ଭୁବନେଶ୍ୱର : ଅର୍ଥ ଅଭାବରୁ ଶେଷକୃତ୍ୟ ସମ୍ପନ୍ନ ହେବା ପାଇଁ ଜନ୍ମମାଟିକୁ ଫେରି ପାରୁନଥିଲା ମୃତା ଯୁବତୀଙ୍କ ପାର୍ଥିବ ଶରୀର | ଏଭଳି ଅସମୟରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର | ଆଉ ଶେଷରେ ପୈତୃକ ଗ୍ରାମକୁ ଫେରିଲା ମର ଶରୀର ।
ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବଉଳଗାଁର ୨୨ବର୍ଷିୟା ଯୁବତୀ ବିନି ଦାସଙ୍କର ପେଟରେ ଟ୍ୟୁମର୍ ହୋଇଥିବାରୁ ଗତ ଅଗଷ୍ଟ ମାସ ୨୮ତାରିଖରୁ କଟକ ବଡ଼ ମେଡିକାଲ ଭେଷଜ ବିଭାଗରେ ରହି ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ଅକ୍ଳାନ୍ତ ଉଦ୍ୟମ ସତ୍ତ୍ଵେ ସେ ଗତ ସେପ୍ଟେମ୍ବର ୧୪ ତାରିଖ ସନ୍ଧ୍ୟା ୭ଟା ସମୟରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରିବାର ବର୍ଗ ଆର୍ଥିକ ଚାପରେ ଥିବାରୁ ମୃତଦେହ ନିଜ ଗ୍ରାମକୁ ନେବା ପାଇଁ ଅସମର୍ଥ ଥିଲେ ଓ ଏହି ସମୟରେ ସେମାନେ ମୁଖ୍ୟମନ୍ତ୍ରୀଙ୍କର ଓ. ଏସ୍. ଡ଼ି ଡକ୍ଟର ଗୋପବନ୍ଧୁ ଦାଶଙ୍କର ସହାୟତା ଲୋଡିଥିଲେ ।
ଡକ୍ଟର ଦାଶଙ୍କ ଠାରୁ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ କଟକ ସିଟି ଜୀବନବିନ୍ଦୁ ସଂଯୋଜକ ଡଃ ରଞ୍ଜନ ବିଶ୍ୱାଳଙ୍କୁ ଏ ବିଷୟରେ ଜଣାଇବା ପରେ ଡଃ ବିଶ୍ଵାଳ ଏବଂ ବିଜୁ ଜନତା ଦଳର କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ସଙ୍ଗେସଙ୍ଗେ କଟକ ବଡ଼ ମେଡିକାଲରେ ପହଞ୍ଚି ପାର୍ଥିବ ଶରୀର ତାଙ୍କ ଜନ୍ମ ମାଟିକୁ ପଠାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲେ । ଏ ସମସ୍ତ ପ୍ରକ୍ରିୟାକୁ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ (କଟକ ବଡ଼ ମେଡ଼ିକାଲ) ସନ୍ତୋଷ କୁମାର ଦାସ ସଂଯୋଜନା କରିଥିଲେ ।
ଏଭଳି ଅଭାବନୀୟ ପରିସ୍ଥିତିରେ ସହାୟତାର ହାତ ବଢାଇ ଥିବାରୁ ବିନିଙ୍କ ପରିବାର ସଦସ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.