେମୁଣ୍ଡି ( ଗଜପତି ଜିଲ୍ଲା ) ର ଅଗ୍ରଣୀ ନାଟ୍ୟ ସଂଗଠନ “କ୍ରିଏଟିଭ ଆର୍ଟସ୍” ର କଳାକାର ମାନେ ଭୁବନେଶ୍ଵରର ଐତିହାସିକ ରବୀନ୍ଦ୍ର ମଣ୍ଡପରେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ( ସୋମବାର ଦିନ ) ସନ୍ଧ୍ୟାରେ ଏହି ନାଟକ ପ୍ରଦର୍ଶନ କରିବା ପାଇଁ ଯାଉଛନ୍ତି।
ବିଶେଷ ଭାବରେ ଭୁବନେଶ୍ୱରରେ ରହୁଥିବା ଗଜପତି ବାସୀ ମାନଙ୍କ ମଧ୍ୟରେ ଏଥି ପାଇଁ ଉତ୍ସାହ ଖେଳିଯାଇଛି କାରଣ ଦୀର୍ଘ ବର୍ଷ ପରେ ପାରଳାର କଳାକାର ମାନେ ରାଜଧାନୀରେ ନାଟକ ପରିବେଷଣ କରିବେ।
ଏହି ନାଟକକୁ ପ୍ରଭାକର ପାତ୍ର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ମନୋଜ ପାଢ଼ୀ (ମୁନା)। ନାଟକର ପୂର୍ବାଭିନୟ ଯୋରଦାର ଚାଲିଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା କାଲି ୧୮ ତାରିଖରେ ( ରବିବାର ଦିନ) ପାରଳାର ଏହି ନାଟ୍ୟ ଦଳ ଭୁବନେଶ୍ବର ଅଭିମୁଖେ ବାହାରିବେ ବୋଲି ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଆଦର୍ଶ ଦାସ କହିଛନ୍ତି।

Leave A Reply

Your email address will not be published.