ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ନବୀନ : ପୁଞ୍ଜିନିବେଶ ପାଇଁ କଲେ ଆମନ୍ତ୍ରଣ

0

ଓଡ଼ିଶା ପୁଞ୍ଜିନିନେଶ ପାଇଁ ଏବେ ସାରା ଦେଶର ପୁଞ୍ଜିପତିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି |

ମୁମ୍ବାଇ : ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ଅବ୍ୟବହିତ ପୂର୍ବରୁ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ପ୍ରତିଷ୍ଠିତ ଶିଳ୍ପପତି ଏବଂ ବ୍ୟାଙ୍କର୍ସଙ୍କୁ ଭେଟି ୱାନ୍ ଟୁ ୱାନ୍ ଆଲୋଚନା କରିବା ସହ ଓଡ଼ିଶାରେ ଶିଳ୍ପ ଅନୁକୂଳ ବାତାବରଣ ଏବଂ ସରକାରୀ ସୁଯୋଗ ସମ୍ପର୍କରେ ବୁଝାଇ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ସାକ୍ଷାତ କରିଥିବା ଶିଳ୍ପପତି ଏବଂ ବ୍ୟାଙ୍କର୍ସମାନେ ହେଲେ- ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ୍, ବିର୍ଲା ଗ୍ରୁପ୍ ର କେ ଏମ ବିର୍ଲା ୱାରି ଇଞ୍ଜିନିୟର୍ସ ଲିମିଟେଡ ଅଧ୍ୟକ୍ଷ ହିତେଶ ଦୋଶୀ, ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଧ୍ୟକ୍ଷ ଦିନେଶ କୁମାର ଖାନ୍ନା, ଅପାର୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଅଧ୍ୟକ୍ଷ ଚୈତନ୍ୟ ଦେଶାଇ, ଜେଏମ ବକ୍ସି ପ୍ରାଇଭେଟ ଲିମିଟେଡର ଅଧ୍ୟକ୍ଷ ଧ୍ରୁବ କୋଟାକ, ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଝା, ଏଚଡିଏଫସି ବ୍ୟାଙ୍କର କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରା, ଏସଟିଟି ଡିଜିସି ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ସିଏଫଓ ବିମଲ ଖଣ୍ଡେଲୱାଲ୍, ପ୍ରମୁଖ ।
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଆନନ୍ଦ ମହିନ୍ଦ୍ରା ଟୁଇଟ୍ କରି ତାଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଛନ୍ତି । ନବୀନ ଜଣେ ବୁଦ୍ଧିମାନ, ଶାନ୍ତ ଓ ଆତ୍ମବିଶ୍ୱାସୀ ବ୍ୟକ୍ତି । କଥା ନୁହେଁ, କାମ ତାଙ୍କର ପରିଚୟ । ବିପର୍ଯ୍ୟୟ ପରିଚାଳନାରେ ସାରା ବିଶ୍ୱର ମଡେଲ ନବୀନ ପଟ୍ଟନାୟକ ବୋଲି ସେ ଟୁଇଟ୍ କରିଛନ୍ତି ।
ସଂଧ୍ୟାରେ ଅନୁଷ୍ଠିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କୁ ସମ୍ବୋଧିତ କରିବା ସହ ଭୁବନେଶ୍ୱରରେ ହେବାକୁ ଥିବା ମେକ୍ ଇନ ଓଡ଼ିଶା କନକ୍ଲେଭ୍ ରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ପୁଞ୍ଜିପତିମାନଙ୍କୁ ନିମନ୍ତ୍ରଣ କରି କହିଥିଲେ | ସେ କହିଁଇଥିଲେ ଯେ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶା ଶିଳ୍ପାୟନରେ ବ୍ୟାପକ ପରିବର୍ତ୍ତନ ହୋଇଛି । ସାରା ଦେଶରେ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଛି । ୨୦୧୬ ଓ ୨୦୧୮ ରେ ସଫଳତାର ସହ ଦୁଇଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜିତ ହୋଇଛି । ୨୦୨୨ ରେ ଏହାର ତୃତୀୟ ସଂସ୍କରଣ ପାଇଁ ବଡ଼ ଧରଣର ଆୟୋଜନ କରାଯାଇଛି । ଆପଣମାନଙ୍କ ଯୋଗଦାନ ଏହାକୁ ଅଧିକ ସମୃଦ୍ଧ ଓ ସଫଳ କରିବ ।
ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ଥାୟୀ ସରକାର ଓ ଉନ୍ନତ ନୀତି ଓଡ଼ିଶାକୁ ଆଗେଇ ନେବାରେ ସହାୟକ ହୋଇଛି । ପ୍ରାକୃତିକ ସମ୍ପଦ ତଥା ଦକ୍ଷ ମାନବସମ୍ବଳ ରେ ଭରପୁର ଓଡ଼ିଶାର ଅବଦାନ ଦେଶର ଅର୍ଥନୀତିକୁ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ନିଆରା ଇକୋସିଷ୍ଟମ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ବିଶ୍ୱ ମଡେଲ । ଏହିସବୁ ଦୃଷ୍ଟିରୁ ଓଡ଼ିଶା ପୁଞ୍ଜିନିନେଶ ପାଇଁ ଏବେ ସାରା ଦେଶର ପୁଞ୍ଜିପତିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି |

 

 

Leave A Reply

Your email address will not be published.