୭ ଦିନ ମଧ୍ୟରେ ପାରିଶ୍ରମିକ ନମିଳିଲେ ବ୍ଲକ୍ ସମ୍ମୁଖରେ ଧାରଣା ଦେବେ ସ୍ବାବଲମ୍ବୀ କାରିଗର

12

ଓଡ଼ଗାଁ, ୪।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ଦୀର୍ଘ ୭ ମାସ ଧରି ପାରିଶ୍ରମିକ ନପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଓଡ଼ଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିଯୁକ୍ତ ସ୍ବାବଲମ୍ବୀ କାରିଗର ଓ ପମ୍ପଚାଳକ। ଆସନ୍ତା ୭ ଦିନ ମଧ୍ୟରେ ବକେୟା ପାରିଶ୍ରମିକ ପ୍ରଦାନ କରାନଗଲେ ଓଡ଼ଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ସେମାନେ ଚେତାବନୀ ଦେଇଛନ୍ତି। ଏନେଇ ସଂଘ ପକ୍ଷରୁ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ପ୍ରୀତିବାଳା ରଣାଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି। ଏହାର ନକଲ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଏବଂ ନୟାଗଡ଼ ଜିଲ୍ଲାପାଳଙ୍କୁ ପଠାଯାଇଥିବା ଜଣାପଡ଼ିଛି। ଏଥିସହ ଧାରଣା ସମ୍ପର୍କରେ ଓଡ଼ଗାଁ ଥାନା ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବେ ଅବଗତ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଚଳିତବର୍ଷ ଏପ୍ରିଲ ମାସଠାରୁ ଏଯାବତ୍ ପ୍ରାୟ ୭ ମାସର ପାରିଶ୍ରମିକ ଏସ୍‌ଇମ୍‌ ଓ ପମ୍ପଚାଳକମାନଙ୍କୁ ମିଳିନାହିଁ। ପଞ୍ଚାୟତରେ ଅର୍ଥ ନଥିବା ଦର୍ଶାଇ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ପାରିଶ୍ରମିକ ପ୍ରଦାନ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ସମସ୍ୟାର ସମାଧାନ ଦାବିରେ ପ୍ରାୟ ୫୦ ଜଣ ସ୍ବାବଲମ୍ବୀ କାରିଗର ଓ ପମ୍ପଚାଳକ ବୁଧବାର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ ଭେଟିଥିଲେ। ପାରିଶ୍ରମିକ ପ୍ରଦାନରେ ହେଉଥିବା ବିଳମ୍ବ ସମ୍ପର୍କରେ ସେମାନେ ଆଲୋଚନା କରିବା ସହ ତୁରନ୍ତ ବକେୟା ଅର୍ଥ ପ୍ରଦାନ ପାଇଁ ଦାବି ଜଣାଇଥିଲେ। ଏ ସମ୍ପର୍କରେ ପାନୀୟ ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଖୁବ୍‌ଶୀଘ୍ର ପାରିଶ୍ରମିକ ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଉପସ୍ଥିତ କାରିଗର ଓ ପମ୍ପଚାଳକମାନେ ଫେରିଯାଇଥିଲେ।

Leave A Reply

Your email address will not be published.