ଭଞ୍ଜନଗର କୋର୍ଟର ନୂତନ କୋଠା ଓ ଜଗନ୍ନାଥପ୍ରସାଦ ଜେଏମ୍‌ଏଫ୍‌ସି କୋର୍ଟ ଆରମ୍ଭ

0

କାର୍ଯ୍ୟକ୍ରମ ତଦାରଖ ନେଇ ଜିଲ୍ଲା ଜଜ୍‌ଙ୍କ ଗସ୍ତ

ଭଞ୍ଜନଗର/ନିଲୁ ବିଷୋୟୀ: ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟର ନୂତନ କୋଠା ନିର୍ମାଣ କରାଯିବ। ଏଥିନେଇ ଜମି ଚିହ୍ନଟ ଠାରୁ ଆରମ୍ଭ କରି ଅର୍ଥ ମଞ୍ଜୁର ହୋଇ ସାରିଥିବା ବେଳେ ଆସନ୍ତା ୩୧ ତାରିଖ ଦିନ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ.ଏସ ମୁରଲୀଧରନ୍‌ ଏହାର ଶିଳାନ୍ୟାଶ କରିବେ ବୋଲି ଓକିଲ ସଂଘ ସଭାପତି ସନ୍ତୋଷ ନାୟକ ସୂଚନା ଦେଇଛନ୍ତି। ଏଥିସହ ଜଗନ୍ନାଥପ୍ରସାଦ ଠାରେ ଆରମ୍ଭ ହେବାକୁ ଥିବା ସିଭିଲ୍‌ ଜଜ୍ ତଥା ଜେଏମ୍‌ଏଫ୍‌ସି କ‌ୋର୍ଟର ମଧ୍ୟ ଉକ୍ତ ଦିନ ଶୁଭାରମ୍ଭ କରିବା ସହ ଏଥି ନିମନ୍ତେ ଆବଶ୍ୟକ କୋଠା ପାଇଁ ଶିଳାନ୍ୟାଶ କରିବେ ବୋଲି ଜଣାପଡିଛି। ଅସ୍ଥାୟୀ ଭାବେ ଜଗନ୍ନାଥପ୍ରସାଦର ରାଜସ୍ବ ଡାକ ବଙ୍ଗଳା ଠାରେ ଏହି କୋର୍ଟ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଲଙ୍କାଗଡ ନିକଟରେ ଏହାର ନୂତନ କୋଠା ନିର୍ମାଣ ହେବ। ମୁଖ୍ୟ ବିଚାରପତିଙ୍କ ସହ ଉଚ୍ଚ ନ୍ୟାୟାଳୟର ପ୍ରୋଟକଲ୍ ଜଜ୍ ଡଃ.ବି.ଆର ଷଡ଼ଙ୍ଗୀ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି। ଏନେଇ ଆଜି ଜିଲ୍ଲା ଜଜ୍ ଆନନ୍ଦ ଚନ୍ଦ୍ର ବେହେରା ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ଗସ୍ତ କରି ପୂର୍ବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଉଭୟ କାର୍ଯ୍ୟକ୍ରମରେ ସାଧାରଣ ସଭାର ଆୟୋଜନ ହେବା ସହ କୋର୍ଟର ଆବଶ୍ୟକତା ସଂର୍ପକରେ ଆଲୋଚନା ହୋଇଥିଲା। ଏଥିସହ ଭଞ୍ଜନଗର କୋର୍ଟରେ ପୋକ୍ସ‌ କୋର୍ଟ ସ୍ଥାପନ ସହ ଜଣେ ଏଡିଜେଙ୍କ ନିଯୁକ୍ତ ହେବା ନେଇ ଜିଲ୍ଲା ଜଜ୍‌ ସୂଚନା ଦେଇଥିବା ସଭାପତି ଶ୍ରୀ ନାୟକ କହିଛନ୍ତି।ପୋକ୍ସ କୋର୍ଟ ସହ ସ୍ବତନ୍ତ୍ର ମୁନ୍‌ସିଫ୍‌ କୋର୍ଟ ଏବଂ ଜୁଭେନାଇଲ ବୋର୍ଡ ଭଞ୍ଜନଗର ଠାରେ ସ୍ଥାପନ ହେବା ନେଇ ଆଲୋଚନା ହୋଇଛି।

ଏହି ଆଲୋଚନାରେ ଜିଲ୍ଲା କୋର୍ଟର ରେଜିଷ୍ଟାର ସୁଶାନ୍ତ କୁମାର ମିଶ୍ରଙ୍କ ସମ‌େତ ଭଞ୍ଜନଗର କୋର୍ଟର ସବ୍‌ଜଜ୍ ସୋମାଲିନା ମିଶ୍ର,ଏସ୍‌ଡିଜେଏମ୍‌ ଅମିତ୍‌ କୁମାର,ଜେଏମ୍‌ଏଫ୍‌ସି ପ୍ରଜ୍ଞା ରାଉତ ଉପସ୍ଥିତ ରହିଥିଲେ। ଜିଲ୍ଲାଜଜ୍‌ ଶ୍ରୀ ବେହେରା ନୂତନ କୋଠା ସ୍ଥାନକୁ ଯାଇ ସମୀକ୍ଷା କରିବା ସହ କାର୍ୟ୍ୟକ୍ରମ ସୁରୁଖୁରରେ ସମାପନ କରିବା ନେଇ ଓକିଲ ସଂଘର କର୍ମକର୍ତ୍ତା ଏବଂ ନିର୍ମାଣ ବିଭାଗର ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ସଭାପତିଙ୍କ ସମେତ ସମ୍ପାଦକ ଅମରେଶ ମହାପାତ୍ର,ଉପସଭାପତି ଧୀରେନ ସ୍ବାଇଁ,ସହ ସମ୍ପାଦକ ଚନ୍ଦ୍ରମଣୀ ମହାପାତ୍ର,କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ,ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ପ୍ରଦ୍ୟୁମ୍ନ କୁମାର ନାୟକ,ଦିବାକର ନାୟକ,ସନ୍ତୋଷ ତିଆଡି,ଅନିଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥି‌ଲେ।

Leave A Reply

Your email address will not be published.