ଓଡ଼ିଶା ଭାରତବର୍ଷରେ ଏକ ଏଜୁକେସନ୍‌ ହବ୍‌ ଭାବରେ ପରିଗଣିତ ହୋଇପାରିବ: ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ

0

ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶଙ୍କ ଭଦ୍ରକ ଜିଲ୍ଲା ଗସ୍ତ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ଭଦ୍ରକ ଗସ୍ତରେ ଯାଇ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀରେ ଅନୁଷ୍ଠିତ ହେଉଥିବା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ସାକାର କରିବା ପାଇଁ ସମସ୍ତ ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସମସ୍ତ ଶିକ୍ଷକଙ୍କ ଉଦ୍ୟମ ଅବ୍ୟାହତ ରହିଛି । ଏହି ସହଯୋଗ ରହିଲେ ଓଡ଼ିଶା ଭାରତବର୍ଷ ତଥା ବିଶ୍ୱରେ ଏକ ଏଜୁକେସନ୍‌ ହବ୍‌ ଭାବରେ ପରିଗଣିତ ହୋଇପାରିବ ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ କରୋନା ଯୋଗୁଁ ଶିକ୍ଷାଦାନ ବ୍ୟବସ୍ଥା ବ୍ୟାହତ ହୋଇଥିବାରୁ ତାକୁ ଭରଣା କରିବା ପାଇଁ ଓ ରାଜ୍ୟର ୪୫ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ୧୨ ହଜାର ୫୦୦ ରିସୋର୍ସ ଟିଚରଙ୍କ ମାଧ୍ୟମରେ ଓଡ଼ିଆ, ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟଗୁଡ଼ିକରେ ଶିକ୍ଷାଦାନ ନିମନ୍ତେ ସରକାର ଶିକ୍ଷାଭରଣା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେହିପରି ରାଜ୍ୟରେ ପିଲାମାନଙ୍କୁ ସିବିଏସ୍‌ଇ ଢାଞ୍ଚାରେ ଶିକ୍ଷାଦେବା ଉଦ୍ଦେଶ୍ୟରେ ସରକାର ରାଜ୍ୟର ସମସ୍ତ ବ୍ଲକ୍‌ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିବା ସହ ଏହାକୁ କାର୍ଯ୍ୟକାରୀ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଏଥି ସହ ମନ୍ତ୍ରୀ ଶ୍ରୀ ଦାଶ ମେଧାବୃତ୍ତି ଯୋଜନାରେ ଠିକ୍‌ ସମୟରେ ଛାତ୍ରଛାତ୍ରୀମାନେ ଯେପରି ବୃତ୍ତି ରାଶି ପାଇପାରିବେ ସେ ଦିଗରେ ଯନିବାନ ହେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ଶ୍ରୀ ସଂଜୀବ ମଲ୍ଲିକ, ଭଣ୍ଡାରୀ ପୋଖରୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ସମ୍ବିତ ନାୟକ, ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ନାୟକ, ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାର ସମସ୍ତ ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

 

Leave A Reply

Your email address will not be published.