ବାଜିରେ ଲାଗୁଛି ଛାତ୍ର ଛାତ୍ରୀଙ୍କ ଜୀବନ:ସ୍କୁଲ କୁ ଯିବା ପାଇଁ କାଠପୋଲ ଭରସା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପଆଣିଗ୍ରାହୀ : ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି | ନେତାଙ୍କ ଭାଷଣରେ ଦେଶ ଓ ରାଜ୍ୟରେ ରାମରାଜ୍ୟ | ସବୁଆଡେ ଖାଲି ବିକାଶ ଆଉ ବିକାଶ | ହେଲେ କିଛି ଲୋକଙ୍କ ପାଇଁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ବା ଅମୃତ ମହୋତ୍ସବର ମାଇନେ କିଛି ନାହିଁ | ସ୍ୱାଧୀନତାର ସାମାନ୍ୟ ଅମୃତ କଣିକାରୁ ବି ସେମାନେ ଆଜିଯାଏ ବଂଚିତ | ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ପଞ୍ଚାୟତ ଅଧିନ ଖଣ୍ଡବା ଗାଁର କଥା | ଏହି ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ବିପଦପୂର୍ଣ୍ଣ କାଠପୋଲ ଉପର ଦେଇ ନିଜ ଜୀବନକୁ ବାଜି ଲଗେଇ ଯିବା ଆସିବା କରିବା ଘଟଣାକୁ ଲକ୍ଷ କଲେ ଜଣାପଡ଼ିଯିବ ଯେ ସେମାନଙ୍କ ପାଇଁ ଅମୃତ ମହୋତ୍ସବ ମାନେ କଣ !
ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସ୍ମାର୍ଟ କରାଇବା ଉଦ୍ଦେଶ୍ୟରେ ଅନେକ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ରାଜକୋଷରୁ ବ୍ୟୟ କରୁଛନ୍ତି କୋଟି କୋଟି ଟଙ୍କା। ତଥାପି ସ୍ଥାନୀୟ ବ୍ଳକର ବିଭିନ୍ନ ଅଞ୍ଚଳରେ ସୁଧୁରି ପାରୁନି ଶିକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ଭିତ୍ତିଭୂମି | ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ବିପଦପୂର୍ଣ୍ଣ କାଠପୋଲ ଉପର ଦେଇ ପ୍ରତ୍ୟେକ ଦିନ ବିଦ୍ୟାଳୟକୁ କୋମଳମତି ଛାତ୍ର ଛାତ୍ରୀମାନେ ପାଠ ପଢିବା ପାଇଁ ଯାଆନ୍ତି। ଗ୍ରାମବାସୀମାନେ ମଧ୍ୟ ଏହି କାଠପୋଲ ଉପରେ ଚାଲିବା ବେଳେ ତଳ ଉପର ହୋଇ ଦୋହଲୁଛି କାଠ। ଟିକିଏ ଅସାବଧାନତା ହେଲେ ପିଲାମାନେ ପଡିଯିବାର ଭୟ ମଧ୍ୟ ରହିଛି । ଦେଖିଲେ ଲାଗୁଛି କାଳେ ପିଲାମାନେ ପଡିଯିବେ କି ? ଏହି ଭୟ ମଧ୍ୟ ରହୁଛି। ତଥାପି ଏମିତି ବିପଦପୂର୍ଣ୍ଣ କାଠପୋଲ ଉପରେ ଦୈନନ୍ଦିନ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ଏହି ଗ୍ରାମଟି ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ରହିଥିବା ବେଳେ ଏହି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୧୩ ମସିହାରେ ସରକାର ପ୍ରତିଷ୍ଠା କରିଥିଲେ ଗୋଟିଏ ସରକାରୀ ପ୍ରାଥମିକ ବିଦ୍ୟାଳୟ। ୧ମ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଗ୍ରାମର ୨୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ଶିକ୍ଷା ଦାନ ପାଇଁ ୨ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି । ହେଲେ ବିଦ୍ୟାଳୟ ଯିବା ପୂର୍ବରୁ ବିଦ୍ୟାଳୟ ସମ୍ମୁଖରେ ଗୋଟିଏ ନାଳ ରହିଛି । ଯାହାକି ବର୍ଷା ଦିନ ହୋଇଗଲେ ଗାଁ ଠାରୁ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଯିବା ଅସମ୍ଭବ । ତେଣୁ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏଠାରେ କାଠପୋଲ ନିର୍ମାଣ ହୋଇଛି । ଆଉ ଏହି ବିପଦସଂକୁଳ ପୋଲ ଉପର ଦେଇ ଏମିତି ଦୈନନ୍ଦିନ ଯାତୟତ କରୁଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ତେଣୁ ଗ୍ରାମବାସୀ ଏଠାରେ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଏଥିପାଇଁ କେହି ଗୁରୁତ୍ୱ ଦେଉନଥିବା କହିଛନ୍ତି । ବିଦ୍ୟାଳୟକୁ ଯାତାୟତର ସୁବିଧା ପାଇଁ ଏଠାରେ ଗୋଟିଏ କଂକ୍ରିଟ ପୋଲ ସରକାର ନିର୍ମାଣ କରିଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ ।
ଅନ୍ୟପଟେ ବିଦ୍ୟାଳୟ ପରିସରରେ ଲଟାବୁଦା ମାଡିଗଲାଣି । ନା ଅଛି ରୋଷେଇ ଘର ନା ଅଛି ଶୌଚାଳୟର ବ୍ୟବସ୍ଥା । ବର୍ଷା ଦିନେ ଛାତରୁ ଗଳୁଛି ପାଣି। ପାନୀୟଜଳ କଥା ନକହିବା ଭଲ। ଏମିତି ପାହାଡିଆ ଝରଣା ଜଳକୁ ସଂରକ୍ଷିତ କରି ସ୍କୁଲ ପରିସରରେ ପାଣି ଟାଙ୍କି ବ୍ୟବସ୍ଥା କରାଯାଇ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଷ୍ଟାଣ୍ଡ ପୋଷ୍ଟ ବସାଯାଇଛି । ସେଥିରୁ ଅହରହ ପାଣି ବାହାରୁଥିବା ବେଳେ ପରିଷ୍କାର ପରିଚ୍ଛନ୍ନ କରାଯାଉନଥିବାରୁ ଦୂଷିତ ପରିବେଶ ସୃଷ୍ଟି ହୋଇଛି। ଆଉ ସେଠାର ପାଣିକୁ ହିଁ ପାନୀୟଜଳ ରୂପେ ବ୍ୟବହାର କରାଯାଉଛି। ଏଭଳି ପାଣି ବ୍ୟବହାର କରିବା ଦ୍ବାରା ଗାଁରେ କେତେବେଳେ ଯେ ମହାମାରୀ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଭଳି ସମସ୍ୟାର ସମାଧାନ କରିବା ନେଇ ନେତା ଓ ସରକାରୀ ବାବୁଙ୍କୁ ଗୁହାରୀ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
କିଛି ଦିନ ତଳେ ଏହି ଗ୍ରାମକୁ ପରିଦର୍ଶନ କରିଥିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା କୁନ୍ତଳା ମଳିକ । ଏନେଇ ସେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

Leave A Reply

Your email address will not be published.