ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପରଳାଖେମୁଣ୍ଡି ସହରର ସାଇନଗର ସ୍ଥିତ ଭାଗିରଥି ପାଢି ସ୍ମୃତି କଳା ପରିଷଦ ଭବନରେ ଭକ୍ତିସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଉକ୍ତ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ରଥ ସଭାପତିତ୍ବ କରିବା ସହ ଦେବୀ ମଠର ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ , ଗୁରୁ ଶ୍ରୀ ରଘୁନାଥ ପାତ୍ର ଓ ଗୁରୁ ଶ୍ରୀ ଏମ୍ ମାଧବ ପାତ୍ର ମଞ୍ଚାସୀନ ହୋଇଥିଲ।
ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା ଗାନ କରିବା ସହ ଫୁଲ , ଚନ୍ଦନ ଦେଇ ଗୁରୁପୂଜନ କରିଥିଲେ। ମୁଖ୍ଯ ଅତିଥି ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଗୁରୁ ଦିବସ ପାଳନର ତାତ୍ପର୍ଯ୍ୟ ଓ ଗରୁଶିଷ୍ୟ ପରମ୍ପରାର ଉଚ୍ଚ ମୂଲ୍ୟବୋଧ ଉପରେ ଆଲୋକପାତ କରିବା ସହ ସମସ୍ତଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ। ସେହିପରି ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ରଥ ନିଜ ଅଭିଭାଷଣରେ ଅନୁଷ୍ଠାନଟି ଦୁଇଜଣ ଗୁରୁଙ୍କ ତତ୍ତ୍ୱାବଧାନରେ ଉଚ୍ଚକୋଟିର ଶିକ୍ଷାଦାନ ପ୍ରଦାନ କରୁଥିବା ପ୍ରକାଶ କରିଥିଲେ। ଗୁରୁ ରଘୁନାଥ ପାତ୍ରଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଆକାଶବାଣୀ ଓ ଦୂରଦର୍ଶନରେ ନିଜର ପ୍ରତିଭା ପ୍ରଦର୍ଶନ କରି ଅନୁଷ୍ଠାନର ଗୌରବ ଦ୍ଵିଗୁଣିତ କରିଥିବା ପ୍ରକାଶ କରିଥିଲେ।
ସେହିପରି ଗୁରୁ ରଘୁନାଥ ପାତ୍ର ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ପାଠପଢା ସହିତ ସଙ୍ଗୀତକୁ ମଧ୍ଯ ସମାନ ଗୁରୁତ୍ବ ଦେଇ ଅଭ୍ୟାସ କରିବା ପାଇଁ ପରାମର୍ଶ ଦେଇଥିଲେ। ଗୁରୁ ମାଧବ ପାତ୍ର ସଙ୍ଗୀତ ବିଦ୍ୟାଳୟର ପୂର୍ବତନ ଗୁରୁ ସ୍ବର୍ଗତ ବିଜୟ ଚନ୍ଦ୍ର ପ୍ରଧାନଙ୍କ ସ୍ମୃତିଚାରଣ କରି ଭାବବିହ୍ବଳ ହୋଇ ପଡିଥିଲେ।
ଅଭିଭାବକ ମାନେ ମଧ୍ଯ ଗୁରୁପୂଜନ ଉତ୍ସବ ଓ ସଙ୍ଗୀତ ଶିକ୍ଷା ବିଷୟରେ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମତି ସ୍ନିଗ୍ଧାରାଣୀ ମିଶ୍ର ଓ ରାଜେନ୍ଦ୍ର କୁମାର ରଥ ପରିଚାଳନା କରିଥିଲେ।

Leave A Reply

Your email address will not be published.