ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ଥାନାରେ ଏକ ଶିଶୁମିତ୍ର ପ୍ରକୋଷ୍ଠ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥୀଙ୍କ କରକୋମଳରେ ଉଦ୍ଘାଟନ ହୋଇଯାଇଛି।
ଏହି ଅବସରରେ ଶ୍ରୀ ଶତପଥି ଏହି ପ୍ରକୋଷ୍ଠରେ ଶିଶୁମାନଙ୍କ ପାଇଁ ଏତେ ଗୁଡିଏ ସୁବିଧା ସୁଯୋଗ ଥିବା ଦେଖି ଖୁସି ବ୍ୟକ୍ତ କରିବା ସହ କାଶୀନଗର ଅଞ୍ଚଳରେ ଥିବା ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଶିଶୁମାନଙ୍କୁ ଏହି ଶିଶୁମିତ୍ର ଥାନା ବୁଲାଇବା ପାଇଁ କାଶୀନଗର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ଥାନାରେ କିପରି ଶିଶୁମିତ୍ର ପ୍ରକୋଷ୍ଠ ତିଆରି ହେବ ସେଥିପାଇଁ ଧ୍ୟାନ ଦିଆଯିବ ବୋଲି ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ କହିଥିଲେ।
ଏହି ପ୍ରକୋଷ୍ଠ ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଯେ, ଆଇନ ଦ୍ୱାରା ଦ୍ୱନ୍ଦରେ ଥିବା ଶିଶୁଟିଏ ଥାନାକୁ ଆସିଲେ ତା ପାଇଁ କିପରି ଶିଶୁମିତ୍ର ବାତାବରଣ ତିଆରି କରାଯାଇପାରିବ। ମା ଟିଏ ଯେତେବେଳେ ତାର ଶିଶୁକୁ ନେଇ କୌଣସି କାରଣରୁ ଥାନାକୁ ଯାଏ ସେତେବେଳେ ଶିଶୁଟିଏ ପାଇଁ କିପରି ଶିଶୁର ପରିବେଶ ତିଆରି କରାଯାଇପାରିବ। ସାଧାରଣ ଶିଶୁଟିଏ ତାର ଅଭିଭାବକ ଏବଂ ସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଦ୍ୱାରା ଥାନା ବୁଲିବାକୁ ଯିବ ଯେଉଁଠାରେ ଶିଶୁଟିଏ ଭାବିବ ଯେ ପୋଲିସ ତାର ଗୋଟିଏ ମିତ୍ର।
ସେହିପରି ଏହି ପ୍ରକୋଷ୍ଠରେ ପିଲା ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବନ୍ଦୋବସ୍ତ କରାଯାଇଛି, ଯେପରିକି ପିଲାମାନଙ୍କର ଇନ୍ଡୋର ଗେମ୍ ପାଇଁ ଲୁଡୁ , ଚେସ୍ ଏବଂ କେରମ୍ ବୋର୍ଡର ବ୍ୟବସ୍ଥା ରହିଛି।
ପିଲାଟି ତାର ମନରଞ୍ଜନ ପାଇଁ କମ୍ପାସ୍ , ଡ୍ରଇଂ ସିଟି ଓ ବିଭିନ୍ନ ପ୍ରକାରର ରଙ୍ଗର ବ୍ୟବସ୍ଥା ଅଛି ଯେଉଁଥିରେ ପିଲାଟି ତାର ସମୟକୁ ସଦୁପଯୋଗ କରିବା ସହ ତାର ସ୍ୱପ୍ନର ଦୁନିଆକୁ ଆଙ୍କି ପାରିବ। ବିଭିନ୍ନ ପ୍ରକାର ଗଳ୍ପ , ମହାପରୁଷଙ୍କର ଜୀବନୀ କାହୀଣୀ , ବିଭିନ୍ନ ଭାଷାର ଅକ୍ଷର ଶିଖିବା ଏହି ସବୁ ପ୍ରକାର ବହି ଅଛି ଯେଉଁଥିରେ ପିଲାଟି ତାର ସମୟକୁ ସଦୁପଯୋଗ କରିପାରିବ। ବିଭିନ୍ନ ପ୍ରକାର ଖେଳଣା ଏଥିର ରଖାଯାଇଛି ଯେଉଁଟିକୁ ପାଇ ପିଲାଟି ଏହି ପ୍ରକୋଷ୍ଠକୁ ତାର ଘର ବୋଲି ବିବେଚନା କରିପାରିବ।
ଏହି ଥାନାରେ ଜଣେ ମହିଳା କର୍ମଚାରୀ ନିୟୋଜିତ ହେବେ ଯାହାକି ପିଲାଟିକୁ ସବୁବେଳେ ସହଯୋଗ କରିବେ । ଏହି ପ୍ରକୋଷ୍ଠଟି ତିଆରି କରିବାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗଜପତିର ସହଯୋଗ ରହିଛି ଏବଂ ଏହା କିପରି ଆଗକୁ ଅଧିକ ଉନ୍ନତିକର ସେବା ଶିଶୁମାନଙ୍କୁ ଯୋଗାଇଦେବ ଏଥିପାଇଁ ଉଭୟ ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ କାର୍ଯ୍ୟରତ ରହିବେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଏବଂ କାଶୀନଗର ଥାନା ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.