ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି (NEP)ର ପ୍ରଭାବଶାଳୀ କାର୍ଯ୍ୟକାରିତାରେ ସମସ୍ୟା ଓ ଆହ୍ୱାନ ।

61


ଭୁବନେଶ୍ୱର, ୧୩.୧୧.୨୦୨୬ : ” ଆମ ଗୌରବ ଆମ କଲେଜ” ପରିଚାଳନା ସଂଗଠନ ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ତରଫରୁ ମହାବିଦ୍ୟାଳୟ ମାନଙ୍କୁ ନେଇ “ଜାତୀୟ ଶିକ୍ଷାନୀତି ୨୦୨୦” ଉପରେ ଏକ ଭର୍ଚୁଆଲ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳା ର ମୁଖ୍ୟ ବିଷୟବସ୍ତୁ ଥିଲା” ଇସୁ ଆଣ୍ଡ ଚାଲେଞ୍ଜସ ଅଫ ଇଫେକ୍ଟିଭ ଏମ୍ପ୍ଲିମେସନ ଅଫ ଏନ ଇ ପି ଇନ ହାଇଅର ଏଜୁକେସନ ଇନ ଓଡିଶା” । ଏହି କର୍ମଶାଳାର ମୁଖ୍ୟ ବକ୍ତା ଥିଲେ ପ୍ରଫେସର ସୁଧାକର ପାତ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଅଧ୍ୟକ୍ଷ ପ୍ରଫେସର, ବିଶ୍ଳେଷଣାତ୍ମକ ଓ ପ୍ରୟୋଗାତ୍ମକ ଅର୍ଥନୀତି ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର।
ପ୍ରଫେସର ସୁଧାକର ପାତ୍ର ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଜାତୀୟ ଶିକ୍ଷାନୀତି-୨୦୨୦: ଚାରି ବର୍ଷିଆ ସ୍ନାତକ, ଦୁଇବର୍ଷିଆ ସ୍ନାତକୋତ୍ତର ଓ ପିଏଚ୍‌ଡି ଶିକ୍ଷାର ନୂତନ ଦିଗ ଉପରେ ଆଲୋକପାତ କରାଇଥିଲେ ।
ଉଚ୍ଚଶିକ୍ଷା କ୍ଷେତ୍ରରେ ନୂତନ ଯୁଗର ଆରମ୍ଭ କରିଛି ଜାତୀୟ ଶିକ୍ଷାନୀତି-୨୦୨୦ (NEP-2020)। ଏହି ଶିକ୍ଷାନୀତିର ମୁଖ୍ୟ ଲକ୍ଷ୍ୟ ହେଉଛି ଶିକ୍ଷାକୁ ଅଧିକ ନମନୀୟ, ଗବେଷଣାଭିତ୍ତିକ, ଦକ୍ଷତାମୂଳକ ଓ ନିଯୁକ୍ତିଭିତ୍ତିକ କରିବା। ଏହି ନୀତି ଅନୁଯାୟୀ ସ୍ନାତକ (UG) ଶିକ୍ଷା ପାଇଁ ତିନିବର୍ଷ ଓ ଚାରିବର୍ଷିଆ ବ୍ୟବସ୍ଥା ରହିଛି। ତିନିବର୍ଷ ପାଠପଢ଼ା ସମାପ୍ତ କଲେ ସାଧାରଣ ସ୍ନାତକ ଡିଗ୍ରୀ ଏବଂ ଚାରିବର୍ଷ ପୂରଣ କଲେ ଅନର୍ସ ବା ଅନର୍ସ ୱିଥ୍ ରିସର୍ଚ୍ଚ ଡିଗ୍ରୀ ପ୍ରଦାନ କରାଯାଇପାରିବ। NEP-2020 ଅନୁଯାୟୀ ଗବେଷଣା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି। ଚାରିବର୍ଷିଆ ସ୍ନାତକ ଅନର୍ସ ୱିଥ୍ ରିସର୍ଚ୍ଚ ଡିଗ୍ରୀରେ ନିର୍ଦ୍ଧାରିତ ଯୋଗ୍ୟତା ଓ ନ୍ୟୁନତମ ୭୫ ପ୍ରତିଶତ ନମ୍ବର ବା ସମକକ୍ଷ CGPA ହାସଲ କରିଥିବା ଛାତ୍ରଛାତ୍ରୀ ସ୍ନାତକୋତ୍ତର ଡିଗ୍ରୀ ବିନା ମଧ୍ୟ ପିଏଚ୍‌ଡି ପାଇଁ ଆବେଦନ କରିପାରିବେ। ଏହାବ୍ୟତୀତ ସ୍ନାତକୋତ୍ତର ଡିଗ୍ରୀଧାରୀମାନେ ମଧ୍ୟ ପୂର୍ବପରି ପିଏଚ୍‌ଡି ପାଇଁ ଆବେଦନ କରିପାରିବେ। ଏହାଦ୍ୱାରା ଉଚ୍ଚଶିକ୍ଷାରେ ଗବେଷଣାର ନୂତନ ଦିଗ ଉନ୍ମୁକ୍ତ ହୋଇଛି। ଏହି ନୂତନ ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ନିଜ ରୁଚି, ଦକ୍ଷତା ଓ ଭବିଷ୍ୟତ ଲକ୍ଷ୍ୟ ଅନୁଯାୟୀ ଶିକ୍ଷା ଗ୍ରହଣ କରିବାର ସୁଯୋଗ ମିଳିବ। ବିଶେଷକରି ଗବେଷଣା, ଉଚ୍ଚଶିକ୍ଷା ଓ ନବସୃଜନ କ୍ଷେତ୍ରରେ ଯୁବପିଢ଼ି ଅଧିକ ଆଗ୍ରହୀ ହୋଇପାରିବେ। ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରୁ ୨୩ ଟି ମହାବିଦ୍ୟାଳୟର ପାଖାପାଖି ୩୦୦୦ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଜାତୀୟ ଶିକ୍ଷାନୀତି ୨୦୨୦ ଶିକ୍ଷାକୁ କେବଳ ଏକ ଡିଗ୍ରୀ ହାସଲରେ ସୀମିତ ନରଖି “ଶିଖିବା, ସୃଷ୍ଟି କରିବା, ଉଦ୍ୟମ କରିବା” ଦିଗରେ ଆଗେଇ ନବାର ଏକ ସୁଯୋଗ ପ୍ରଦାନ କରୁଛି ।
ପ୍ରଫେସର ପାତ୍ର ଉଲ୍ଲେଖ କରିଛନ୍ତି ଯେ, ୨୦୨୬-୨୭ ଶିକ୍ଷାବର୍ଷରୁ ୮୧ଟି କଲେଜରେ ୧୧ଟି ବିଷୟରେ ଆରମ୍ଭ ହୋଇଥିବା ‘ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ’ (AEDP) ଅଧିକ ନିଯୁକ୍ତି ଓ ଦକ୍ଷତା-ଭିତ୍ତିକ ଅଟେ। ସେ ଆଗାମୀ ବର୍ଷଗୁଡ଼ିକରେ ଅଧିକ କଲେଜରେ ‘ଡବଲ୍ ମେଜର୍’ (double major) ସହିତ ଏହି AEDP କୁ ସମ୍ପ୍ରସାରିତ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ଏଭଳି ପଦକ୍ଷେପ ମାଧ୍ୟମରେ ଛାତ୍ର ଛାତ୍ରୀ ଓ ଶିକ୍ଷାନୁଷ୍ଠାନ ଗୁଡିକୁ ଶିକ୍ଷା, ଆଲୋଚନା ଓ ଦକ୍ଷତା ବିକାଶ ପାଇଁ ଅର୍ଥପୂର୍ଣ୍ଣ ମଞ୍ଚ ଯୋଗାଇବା ଦିଗରେ ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ ର ପ୍ରତିବଦ୍ଧତା ପୁନଃ ପ୍ରତିଫଳିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଆମ ଗୌରବ ଆମ କଲେଜ ର ରାଜ୍ୟ ସଂଯୋଜକ ଡ. ଚଣ୍ଡୀ ଚରଣ ରଥ ଏବଂ ପରିଚାଳକ ଶ୍ରୀ ହରିହର ବଡ଼ପଣ୍ଡା ଉପସ୍ଥିତ ଥିଲେ ଏବଂ ଆଇସି ଓ ସୋସିଆଲ ମିଡ଼ିଆ ସଂଯୋଜିକା ଚୈତାଲି ସୋମ କର୍ମଶାଳାକୁ ସଂଚାଳନା କରିଥିବାବେଳେ ଶ୍ରୀ ଅଭିରାମ ଜେନା , ସ୍ଵାତୀପ୍ରଭା ମିଶ୍ର ଏଵଂ ପ୍ରୀତିନନ୍ଦl ମହାପାତ୍ର କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.