ଦୁଇ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେଲା ଓଡ଼ିଶା ମୋ ପରିବାର

0

ଭୁବନେଶ୍ୱର: ଅସହାୟ ଦିବ୍ୟାଙ୍ଗମାନଙ୍କ ମନୋବଳକୁ ଦୃଢ କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ କୃତ୍ରିମ ଅଙ୍ଗ ଯୋଗାଇ ଦେଉଛି ଓଡ଼ିଶା ମୋ ପରିବାର । ଏହି ପରିପ୍ରେକ୍ଷୀରେ ଆଜି ଦୁଇ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, କଟକ ମହାନଗର ସାମନ୍ତସାହି ଅଞ୍ଚଳର ୪୫ବର୍ଷିୟ ବାସିନ୍ଦା ବାବୁ ସେଠୀ ୨୦୦୭ ମସିହାରେ ଏବଂ ଯାଜପୁର ଜିଲ୍ଲା କବିରପୁର ଅଞ୍ଚଳର ୨୮ବର୍ଷିୟ ବାସିନ୍ଦା ଦେବେନ୍ଦ୍ର ସେନାପତି ୨୦୨୦ ମସିହା ଅଗଷ୍ଟ ୮ ତାରିଖରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯେଉଁଠାରେ ସେମାନଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗି ଗୋଡ଼ର ହାଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ଉଭୟଙ୍କର ଡାହାଣ ଗୋଡ଼ କଟା ହୋଇଯାଇଥିଲା । ସେମାନଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦେବା ପାଇଁ ସେମାନେ ଓଡ଼ିଶା ମୋ ପରିବାରକୁ ଅନୁରୋଧ କରିଥିଲେ ।
ଦୁଇଜଣଙ୍କ ସହ ଘଟିଯାଇଥିବା ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଦୁଇଜଣଙ୍କ ଗୋଡ଼ର ମାପ ନିଆଯାଇ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଥିଲା ।
ସେମାନଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯିବା ସମୟରେ ଓଡ଼ିଶା ମୋ ପରିବାର ଆବାହକଙ୍କ ସମେତ ଯୁଗ୍ମ ସମ୍ପାଦକ (ଓଡ଼ିଶା ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସ୍ୱାସ୍ଥ୍ୟ ଉପଦେଷ୍ଟା (ଓଡ଼ିଶା ମୋ ପରିବାର) ଡଃ ସତ୍ୟଜିତ ଦାଶ, କଟକ ସହର ଜୀବନ ବିନ୍ଦୁ ସଂଯୋଜକ ଡଃ ରଞ୍ଜନ ବିଶ୍ଵାଳ ଏବଂ ଯାଜପୁର ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ଶ୍ରୀ ବିମଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଜୀବନରେ ଆଗକୁ ବଢିବା ପାଇଁ ବାବୁ ଓ ଦେବେନ୍ଦ୍ରଙ୍କୁ ଉତ୍ସାହିତ କରିଥିଲେ ।
କୃତ୍ରିମ ଗୋଡ଼ ପାଇବା ପରେ ସେମାନଙ୍କ ମୁହଁରେ ହସ ଫୁଟିଥିଲା ଏବଂ କୃତ୍ରିମ ଗୋଡ଼ରେ ଚାଲିବା ପରେ ସେମାନେ ରୋଜଗାରକ୍ଷମ ହୋଇପାରିବେ ବୋଲି ଆଶା ରଖିଛନ୍ତି ।

Leave A Reply

Your email address will not be published.