ଦଲାଲ କବଳରେ ନିୟମଗିରି ଜନ ଜାତି ଡଙ୍ଗରିଆ କନ୍ଧ

0

ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ କାର୍ଯ୍ୟକ୍ରମ ବାଟବଣା

କଲ୍ୟାଣସିଂହପୁରରୁ ପ୍ରଦୀପ ଦଲାଇ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ଏବଂ ସୁନାଖଣ୍ଡି ପଞ୍ଚାୟତ ନିୟମଗିରି ପାହାଡ଼ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନ ଜାତି ଡଙ୍ଗରିଆ କନ୍ଧ ମାନଙ୍କର ମୁଖ୍ୟ ଚାଷ କହିଲେ ହଳଦୀ,ଅଦା, ଲେମ୍ବୁ, କଦଳୀ, ସପୁରି ପଣସ ଚାଷ |ଏହା ସହିତ ବିଭିନ୍ନ ଜଙ୍ଗଲ ଜାତୀୟ ଦ୍ରବ୍ୟ ସଂଗ୍ରହ ସେମାନଙ୍କ ଜୀବନ ଜୀବିକା | ସେମାନଙ୍କ ଜୀବନ ଜୀବିକା ଉନ୍ନତ କରିବା ତଥା ସେମାନଙ୍କ ଦ୍ରବ୍ୟର ବିପଣନ ପାଇଁ ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ନେବା ଆରମ୍ଭ ହୋଇଥିଲେ ମଧ୍ୟ ସଫଳ ରୂପାୟନ ଓ ପ୍ରଶାସନିକ ଆନ୍ତରିକତା ଅଭାବରୁ ସେମାନଙ୍କ ଭାଗ୍ୟ ଏବେ ଆନ୍ଧ୍ର ଦଲାଲଙ୍କ ଦୟାରେ | ଏବେ ସପୁରି ଋତୁ ଚାଲିଥିବା ବେଳେ ଓ ବର୍ତମାନର ବଜାରରେ ସପୁରିର ଚାହିଦା ଥିବା ବେଳେ ସେମାନେ ସେମାନଙ୍କ ଦ୍ରବ୍ୟକୁ ଆନ୍ଧ୍ର ଦଲାଲଙ୍କ ହାତରେ ଶାଗମାଛ ମୂଲରେ ଟେକିଦେବା ପାଇଁ ବାହ୍ୟ ହେଉଛନ୍ତି | ଡଙ୍ଗରିଆ ସମୁଦାୟର ପୁରୁଷ ଓ ସ୍ତ୍ରୀ ଲୋକମାନେ କାଉଡି, ଡଲା, ସାହାଯ୍ୟରେ ଭାର କରି ପ୍ରାୟ ୧୫ ରୁ ୨୦ କିଲୋମିଟର ବଣ ଜଙ୍ଗଲ ପାହାଡ଼ ଘାଟି ରାସ୍ତା ଦେଇ ଚାଲି ଚାଲି କଷ୍ଟର ସହିତ ବୋହି ଆଣି ବଜାର ତଥା ଆନ୍ଦ୍ର ଦଲାଲିଙ୍କ ପାଖରେ ୫ରୁ ୧୦ ଟଙ୍କା ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି |
ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ୨୦୧୫-୧୬ ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପାର୍ସାଲି ପଞ୍ଚାୟତରେ ବଜାରଟି ନିର୍ମାଣ ହୋଇଥିଲା। ନିର୍ମାଣ ହୋଇଥିବା ଏହି ବଜାର ୨୦୧୭ ମସିହା ମଇ ମାସ ୩ତାରିଖ ଦିନ ଉଦଘାଟନ ପର ଠାରୁ ଆରମ୍ଭ ହୋଇନାହିଁ। ଆଉ ଏଥିପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ୧୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା। କିନ୍ତୁ ଏହି ବଜାର ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳି ପାଲଟିଛି। ଉକ୍ତ ସ୍ଥାନରେ ଅଧିକାଂଶ ସମୟରେ ମଦ ଓ ଜୁଆ ଆଡ୍ଡା ଚାଲୁଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ ଏଥିପ୍ରତି ପ୍ରଶାସନର ତିଳେ ହେଲେ ନିଘା ନାହିଁ । କେଉଁ ଯୋଜନାର ଅର୍ଥ କୋଉ ଆଡ଼େ ଖର୍ଚ୍ଚ ହେଉଛି ନା ଡ଼ଙ୍ଗରିଆଙ୍କ ବିକାଶ ହେଇ ପାରୁଛି ତାହା ବାସ୍ତବରେ ପ୍ରଶାସନର ଦୃଷ୍ଟି ନାହିଁ | ଏମାନଙ୍କର ଜୀବନ ଜୀବିକା ଉନ୍ନତି ସକାଶେ ଜଙ୍ଗଲ ଜାତୀୟ କ୍ରୟ କରିବା ପାଇଁ ଗତ କିଛି ବର୍ଷ ହେଲା କୌଣସି କାର୍ଯ୍ୟରେ ଆସୁ ନାହିଁ। ସଂସ୍ଥା ତରଫରୁ ଗୋଟିଏ ଗାଡି ଆଣି ସପୁରି, ପଣସ, ଅଦା, ହଳଦୀ କଦଳୀ,ଲେମ୍ବୁ, ଅନ୍ୟାନ୍ୟ ଜଙ୍ଗଲ ଜାତୀୟ ଦ୍ରବ୍ୟ କ୍ରୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ | ବର୍ତମାନ ସୁଦ୍ଧା କୌଣସି ପ୍ରକାରେ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ଗୁଟୁ ସିକକା,ଦାମ ସିକକା, ଡ୍ରିକା କାଡ୍ରକା କହିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ନିରୀହ ନିୟମଗିରି ଜନ ଜାତି ଡଙ୍ଗରିଆ କନ୍ଧଙ୍କ ଉପରେ ସରକାରଙ୍କ ନଜର ପଡୁଛି କେବେ। ସେମାନଙ୍କ ଜୀବନ ଜୀବିକା ଉନ୍ନତ କରିବା ତଥା ସେମାନଙ୍କ ଦ୍ରବ୍ୟର ବିପଣନ ପାଇଁ ପ୍ରଶାସନ ଆନ୍ତରିକତାର ସହ କାର୍ଯ୍ୟ କରୁଛି କେବେ !!

 

Leave A Reply

Your email address will not be published.