ପୁରୀ (ଅନିମେଶ ପଟ୍ଟନାୟକ): ସରିଲା ଅଧରପଣା ନିତୀ । ମହାପ୍ରଭୁଙ୍କୁ ଭୋଗ ପରେ ସୋମବାର ଭଙ୍ଗା ଗଲା ଅଧରହାଣ୍ଡି । ତିନି ରଥରେ ୩ଟି ଲେଖାଏଁ ୯ଟି ମହାପ୍ରଭୁଙ୍କ ଅଧର ଉଚ୍ଚର ଡେଙ୍ଗା ହାଣ୍ଡିଗୁଡ଼ିକରେ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ହୁଏ ଏହି ଅଧରପଣା । ଏହି ପଣା ନିତୀର ବିଶେଷତ୍ବ ହେଉଛି ଭୋଗ ପରେ ଏହି ୯ଟି ହାଣ୍ଡିକୁ ରଥ ଉପରେ ଭଙ୍ଗାଯାଇଥାଏ । ତେବେ ଏହା ଦେବା ଦେବୀଙ୍କ ଉଦ୍ଦେଶ୍ୟରେ ଭଙ୍ଗାଯାଇଥାଏ ବୋଲି ଲୋକ କଥା ଅଛି ।
ଇତିହାସ କୁହେ, ପୂର୍ବରୁ ଏହି ନିତୀ ଦଶମୀ ଦିନ ହେଉଥିଲା । ପରେ ଏହାକୁ ବଦଳାଇ ଏକାଦଶୀ ତିଥିରେ କରାଯାଉଥିଲା । କିନ୍ତୁ ଏକାଦଶୀରେ ସୁନାବେଶ ହେଉଥିବାରୁ ଅଧରପଣା କଲେ ସୁନାବେଶ ନିତୀରେ ବିଳମ୍ବ ହେବାରୁ ଅଧରପଣାକୁ ଆଷାଢ ଦ୍ୱଦଶୀ ତିଥିରେ କରାଯାଉଛି । ଆମେ ଯେପରି ଯାତ୍ରା କରି ଆସିବା ପରେ ପାଣି ପଣା ପିଇ ତୃପ୍ତ ହେଉ ଠିକ ସେହି ପରି ଶ୍ରୀଜୀଉ ମାନେ ନବଦିନାତ୍ମକ ଯାତ୍ରା ପରେ ଥକି ଯାଇଥିବେ ବୋଲି କ୍ଲାନ୍ତ ଦୂର କରିବାକୁ ଅଧରପଣା ଭୋଗ କରାଯାଏ ବୋଲି ଅନେକ ଗ୍ରନ୍ଥରେ ଉଲ୍ଲେଖ ଅଛି ।
ସୁନାବେଶର ପରଦିନ, ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ, ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ଭୋଗ ହୋଇଥାଏ । ପୂର୍ବେ ରାଘବ ଦାସ ମଠ, ବଡ଼ ଓଡ଼ିଆ ମଠ ଓ ଗଜପତି ମହାରାଜା ତିନି ରଥର ଏହି ପଣାଭୋଗ ସାମଗ୍ରୀ ଯୋଗାଉଥିଲେ । ଶ୍ରୀମନ୍ଦିରର ପରିଚାଳନା ଭାର ସରକାରଙ୍କ ହାତକୁ ଯିବା ପରେ, ଗଜପତି ମହାରାଜାଙ୍କ ପରିବର୍ତ୍ତେ ଶ୍ରୀମନ୍ଦିର ପ୍ରଶାସନ ଭୋଗ ସାମଗ୍ରୀ ଯୋଗାଉଛି । ଅନ୍ୟ ଦୁଇ ମଠର ଅଧରପଣା ସେବା ଅବ୍ୟାହତ ଅଛି । ଏହି ପଣାଭୋଗ ପାଇଁ ନଅଟି ସାମଗ୍ରୀ ଲାଗିଥାଏ । ସେହି ନଅ ସାମଗ୍ରୀ ହେଉଛି- କ୍ଷୀର, ସର, ଛେନା, ଛାଚି (ବା ନବାତ) ପାଚିଲା କଦଳୀ, ଗୋଲମରିଚଗୁଣ୍ଡ, ଜାଇଫଳ, କର୍ପୂର ଓ ଜଳ । ପୂର୍ବେ ଏଥିପାଇଁ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହିର ରାଧାବଲ୍ଲଭ ମଠରୁ ଜଳ ଅଣାଯାଉଥିଲା । କିନ୍ତୁ ଏବେ ସିଂହଦ୍ୱାର ନିକଟ ଛାଉଣୀ ମଠରୁ ଜଳ ଅଣାଯାଉଛି । ପାଣିଆପଟ ସେବକ ଶୁଦ୍ଧପୂତ ଭାବରେ ଏହି ଜଳ ଆଣୁଛନ୍ତି । ପାଳିଆ ମହାସୁଆର ବିଧି ମୁତାବକ ଏହି ପଣାଭୋଗ ପ୍ରସ୍ତୁତ କରୁଛନ୍ତି ।
ଅଧରହାଣ୍ଡି ଭୋଗ ପରେ ରଥଉପରେ କାହିଁକି ଭଙ୍ଗାଯାଏ ? କୁହାଯାଏ ଯେ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଓ ତିନି ବିଜେ ପ୍ରତିମାଙ୍କ ସହିତ, ତିନି ରଥଧ୍ୱଜଙ୍କୁ ପ୍ରତିଦିନ ଭୋଗନୈବେଦ୍ୟ ଅର୍ପଣ କରାଯାଇଥାଏ । କିନ୍ତୁ ରଥର ପାର୍ଶ୍ବ ଦେବଦେବୀଙ୍କୁ କୌଣସି ଭୋଗ ଅର୍ପଣ କରାଯାଇ ନଥାଏ । ପୁଣି ରଥ ସହିତ ଗୁଣ୍ଡିଚାଯାତ୍ରା ଓ ବାହୁଡ଼ାଯାତ୍ରାରେ ବହୁ ଅଶରୀରୀ ଗମନାଗମନ କରିଥାଆନ୍ତି । ଠାକୁରମାନଙ୍କ ଲାଗି ପ୍ରସାଦ ପାଇ ମୋକ୍ଷଲାଭ କରିବା ନିମନ୍ତେ ସେମାନଙ୍କର ଲାଳସା ରହିଥାଏ । ତେଣୁ ସେମାନଙ୍କର ସନ୍ତୋଷ ବିଧାନ ପାଇଁ ଏହି ପଣାହାଣ୍ଡିଗୁଡ଼ିକୁ ଭୋଗ ପରେ ଭାଙ୍ଗିଦିଆଯାଏ । ସେମାନେ ରଥର ଚାରିପଟୁ ଝରିପଡ଼ୁଥିବା ସେହି ଅମୃତ ପଣା ପାଇ ତୁଷ୍ଟ ହୁଅନ୍ତି ଓ ମୁକ୍ତିଲାଭ କରନ୍ତି । ଏଇଥିପାଇଁ ରଥରେ ଭୋଗ ହେବା ପରେ ଅଧରହାଣ୍ଡିଗୁଡ଼ିକୁ ଭାଙ୍ଗିଦିଆଯାଏ ।
Sign in
Sign in
Recover your password.
A password will be e-mailed to you.
Prev Post